୨୫ ରୁ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

Spread the love

ଭୁବନେଶ୍ୱର : ଚଳିତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ରାଷ୍ଟ୍ରପତିଙ୍କ ଓଡିଶାରେ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ପ୍ରସ୍ତୁତି ସମ୍ପର୍କରେ ବିଶଦ୍ ଭାବେ ଉପସ୍ଥାପନ କରିଥିଲେ ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜୁଲାଇ ୨୫ ତାରିଖରେ ରାଜ ଭବନ ଠାରେ ଓଡିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ୨୬ ତାରିଖରେ କଟକର ଚଣ୍ଡି ମନ୍ଦିର, ଉତ୍କଳଗୌରବ ମଧୁସୁଦନ ଦାସଙ୍କ ବାସ ଭବନ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହି ଦିନ ମଧ୍ୟ କଟକ ଉଚ୍ଚ ନ୍ୟାୟାଳୟର ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତି ଉତ୍ସବ, କଟକ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୭ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଏହାସହ ସେହି ଦିନ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ଠାରୁ ୨୭ତାରିଖରେ ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ରାଜ୍ୟ ପ୍ରଶାସନ ଏବଂ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉଚ୍ଚ ନ୍ୟାୟାଳୟ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ସମ୍ପୃକ୍ତ ଜିଲ୍ଲାରୁ ଜିଲ୍ଲାପାଳ, ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମର କର୍ତ୍ତୃପକ୍ଷମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

                ବୈଠକରେ ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ସ , ଉତ୍ସବ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟିପିସିଓଡିଏଲ୍‌, ଟିପିଏନଓଡିଏଲ୍ କୁ ଭଲଭାବେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଯାଞ୍ଚ ନିମନ୍ତେ ସମ୍ପୃକ୍ତ ଅଭିଜ୍ଞ ନିର୍ବାହୀ ଯନ୍ତ୍ରୀମାନେ ଉପସ୍ଥିତ ରହିବେ । ଯଥେଷ୍ଟ ସଂଖ୍ୟକ ଜେନେରେଟର ମହଜୁଦ ରହିବା ସହ ସେସବୁର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବେ । କାର୍ଯ୍ୟକ୍ରମ ସ୍ଥଳରେ ପାନୀୟଜଳ ଯୋଗାଣ, ଅନୁମୋଦିତ ଯୋଜନା ଅନୁସାରେ ସଭା ମଞ୍ଚ ପ୍ରସ୍ତୁତି, ଅତିଥିମାନଙ୍କ ବସିବା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ଆବଶ୍ୟକ ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ବିଭିନ୍ନ ଗଣମାଧ୍ୟମକୁ ସୂଚନା ପ୍ରଦାନ, କାର୍ଯ୍ୟକ୍ରମ ସ୍ଥଳକୁ ଇଣ୍ଟରନେଟ୍ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା । ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ, ପୁଲିସ୍ ମହାନିରୀକ୍ଷକ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସୁରକ୍ଷା ଦାୟିତ୍ୱରେ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି ।

 ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଭୁବନେଶ୍ୱର-କଟକ-ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ ରାଜ୍ୟ ପ୍ରଶାସନର ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *