୮ ମାସ ଜେଲ୍, ୩ ବର୍ଷ ସସପେଣ୍ଡ : କିଏ ସେ ଆଇପିଏସ ?

ମନୀଷ ଅଗ୍ରଓ୍ୱାଲ। ୨୦୧୦ ବ୍ୟାଚର ଆଇପିଏସ। ଫେବୃଆରୀ ୨୦୨୧ରେ ଲାଞ୍ଚ ନେଇ ବନ୍ଧା ହୋଇଥିଲେ ମନୀଷ। ଜେଲ୍ ବି ଯାଇଥିଲେ। ସେତେବେଳେ ଦୌସା ଜିଲ୍ଲାର ଏସପି ଥିଲେ। ଜୁଲାଇ ୨୦୨୦ରୁ ଜାନୁଆରୀ ୨୦୨୧ ଯାଏ ଦୌସା ଏସପି ଭାବେ କାର୍ଯ୍ୟରତ ଥିଲେ। ଭାରତମାଳା ପ୍ରୋଜେକ୍ଟରେ କାମ କରୁଥିବା କମ୍ପାନୀଠୁ ଲକ୍ଷ ଲକ୍ଷ ଟଙ୍କା ଅସୁଲିର ଆରୋପ ଲାଗିଥିଲା। ଆଣ୍ଟି କରପସନ ବ୍ୟୁରୋ ବା ଏସିବି ଏହି ମାମଲାରେ ଦୁଇ ଆରଏଏସ ଅଫିସରଙ୍କୁ ବି ଗିରଫ କରିଥିଲା। ଉପ-ଜିଲ୍ଲାପାଳ ପିଙ୍କି ମିଣା ୧୦ଲକ୍ଷ ଓ ଉପ-ଜିଲ୍ଲାପାଳ ପୁଷ୍କର ମିତ୍ତଲ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଏସିବି ଟ୍ରାପ୍ କରିଥିଲା। ଏହି ଲାଞ୍ଚ କାରବାରରେ ଏସପି ମନୀଷଙ୍କ ବଡ଼ ଭୂମିକା ସାମ୍ନାକୁ  ଆସିଥିଲା। ଫେବୃଆରୀ ୨, ୨୦୨୧ରେ ଏସିବି ଆଇପିଏସ ମନୀଷ ଅଗ୍ରଓ୍ୱାଲଙ୍କୁ ବି ଗିରଫ କରିଥିଲା।

ପ୍ରାୟ ୮ ମାସ ଧରି ଜେଲରେ ରହି ଜାମିନରେ ବାହାରକୁ ଆସିଥିଲେ ମନୀଷ। ୩ ବର୍ଷ କାଳ ନିଲମ୍ୱିତ ହୋଇଥିଲେ। ଲାଞ୍ଚ କାଣ୍ଡ ପରେ ମନୀଷଙ୍କୁ ଏସଡିଆରଏଫ କମାଣ୍ଡାଣ୍ଟ ପଦକୁ ବଦଳି କରାଯାଇଥିଲା। ମେ ୨୦୨୪ରେ ଭଜନଲାଲ ସରକାର ମନୀଷଙ୍କ ଉପରୁ ନିଲମ୍ୱନ ପ୍ରତ୍ୟାହାର କରିଥିଲେ। ଜୟପୁରରେ ପୁଲିସ ମୁଖ୍ୟାଳୟରେ ଏସପି ଭାବେ ପୋଷ୍ଟିଂ ଦିଆଯାଇଛି। ଏମିତିରେ ମନୀଷଙ୍କ ବିରୁଦ୍ଧରେ ମାମଲା ଚଳାଇବାକୁ କେନ୍ଦ୍ର ସରକାର ବି ଅନୁମତି ଦେଇସାରିଛନ୍ତି। ୪୦ ବର୍ଷୀୟ ମନୀଷ ୟୁପି ବାସିନ୍ଦା। ଆଇପିଏସ ପାଇଲା ପରେ ଜମ୍ମୁକଶ୍ମୀର କ୍ୟାଡ଼ର ମିଳିଥିଲା। ଟ୍ରେନିଂ ସମ୍ପୂର୍ଣ୍ଣ କଲା ପରେ ପ୍ରାୟ ୨ ବର୍ଷ ଧରି ଜମ୍ମୁକଶ୍ମୀରରେ ନିଯୁକ୍ତି ପାଇଥିଲେ। ଜମ୍ମୁକଶ୍ମୀରରେ ବି ତାଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ମାମଲା ରୁଜୁ ହୋଇଥିଲା। ଜଣେ ରାଜସ୍ଥାନ କ୍ୟାଡର ମହିଳ ଅଫିସରଙ୍କୁ ବିବାହ କରି ସେ ନିଜର କ୍ୟାଡ଼ର ବଦଳାଇଦେଇଥିଲେ। କ୍ୟାଡ଼ର ବଦଳିବା ମାତ୍ରେ କିଛି ଦିନ ଅନ୍ତରରେ ମନୀଷ ଛାଡ଼ପତ୍ର ଦେଇଥିଲେ। ଏମିତିରେ ରାଜସ୍ଥାନରେ ଲାଞ୍ଚୁଆ ଆଇଏଏସ, ଆଇପିଏସ ଓ ଆରଏସ ଅଧିକାରୀଙ୍କ ରକ୍ଷାକର୍ତ୍ତା ସାଜିଛନ୍ତି ସରକାର ବୋଲି ପୂର୍ବରୁ ଆରୋପ ଲଦିଆସିଥିଲା ବିଜେପି।

ଗଲା ୫ ବର୍ଷ ଭିତରେ ୧୮୨ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ମକଦ୍ଦମା ଚଳାଇବାକୁ ସରକାର ସ୍ୱୀକୃତି ଦେଇନଥିବା ନେଇ ଜୁଲାଇ ମାସରେ ବିଜେପି ବିଧାୟକ ଅତୁଲ ଭନସାଲି ଅଙ୍ଗୁଳି ଉଠାଇଥିଲେ। ରାଜସ୍ଥାନରେ କଂଗ୍ରେସକୁ ହଟାଇ ଏବେ କ୍ଷମତାରେ ବିଜେପି। ଯିଏ ବି କ୍ଷମତାକୁ ଆସୁଛି, ଦୁର୍ନୀତି ବିରୋଧୀ ଶୂନ୍ୟସହନଶୀଳତା ନୀତି ଉପରେ ଗୁରୁତ୍ୱ ଦେଉଛି। ନୀତି ନିୟମରେ ପାରଦର୍ଶିତା ଓ ସୁଶାସନ ଦେବାକୁ ଦାବି କରୁଛନ୍ତି। ବିଜେପି ହେଉ ଅବା କଂଗ୍ରେସ ସରକାର ଅମଳରେ ଭ୍ରଷ୍ଟ ଅଧିକାରୀ ସବୁବେଳେ ମୌଜ କରୁଛନ୍ତି। ଲାଞ୍ଚ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୮୨ ଅଧିକାରୀଙ୍କୁ ବାନ୍ଧିଥିଲା ଦୁର୍ନୀତି ନିବାରଣ ବିଭାଗ। କିନ୍ତୁ ସେମାନଙ୍କ ବିରୁଦ୍ଧରେ ଚାଲାଣ ଦେବାକୁ ସରକାର ଅନୁମତି ଦେଉନାହାନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *