ରାଜ୍ୟପାଳଙ୍କ ଯୌନଶୋଷଣ ମାମଲା : ସୁପ୍ରିମକୋର୍ଟ ଗଲେ ପୀଡ଼ିତା

Spread the love

ଯୌନ ଉତ୍ପୀଡ଼ନ ମାମଲାରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ଅଭିଯୋଗକାରିଣୀ। ରାଜ୍ୟପାଳ ପଦରେ ଆନନ୍ଦ ବୋଷ ରହିବା ଯାଏ ତାଙ୍କୁ ନ୍ୟାୟ ମିଳିବନି ବୋଲି ଗୁହାରି କରିଛନ୍ତି ପୀଡ଼ିତା। ତାଙ୍କ ଉପରେ ହୋଇଥିବା ଯୌନଶୋଷଣ ମାମଲାରେ ଅପେକ୍ଷା କରିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ ବୋଲି ଅପିଲ୍ କରିଛନ୍ତି ପୀଡ଼ିତା। ସେପଟେ ତାଙ୍କ ବିରୁଦ୍ଧରେ ଆସିଥିବା ଯୌନଶୋଷଣ ଅଭିଯୋଗ ନିରାଧାର ଓ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ବୋଲି କହିଆସୁଛନ୍ତି ରାଜ୍ୟପାଳ ବୋଷ।

ଅଡ଼ୁଆରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷ। ରାଜ୍ୟପାଳଙ୍କ ବିରୁଦ୍ଧରେ ଯୌନଶୋଷଣର ଆରୋପ ଆଣିଛନ୍ତି ରାଜଭବନର ଜଣେ ମହିଳା କର୍ମଚାରୀ। ଏବେ ଅଭିଯୋଗକାରିଣୀ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସମ୍ୱିଧାନର ଅନୁଛେଦ ୩୬୧ ବଳରେ ଯେ ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଦିଆଯାଇଥିବା କ୍ଷମତା ବଳବତ୍ତର ଥିବ, ସେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିବନି ବୋଲି ଆଶଙ୍କା କରିଛନ୍ତି ପୀଡ଼ିତା। ସେଥିଲାଗି ରାଜ୍ୟପାଳ ପଦରେ ରହିବା ଯାଏ,ତାଙ୍କୁ କେବଳ ନ୍ୟାୟ ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ ସିନା। କିନ୍ତୁ ନ୍ୟାୟ ପାଇବାର ଆଶା ବହୁତ କମ୍। ତଦନ୍ତ ପ୍ରକ୍ରିୟା କେବଳ ଲୋକ ଦେଖାଣିଆ ହୋଇରହିଯିବ। ଏଭଳି ମାମଲାରେ ଟିକିନିଖି ଯାଞ୍ଚ ଜରୁରୀ। ସେଥିଲାଗି ସମ୍ୱିଧାନ ରାଜ୍ୟପାଳଙ୍କୁ ଦେଇଥିବା ବିଶେଷ ରିହାତି ବାବଦରେ ସର୍ବୋଚ୍ଚ ଅଦାଲତ ଦିଶାନିର୍ଦେଶ କରିବା ଜରୁରୀ ହୋଇପଡ଼ିଛି। କାରଣ ସମ୍ୱିଧାନର ଅନୁଛେଦ ୩୬୧ ଅନୁସାରେ, କୌଣସି ରାଜ୍ୟପାଳଙ୍କ ବିରୁଦ୍ଧରେ ତାଙ୍କର କାର୍ଯ୍ୟକାଳ ଭିତରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରିବନି। ଅଭିଯୋଗକାରିଣୀଙ୍କ କହିବା ଅନୁସାରେ, ରାଜ୍ୟପାଳଙ୍କୁ ଲିଖିତ ଭାବରେ ଦୁଇ ମାସର ନୋଟିସ ଦେବା ପରେ ରାଜ୍ୟପାଳଙ୍କ ବିରୁଦ୍ଧରେ ଦେଓ୍ୱାନୀ ମକଦ୍ଦମା ଦାଏର କରାଯାଇପାରିବ। କିନ୍ତୁ ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିଲାଗି କୌଣସି ସମୟସୀମା ଧାର୍ଯ୍ୟ ହୋଇନି। ସେଥିଲାଗି ପୀଡ଼ିତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ପୀଡ଼ିତା ଯୁକ୍ତି ବାଢ଼ିଛନ୍ତି ଯେ, ଅନୁଛେଦ ୩୬୧ର ଉଦ୍ଦେଶ୍ୟ ଏଭଳି ସ୍ଥିତିରେ ପୁଲିସର କ୍ଷମତାକୁ କମ୍ କରିଦେବା।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଏପ୍ରିଲ ୨୪ ଓ ମେ ୨ରେ ଭଲ ଚାକିରୀ ଦେବାର ମିଛ ଲାଳସା ଦେଖାଇ ରାଜଭବନକୁ ଡାକିଥିଲେ ରାଜ୍ୟପାଳ। କିନ୍ତୁ କାମ ଦେବାର ଆଳରେ ତାଙ୍କୁ ଯୌନଶୋଷଣ କରିଥିଲେ। ଏଭଳି ମାମଲାରେ ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦିଅନ୍ତୁ ଓ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ପୀଡ଼ିତା। କୋଲକାତା ହାଇକୋର୍ଟ ମେ ମାସରେ ରାଜ୍ୟପାଳଙ୍କ ଓଏସଡିଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ରୋକ୍ ଲଗାଇଦେଇଥିଲେ। ରାଜ୍ୟପାଳଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ମାମଲା ନ କରିବାକୁ କୁଆଡ଼େ ପୀଡ଼ିତାଙ୍କ ଉପରେ ଓଏସଡି ଚାପ ପକାଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ସେପଟେ ରାଜ୍ୟପାଳ ଆନନ୍ଦ ବୋଷ ବି କହିଥିଲେ, ବଦନାମ କରି ନିର୍ବାଚନୀ ଫାଏଦା ନେବାକୁ ଏଭଳି ପ୍ରୟାସ ହୋଇଛି। ଅଭିଯୋଗକାରିଣୀ କହିଥିଲେ, ମାର୍ଚ୍ଚ ୨୪ରେ ସ୍ଥାୟୀ ନିଯୁକ୍ତି ନିବେଦନ ନେଇ ସେ ରାଜ୍ୟପାଳଙ୍କ ପାଖକୁ ଯାଇଥିଲେ। କିନ୍ତୁ ରାଜ୍ୟପାଳ ତାଙ୍କୁ ଅସଦାଚରଣ କରିଥିଲେ। ରାଜଭବନ ବାହାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଖରେ ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ରାଜ୍ୟପାଳ। ସତର ଜିତ୍ ହେବ। ସବୁବେଳେ ଭ୍ରଷ୍ଟାଚାର-ହିଂସା ବିରୁଦ୍ଧରେ କରିଆସୁଥିବା ଲଢ଼େଇକୁ କେହି ରୋକିପାରିବେନି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଏଭଳି ଆଚରଣକୁ ନେଇ ବର୍ଷିଥିଲେ। ରାଜ୍ୟପାଳ ଦୁଇ ଦୁଇ ଥର ଯୌନଶୋଷଣ କଲେ। ପୀଡିତାଙ୍କ ଆଖିର ଲୁହ ଦେଖିଛି। ସେ କଦାପି ରାଜଭବନରେ କାମ କରିବେନି ବୋଲି ଭୟଭୀତ ଚେହେରା ସବୁ ସତ କହୁଛି। ଟିଏମସି ସାଂସଦ ସାଗରିକା ଘୋଷ ବି ମହିଳାଙ୍କ ଅଭିଯୋଗକୁ ନେଇ ଏକ ଭିଡିଓ ବୟାନ ଜାରି କରିଥିଲେ। ଏଭଳି ଗମ୍ଭୀର ଆରୋପ ସେତେବେଳେ ଲାଗିଥିଲା,ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ମୋଦି କୋଲକାତା ପହଞ୍ଚିଥିଲେ। ମୋଦି ରାଜଭବନରେ ଥିଲେ। ରାଜ୍ୟପାଳଙ୍କଠୁ ଏ ନେଇ ମୋଦି କୈଫୟତ ମାଗିବେ କି ବୋଲି ପଚାରିଥିଲେ ସାଗରିକା। ବିଜେପି କହିଥିଲା, ଯଦି ମାମଲା ସତ, ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ଅଭିଯୋଗ ସତ ନା ଷଡ଼ଯନ୍ତ୍ର ଦେଖିବାକୁ ପଡ଼ିବ। ୨୬ହଜାର ଶିକ୍ଷକଙ୍କ ଚାକିରୀ ଚାଲିଗଲା। ସନ୍ଦେଶଖାଲି ଯୌନବର୍ବରତାରେ ଟିଏମସି ଛନ୍ଦି ହୋଇଛି। ସେଥିଲାଗି ଏଭଳି ଅଭିଯୋଗ ରାଜନୀତିକ ଷଡ଼ଯନ୍ତ୍ର ନୁହେଁ ତ।

ସୁପ୍ରିମକୋର୍ଟ ଗଲା ରାଜ୍ୟପାଳଙ୍କ ବିରୁଦ୍ଧରେ ଯୌନଶୋଷଣ ମାମଲା। ଦେଖିବାର କଥା, ଆଗକୁ ଏହା କି ମୋଡ଼ ନେଉଛି। ଆଗରୁ ବି ୨୦୨୩ରେ ଜଣେ ନର୍ତ୍ତକୀଙ୍କୁ ରାଜ୍ୟପାଳ ଯୌନଶୋଷଣ କରିଥିବାର ଅଭିଯୋଗ ହୋଇଥିଲା। ଦିଲ୍ଲୀର ପଞ୍ଚତାରକା ହୋଟେଲରେ ଅସଦାଚରଣ ଅଭିଯୋଗରେ ପୁଲିସ ତଦନ୍ତ କରି ଯାଞ୍ଚ ରିପୋର୍ଟ ରାଜ୍ୟ ସଚିବାଳୟକୁ ଦେଇଥିଲା।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *