ବାହୁବଳୀ ନେତାଙ୍କ ନାଁ ଉଠାଇ ସନ୍ଦେହର ପାହାଡ଼ ସୃଷ୍ଟିକଲେ ବିରୋଧୀ

Spread the love

() ନବ ଦାସ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଥିଓରୀକୁ ନେଇ ବିଧାନସଭାରେ ହଙ୍ଗାମା। କିଏ ନବ ଦାସଙ୍କୁ ମାରିଲା। ଏକାକୀ ଗୋପାଳ କଦାପି ନୁହେଁ। ଗୋପାଳ କେବଳ ଏକ ମୋହରା। ପୁରା ଷଡ଼ଯନ୍ତ୍ରରେ କିଏ। ଏହାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ଶାସକ ଦଳର ବାହୁବଳୀ ନେତାଙ୍କ ନାଁ ଉଠାଇ ସନ୍ଦେହର ପାହାଡ଼ ସୃଷ୍ଟି କରିଛନ୍ତି। ସେପଟେ ଶାସକ ଦଳ ବି ଏହାର କଡ଼ା କାଉଣ୍ଟର କରିଛି। ଷଡ଼ଯନ୍ତ୍ରରେ ସିଧା ବିରୋଧୀ ଦଳ ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଧରିଛି।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି। ନବ ଦାସଙ୍କ ଶେଷକୃତ୍ୟ ବେଳେ ହତ୍ୟା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ନବଙ୍କ ଭାଇ। ତେବେ ଏଏସଆଇ ଗୋପାଳ ଦାସଙ୍କୁ କିଏ ମୋହରା କଲା। ନବ ଦାସଙ୍କ ଭଳି ହାଇପ୍ରୋଫାଇଲ ମନ୍ତ୍ରୀଙ୍କୁ ଜଣେ ଏଏସଆଇ ସର୍ବସମ୍ମୁଖରେ ଗୁଳି କରିବାକୁ କିଏ ସାହସ ଦେଲା। ଏମିତି ତମାମ ପ୍ରଶ୍ନର ଖିଅକୁ କ୍ରାଇମବ୍ରାଞ୍ଚ ଖୋଜୁଛି କି ନାହିଁ। ନା କେବଳ ଗୋପାଳ ଦାସ ଚାରିପଟେ ତଦନ୍ତକୁ ସୀମିତ ରଖି ଷଡ଼ଯନ୍ତ୍ରର ଥିଓରୀକୁ ବନ୍ଦ କରିଦେବାକୁ ଅପଚେଷ୍ଟା କରୁଛି କି କ୍ରାଇମବ୍ରାଞ୍ଚ। ଏସବୁ ପ୍ରଶ୍ନ ଜାଲରେ ସରକାରଙ୍କୁ ଆରମ୍ଭରୁ ଛନ୍ଦି ଦେବାକୁ ଚେଷ୍ଟା କରୁଥିବା ବିରୋଧୀ ଆଜି ନୂଆ ଏପିସୋଡ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡର ୪ ଦିନ ଆଗରୁ ଫାଇଭ-ଟି ସଚିବ ଓ ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଫୋନ କଲ ରେକର୍ଡ ଯାଞ୍ଚ ଦାବି କରୁଥିଲା ବିଜେପି। ଆଉ କଂଗ୍ରେସ ଆଜି ହତ୍ୟା ଷଡ଼ଯନ୍ତ୍ର ପଛରେ ପଶ୍ଚିମ ଓଡ଼ିଶାର ବାହୁବଳୀ ନେତା ତଥା ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପୃକ୍ତି କଥା ଉଠାଇଛି। ବିଜେଡିର ଏହି ତୁଙ୍ଗ ନେତା ନବ ଦାସଙ୍କୁ ମାରିଛନ୍ତି। ସଂପୃକ୍ତ ବାହୁବଳୀ ନେତାଙ୍କ ସହ ନବଙ୍କ ପଡ଼ୁନଥିଲା ବୋଲି ବାହିନୀପତି କହିଛନ୍ତି।

ସେପଟେ ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ବିଜେଡିର ବଡ଼ ନେତା ଅଛନ୍ତି ବୋଲି ବିଜେପି କହୁଥିଲା ବେଳେ ବିଜେଡି ବି କହୁଛି ଏଥିରେ ବିଜେପି ରହିଛି। ବିଜେଡି ସିଧାସଳଖ ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁକୁ ଟାଣିଛି। ଯେହେତୁ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏ ସଙ୍ଗୀନ ଆରୋପ ଲଦିଛନ୍ତି। ସେଥିଲାଗି ଜଣେ ମନ୍ତ୍ରୀଙ୍କ ବିବୃତ୍ତି ସରକାରଙ୍କ ବିବୃତ୍ତି ବୋଲି ଧରାଯିବ। ଆଉ ସେଥିଲାଗି ପ୍ରମିଳାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିବେ ବୋଲି କହିଛନ୍ତି ଜୟନାରାୟଣ। ପ୍ରମିଳାଙ୍କ କଥାକୁ ଆଜି ଦୋହରାଇଥିଲେ ବିଧାୟକ ରୁଦ୍ର ମହାରଥୀ। ପଦ୍ମପୁର ଉପନିର୍ବାଚନ ବେଳେ ନବଙ୍କ ଜୀବନ ପ୍ରତି ଧର୍ମେନ୍ଦ୍ର ଓ ଜୟନାରାୟଣଙ୍କ ଆଡ଼ୁ ବିପଦ ଥିଲା ବୋଲି କୁଆଡ଼େ ରୁଦ୍ରଙ୍କୁ କହିଥିଲେ ନବ। ଆଉ ରୁଦ୍ରଙ୍କୁ କାଉଣ୍ଟର କରିବାକୁ ଆଗେଇ ଆସିଥିଲେ ସୂରଜ।

ଗୋପାଳ ଦାସ ନବ ଦାସଙ୍କୁ ମାରିଲେ। ହେଲେ ଏହା ପଛରେ ଥିବା ଷଡ଼ଯନ୍ତ୍ର ଥିଓରୀକୁ ନେଇ ହୁଲସ୍ତୁଲ ହେଉଛି ବିଧାନସଭା। ବଡ଼ବଡ଼ିଆଙ୍କ ସଂପୃକ୍ତି କଥା ଉଠୁଛି। ଏହାକୁ ନେଇ ଡିଜିପି ଅଫିସରେ ଏଡିଜି ଅରୁଣ ବୋଥ୍ରା, ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡାଙ୍କ ସମେତ ନବ ଦାସ ହତ୍ୟା ମାମଲାର ଅଗ୍ରଗତି ନେଇ ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା। କିନ୍ତୁ ଡିଜିପି ଏ ନେଇ ଗଣମାଧ୍ୟମରେ ମୁହଁ ଖୋଲିନାହାନ୍ତି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *