ମନୀଷ ସିସୋଦିଆଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗଲା ବର୍ଷ ଫେବୃଆରୀ ୨୬ରୁ ଜେଲରେ ଥିବା ମନୀଷ ସିସୋଦିଆଙ୍କୁ ଶେଷରେ ମିଳିଲା ଜାମିନ୍। ୧୭ ମାସ ପରେ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ବଳରେ ତିହାର୍ ଜେଲରୁ ମୁକୁଳିବାର ବାଟ ଫିଟିଛି। ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣୀ କରି ଅଗଷ୍ଟ ୬ରେ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ୧୭ ମାସ ହେଲା ଜେଲରେ ସିସୋଦିଆ ଥିଲେ ସୁଦ୍ଧା ଏଯାଏଁ ଟ୍ରାଏଲ ଆରମ୍ଭ ହୋଇପାରିଲାନି। ମନି ଲଣ୍ଡରିଂ ମାମଲାରେ ତାଙ୍କଠୁ ବି କିଛି ଜବତ ହୋଇପାରିଲାନି। ଏମିତିରେ ତ୍ୱରିତ ଶୁଣାଣୀର ଅଧିକାରରୁ ସିସୋଦିଆଙ୍କୁ ବଞ୍ଚିତ କରାଯାଉଛି ବୋଲି ହୃଦବୋଧ କରିଛନ୍ତି କୋର୍ଟ।  ଏବେ ସମୟ ଆସିଯାଇଛି ଯେ, ଟ୍ରାଏଲ କୋର୍ଟ ଓ ହାଇକୋର୍ଟ ସ୍ୱୀକାର କରନ୍ତୁ କି, ଜାମିନ ଦେବାର ସିଦ୍ଧାନ୍ତ ଏକ ନିୟମ ଅଟେ ଓ ଜେଲ୍ ଏକ ଅପବାଦ। ଏହା ପରେ ଇଡିର ଏଭଳି ଅବହେଳା ପାଇଁ ଜଣଙ୍କୁ ଏତେଦିନ ଜେଲରେ ରଖିହେବନି କହି ସର୍ବୋଚ୍ଚ ଅଦାଲତ ସିସୋଦିଆଙ୍କୁ ଜାମିନ୍ ଦେଇଛନ୍ତି। ଯଦିଓ ଜାମିନ ଆବେଦନକୁ ବିରୋଧ କରି ଉଭୟ ଇଡି ଓ ସିବିଆଇ କହିଥିଲା ଯେ, ଟ୍ରାଏଲ ବିଳମ୍ୱ ଲାଗି ଖୋଦ୍ ସିସୋଦିଆ ଦାୟୀ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ଜାମିନ ଦେବା ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ସିସୋଦିଆ ନିଜ ପାସପୋର୍ଟ ଜମା କରିବେ। ପ୍ରତି ସୋମବାର ଓ ଗୁରୁବାର ଥାନାରେ ହାଜର ହେବେ। ସାକ୍ଷୀଙ୍କୁ ପ୍ରଭାବିତ କରିବେନି। କିନ୍ତୁ ସଚିବାଳୟ ଯିବାକୁ ଅନୁମତି ଦେଇଛନ୍ତି ଅଦାଲତ। ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ୍ କେବି ବିଶ୍ୱନାଥନଙ୍କ ଖଣ୍ଡପୀଠ ଜାମିନ୍ ଦେବା ସହ ଏ ସବୁ ସର୍ତ୍ତ ଖଞ୍ଜିଛନ୍ତି। ରାୟ ପ୍ରକାଶ ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଏଯାଏଁ ୪ଶହରୁ ଅଧିକ ସାକ୍ଷୀ ଓ ହଜାରେ ଦସ୍ତାବିଜ୍ ଦାଖଲ ହୋଇସାରିଛି। ଆଗକୁ ବି ଏହି ମାମଲା ସରିବ ବୋଲି ସମ୍ଭାବନା ଦେଖାଯାଉନି। ଯଦି ଇଡି ଏ ମାମଲାରେ ୮ଟି ଚାର୍ଜସିଟ୍ ଦାଖଲ କରିଛି। ଜୁଲାଇରୁ ହିଁ ଯାଞ୍ଚ ସମ୍ପୂର୍ଣ୍ଣ ହୋଇସାରିଲାଣି। ତା ହେଲେ ଏଯାଏ ଟ୍ରାଏଲ କାହିଁକି ଆରମ୍ଭ ହେଲାନି। ଉଭୟ ତଳକୋର୍ଟ ଓ ହାଇକୋର୍ଟ ଏହି ତଥ୍ୟକୁ ଅଣଦେଖା କରିଛନ୍ତି। ୧୦ ଲକ୍ଷ ଟଙ୍କା ବଣ୍ଡ୍‌ ବଳରେ ସିସୋଦିଆ ଜେଲରୁ ମୁକୁଳିବେ ବୋଲି କହିଛନ୍ତି ଅଦାଲତ।

ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ସିସୋଦିଆଙ୍କ ଘରେ, ଆପ୍ ନେତା ଓ କର୍ମୀଙ୍କ ଭିତରେ ସେଲିବ୍ରେସନ ଦେଖିବାକୁ ମିଳିଥିଲା। ଦଳୀୟ ଅଫିସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସାଂସଦ ସଞ୍ଜଜ ସିଂ ମିଠା ବାଣ୍ଟି ଖୁସି ଜାହିର କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଏକଛତ୍ରବାଦ ଉପରେ ଚାପୁଡ଼ା ସଦୃଶ ବୋଲି କହିଛନ୍ତି ସଞ୍ଜୟ। ସତର ଜିତ୍ ହେଲା। କେବଳ ରାଜନୈତିକ ପ୍ରତିଶୋଧପରାୟଣ ସାଜି ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ କରି ଆପ୍ ନେତାଙ୍କୁ ହଇରାଣ କରିବା, ସେମାନଙ୍କ ଛବିକୁ ସାଧାରଣରେ ମଳିନ କରିବା ଚକ୍ରାନ୍ତ ଥିଲା। ଖୁବ୍‌ଶୀଘ୍ର ଅରବିନ୍ଦ କେଜ୍ରିଓ୍ୱାଲ ଓ ସତ୍ୟେନ୍ଦ୍ର ଜୈନ ବି ଜେଲରୁ ବାହାରିବେ। ସିସୋଦିଆଙ୍କୁ କିଭଳି ମିଛ ମାମଲାରେ ଜେଲରେ ପୁରାଇ ଦିଆଗଲା କହିଲା ବେଳେ ଭାବୁକ ହୋଇ କାନ୍ଦି ପକାଇଛନ୍ତି ଦିଲ୍ଲୀ ମନ୍ତ୍ରୀ ଅତିଶୀ। ସିସୋଦିଆ ଶିକ୍ଷା କ୍ରାନ୍ତିର ଜନକ ବୋଲି କହିଛନ୍ତି ଅତିଶୀ। ବିଜେପି ସାଂସଦ ବାଂଶୁରୀ ସ୍ୱରାଜ କହିଛନ୍ତି, ମନୀଷଙ୍କୁ ଜାମିନ୍ ମିଳିବାର ଅର୍ଥ ନୁହେଁ ଯେ, ସେ ଅପରାଧମୁକ୍ତ ହୋଇଗଲେ। ସେ ଜବାବଦେହୀ ରହିବେ। ଆମ୍ ଆଦମୀ ଦଳ ସେଲିବ୍ରେସନ କରୁ ମନା ନାହିଁ। ଜନତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା ନ କରୁ ଆପ୍। ଏବେ ବି ସିସୋଦିଆ ଅଭିଯୁକ୍ତ। ଦିଲ୍ଲୀର ଜନତାଙ୍କ ସହ ବିଶ୍ୱାସଘାତକ କରିଛନ୍ତି। ଦିଲ୍ଲୀର ପିଲାଙ୍କୁ ପାଠଶାଳାରୁ ମଧୁଶାଳା ନେବାର ପାପ ଅର୍ଜିଥିବା ସିସୋଦିଆଙ୍କୁ ଏହାର ଜବାବ୍ ଦେବାକୁ ପଡ଼ିବ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫେବୃଆରୀ ୨୬, ୨୦୨୩ରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ଫେବୃଆରୀ ୨୮, ୨୦୨୩ରେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ସିସୋଦିଆ। ଇଡି ବି ସିସୋଦିଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ମାର୍ଚ୍ଚ ୯, ୨୦୨୩ରେ ତାଙ୍କୁ ହେପାଜତକୁ ନେଇଥିଲା। ତେବେ କେତେଥର ସିସୋଦିଆଙ୍କ ଜାମିନ ଖାରଜ ହୋଇଛି, ନଜର ପକାନ୍ତୁ। ମାର୍ଚ୍ଚ ୩୧, ୨୦୨୩ରେ ସିବିଆଇ ମାମଲାରେ ଓ ଏପ୍ରିଲ ୨୮, ୨୦୨୩ରେ ଇଡି ମାମଲାରେ ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟ ଜାମିନ୍ ଖାରଜ କରିଥିଲେ। ଜୁଲାଇ ୩, ୨୦୨୩ରେ ଇଡି ମାମଲା ଓ ମେ ୩୦, ୨୦୨୩ରେ ସିବିଆଇ ମାମଲାରେ ଜାମିନ୍ ଆବେଦନ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଅକ୍ଟୋବର ୩୦, ୨୦୨୩ରେ ଇଡି ମାମଲାରେ ଜାମିନ୍ ଦେବାକୁ ମନା କରିଥିଲେ ସୁପ୍ରିମକୋର୍ଟ। ଜୁନ୍ ୪ରେ ସିସୋଦିଆଙ୍କୁ ଜାମିନ୍ ଦେବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ। ଦ୍ୱିତୀୟ ବାର ଜାମିନ ଆବେଦନକୁ ଅନୁମତି ମିଳିବା ପରେ ଆଶ୍ୱସ୍ତ ହୋଇଛନ୍ତି ସିସୋଦିଆ। ଅକ୍ଟୋବର ୨୦୨୩ରୁ ତାଙ୍କ ବିରୁଦ୍ଧରେ ମକଦ୍ଦମାର କୌଣସି ଅଗ୍ରଗତି ହେଉନି କହି ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ମନୀଷ।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *