ଏଠି ମାଟି ତଳେ ରତ୍ନ ର ଭଣ୍ଡାର ଆଉ ମାଟି ଉପରେ ଆବାସ ଯୋଜନାର ବିକଳ ଚିତ୍ର I ଭୂମୀହିନଙ୍କୁ ଭୂମୀ ବାସହୀନ ଙ୍କୁ ବାସଗୃହ ଯୋଗାଇ ଦେବାକୁ ସରକାରଙ୍କ ରହିଛି ପୁଳା ପୁଳା ଯୋଜନା । ହେଲେ ଏସବୁ ଯୋଜନା କେନ୍ଦୁଝରଗଡ ପୌରାଞ୍ଚଳର ଶହ ଶହ ଅସହାୟ ନିରୀହ ଗରୀବ ଲୋକଙ୍କ ପାଇଁ ସପନ। ସ୍ଵାଧୀନତାର ୭୮ ବର୍ଷ ପରେ ମଧ୍ୟ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ହଜାର ହଜାର ଲୋକଙ୍କ ମୁଣ୍ଡ ଉପରେ ଆଜି ବି ଛାତ ଖଣ୍ଡେ ନାହିଁ । ଫଳରେ ବାଧ୍ୟ ହୋଇ ଚିରାଫଟା ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। କେନ୍ଦୁଝରଗଡ଼ ପୌରପାଳିକାର କିଛି ଦାୟିତ୍ଵହୀନ ଅଧିକାରୀଙ୍କ ପାଇଁ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଛନ୍ତି ଏହି ସୁଲେଇଖମାର ବାସୀ । ଏହି ସାହିର ମହିଳା ରୁବି ମୁଣ୍ଡା , ସ୍ୱାମୀ ପରିତ୍ୟକ୍ତା ରଚ ନାଏକ, କାର୍ତ୍ତୀକ ମୁଣ୍ଡା , ବୁଧ ଓ ତାଙ୍କ ସ୍ତ୍ରୀ ଗୋଲାପି ମୁଣ୍ଡାଙ୍କ ଘର ଗୁଡିକୁ ଟିକେ ଭଲ କରି ଦେଖନ୍ତୁ। କେଉଁ ଘରର କାନ୍ଥ ନାହିଁ କେବଳ ପଲିଥିନରେ ଘେରା ହୋଇଛି , ହେଲେ କବାଟ ନାହିଁ । ଆଉ କାହାର ସଂପୂର୍ଣ୍ଣ ତିନି ପଟ ଖୋଲା ମେଲା ଥିବା ବେଳେ ଗୋଟେ ପଟ କେବଳ ଟିଣ ରେ ଛେକା ହୋଇଛି। ଆଉ ପୁଣି କାହାର ଝାଟି ମାଟି ରେ ମାତ୍ର ୪ ଫୁଟ ଉଚ୍ଚତାର କାନ୍ଥ ଅଛି ଆଉ ଚାଳ ପର୍ଯ୍ୟନ୍ତ ପୁରା ଖୋଲା ରହିଛି। ଏହି ପ୍ରଚଣ୍ଡ ହାଡ ଭଙ୍ଗା ଶୀତ କାକର ସାଙ୍ଗକୁ ମଝିରେ ମଝିରେ ଲଘୁ ଚାପ ବର୍ଷା ରେ ଏମାନେ ଏଠି କେମିତି ରହୁଥିବେ? ଆହୁରୀ ମଧ୍ୟ ଏ ହେଉଛି ହାତୀ ପ୍ରବଣ ଅଞ୍ଚଳ । ପ୍ରବଳ ବର୍ଷା ହେଲେ କିମ୍ବା ହାତୀ ଆସିଲେ ଏମାନେ ଅନ୍ୟ ପିଣ୍ଡା ରେ ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି I
ସୁଲେଇଖମା ସାହି ଲୋକଙ୍କର ଏପରି ଅତି ଦୟନୀୟ ଓ ଦୁଃଖଦ ଜୀବନଶୈଳୀକୁ ନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଜଣାଯାଇଥିଲା। ଏବଂ ଅଞ୍ଚଳ କୁ ଯାଇ ସ୍ଥିତି ପରଖିବା କୁ ମଧ୍ୟ ଅନୁରୋଧ କରିଥିଲୁ ହେଲେ ସେ ସରକାରୀ ଆଇନ କାନୁନର ଗଳାବାଟ ଦେଇ ଖସି ଯିବାକୁ ଚେଷ୍ଟା କରିଛନ୍ତି।
ତେବେ ସୁଲେଇଖମା ସାହିବାସୀଙ୍କୁ ପ୍ରଶାସନ କେବେ ଯୋଜନାରେ ଅନ୍ତର୍ଭୁକ୍ତ କରୁଛି ତାହାକୁ ଅପେକ୍ଷା।
Naxatra News is now on Whatsapp
Join and get latest news update delivered to you via whatsapp
Join Now