କିଏ କେତେ ବ୍ୟବଧାନରେ ଜିତିଥିଲା ?

Spread the love

୨୦୧୯ରେ  ୨୧ ଲୋକସଭା ଆସନରୁ ୧୨ଟି ବିଜେଡି, ୮ଟିରେ ବିଜେପି ଓ ଗୋଟିଏ ଆସନ ହାତେଇଥିଲା କଂଗ୍ରେସ। ୨୧ଟି ଲୋକସଭା ଆସନରୁ କୋରାପୁଟରେ କେବଳ କଂଗ୍ରେସ ବିଜୟବାନା ଉଡ଼ାଇଥିଲା ବେଳେ ୮ଟି ଆସନରେ ଜିତିଥିଲା ବିଜେପି। ୧୨ଟି ଲୋକସଭା ସିଟ୍ ବିଜେଡି ଖାତାକୁ ଯାଇଥିଲା। ୨୦୧୪ ତୁଳନାରେ ୮ଟି ସିଟ୍ ହରାଇଥିଲା ବିଜେଡି। ୨୦୧୪ରେ ସୁନ୍ଦରଗଡ଼ରେ କେବଳ ଜୁଏଲ ଓରାମ ବିଜେପିର ସମ୍ମାନ ରକ୍ଷା କରିବାକୁ ସକ୍ଷମ ହୋଇଥିଲେ। କଂଗ୍ରେସ ଖାତା ଖୋଲିପାରିନଥିଲା। ତେବେ ଗଲା ନିର୍ବାଚନରେ କେଉଁ ସଂସଦୀୟ କ୍ଷେତ୍ରରେ ସବୁଠୁ କ୍ଲୋଜ ଫାଇଟ୍ ଦେଖିବାକୁ ମିଳିଥିଲା। ଏଥର କଅଣ ରହିବ ହାଓ୍ୱା, ତାକୁ ନେଇ ଅନେକ ଆକଳନ ଆରମ୍ଭ ହୋଇଛି। ୨୦୧୯ ଲୋକସଭାରେ ସବୁଠୁ କ୍ଲୋଜ୍ ଫାଇଟ ଦେଖିବାକୁ ମିଳିଥିଲା କୋରାପୁଟରେ। କୋରାପୁଟ ସଂସଦୀୟ କ୍ଷେତ୍ରରେ କଂଗ୍ରେସର ସପ୍ତଗିରି ଉଲ୍ଲାକା ବିଜେଡିର କୌଶଲ୍ୟା ହିକକାଙ୍କୁ ମାତ୍ର ୩ହଜାର ୬୧୩ ଖଣ୍ଡ ଭୋଟରେ ହରାଇ ଖାତା ଖୋଲିବାକୁ ସକ୍ଷମ ହୋଇଥିଲେ। ବିଜେପିର ଜୟରାମ ପାଙ୍ଗୀ ବହୁ ପଛରେ ପଡ଼ିଯାଇଥିଲେ।

ସମ୍ୱଲପୁର ସଂସଦୀୟ କ୍ଷେତ୍ରରେ ବିଜେପିର ନୀତେଶ ଗଙ୍ଗଦେବ ମାତ୍ର ୯ହଜାର ଭୋଟ ବ୍ୟବଧାନରେ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ ହରାଇଥିଲେ। ଏବେକାର ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସଂସଦୀୟ କ୍ଷେତ୍ରରେ ଲଢ଼ି ପାଇଥିଲେ ୧ଲକ୍ଷ ୩୫ହଜାର୯୬୯ ଭୋଟ୍। ଏଥର ସମ୍ୱଲପୁରରେ ବିଗ ସୋ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ଟକ୍କର ଦେଉଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ। ସମ୍ମାନ ଓ ପତିଆରାର ପ୍ରଶ୍ନ ହୋଇ ଛିଡ଼ା ହୋଇଛି ସମ୍ୱଲପୁର ସଂସଦୀୟ କ୍ଷେତ୍ର। ୧୯୯୧ରୁ ୯୬ ଯାଏ କଂଗ୍ରେସ, ୧୯୯୮ରୁ ୨୦୦୪ ଯାଏ ବିଜେଡି, ୨୦୦୯ରେ କଂଗ୍ରେସ ଓ ୨୦୧୪ରେ ବିଜେଡିକୁ ସୁଯୋଗ ଦେଇଥିବା ଭୋଟର ପ୍ରଥମ ଥର ୨୦୧୯ରେ ବିଜେପିକୁ ସୁଯୋଗ ଦେଇଥିଲେ। ପୁରୀରେ ବି ହାଇଭୋଲଟେଜ ଟକ୍କର ଦେଖିବାକୁ ମିଳିଥିଲା। ୨୦୧୯ରେ ବିଜେଡିରୁ ହ୍ୟାଟ୍ରିକ ବିଜେତା ପିନାକୀ ମିଶ୍ରଙ୍କଠୁ ପ୍ରଥମ ନିର୍ବାଚନୀ ଡେବ୍ୟୁରେ ବିଜେପିର ସମ୍ୱିତ ପାତ୍ର କଡ଼ା ଟକ୍କର ଦେଇ ମାତ୍ର ୧୨ହଜାର ଭୋଟରେ ହାରିଥିଲେ। ଏଥର ବିଜେଡି ଗଲା ନିର୍ବାଚନରେ ଭୁବନେଶ୍ୱର ଲୋକସଭା ହାରିଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଆଉ ସମ୍ୱିତ ଦ୍ୱିତୀୟ ଥର ଟକ୍କର ଦେଉଛନ୍ତି ମୈଦାନରେ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବି ପ୍ରଥମ ଥର ଅପରାଜିତାଙ୍କ ବିଜୟରୁ ଏଠାରେ ପଦ୍ମ ଫୁଟିଥିଲା। ୧୯୯୮ରୁ ୨୦୧୪ ଯାଏ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜୟରୁ ବିଜେଡି ଗଡ଼ ଭାବେ ପରିଚିତ ଥିବା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ଏହି ବିଜୟଧାରାକୁ ବଜାୟ ରଖିପାରିଲାନି। ଅରୂପ ପଟ୍ଟନାୟକଙ୍କୁ ୨୩ହଜାରରୁ ଅଧିକ ଭୋଟରେ ହରାଇଥିଲେ ଅପରାଜିତା। ଏଥର ଅପରାଜିତା ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ଥିଲା ବେଳେ ଅରୂପଙ୍କୁ ପୁରୀ ପଠାଇ ମନ୍ମଥ ରାଉତରାୟଙ୍କ ଭଳି ଯୁବ ଚେହେରାକୁ ଲଢାଇଛି ବିଜେଡି। ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ ବି ଏହି ଆସନରୁ ଟକ୍କର ଦେଇଛନ୍ତି। କଟକରେ ବି ଅଙ୍କ ଓଲଟପାଲଟ। ୧୯୯୮ରୁ ୨୦୧୯ ଯାଏ ବିଜେଡି ଟିକଟରୁ କଟକ ଲୋକସଭା ଜିତିଆସୁଥିବା ଭର୍ତ୍ତୃହରି ମହତାବ ଏଥର ବିଜେପି ଟିକଟରେ ଲଢ଼ିଛନ୍ତି। ପ୍ରାୟ ସବୁ ନିର୍ବାଚନରେ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତିବାର ରେକର୍ଡ ରଚିଥିବା ଭର୍ତ୍ତୃହରି ଦଳବଦଳ ପରେ ଏହା ବଜାୟ ରଖିବେ ନା ବିଜେଡି ଗଡ଼ ଭାବେ ପରିଚିତ କଟକ ଆସନରେ ସଂତୃପ୍ତ ମିଶ୍ରଙ୍କୁ ସୁଯୋଗ ଦେବେ।

ଭଦ୍ରକ ସଂସଦୀୟ କ୍ଷେତ୍ର ବି ୧୯୯୮ରୁ ଆଜିଯାଏ ବିଜେଡି ଦଖଲରେ ରହିଆସିଛି। ଏଥର ଏହି ଆସନରୁ ମଞ୍ଜୁଲତା ମଣ୍ଡଳଙ୍କୁ ଟକ୍କର ଦେବାକୁ ମୈଦାନରେ ଅଛନ୍ତି ପୂର୍ବତନ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ଓ କଂଗ୍ରେସର ପୂର୍ବତନ ସାଂସଦ ଅଭିଜ୍ଞ ଓ  ଅନୁଭବୀ ଅନନ୍ତ ସେଠୀ। ଅଭିମନ୍ୟୁଙ୍କୁ ୨୮ହଜାର ଭୋଟରେ ହରାଇଥିଲେ ମଞ୍ଜୁଲତା।  ଯାଜପୁର ଲୋକସଭା ଆସନ ୧୯୯୯ରୁ ବିଜେଡି ଦଖଲରେ ରହି ଆସିଛି। ଏଥର ବି ଶର୍ମିଷ୍ଠା ସେଠୀ ଲଢ଼ିଛନ୍ତି। ଜଗତସିଂହପୁର ଲୋକସଭା ସିଟରେ ରାଜଶ୍ରୀ ମଲ୍ଲିକଙ୍କୁ ପୁଣି ଥରେ ମୈଦାନକୁ ଓହ୍ଲାଇ ଗଡ଼ ଦଖଲକୁ ନେଇ ଆଶାବାଦୀ ବିଜେଡି। ବଲାଙ୍ଗୀରରେ ବିଜେପିର ସଙ୍ଗୀତା ସିଂଦେଓ ବିଜେଡି ପ୍ରାର୍ଥୀ କଳିକେଶ ସିଂଦେଓଙ୍କୁ ୧୯ହଜାର୫୧୬ ଖଣ୍ଡ ଭୋଟରେ ହରାଇଥିଲେ। ନରସିଂହ ମିଶ୍ରଙ୍କ ପୁଅ କଂଗ୍ରେସର ସମରେନ୍ଦ୍ର ମିଶ୍ର ପାଇଥିଲେ ୨ଲକ୍ଷ ୭୧ହଜାର ଭୋଟ୍।

୨୦୧୪ରେ ସଙ୍ଗୀତାଙ୍କୁ ୧ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ହରାଇଥିଲେ କଳିକେଶ। ବଲାଙ୍ଗୀରରୁ ଏଥର କଂଗ୍ରେସରୁ ଅଭିନେତା ମନୋଜ ମିଶ୍ର ଲଢ଼ିଛନ୍ତି। ଆଉ ବିଜେଡିରୁ ସୁରେନ୍ଦ୍ର ସିଂ ଭୋଇ ଲଢ଼ିଛନ୍ତି। ବରଗଡ଼ରେ ସୁରେଶ ପୂଜାରୀ ବିଜେଡିର ହେଭିଓ୍ୱେଟ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬୩ହଜାର ଭୋଟରେ ହରାଇଥିଲେ। ଏଥର ଉଭୟ ସୁରେଶ ଓ ପ୍ରସନ୍ନ ବିଧାନସଭା ଲଢ଼ିଛନ୍ତି। ସୁରେଶ ବ୍ରଜରାଜନଗରରେ ଓ ପ୍ରସନ୍ନ ରେଢାଖୋଲରୁ ଲଢ଼ିଛନ୍ତି। ବାଲେଶ୍ୱର ଆସନରେ ୨୦୦୯ରେ କଂଗ୍ରେସ, ୨୦୧୪ରେ ବିଜେଡି ଓ ୨୦୧୯ରେ ବିଜେପିକୁ ସୁଯୋଗ ଦେଇଥିବା ଭୋଟର ଏଥର କାହାକୁ ଭରସା କରିବେ। ବିଜେପିର ପ୍ରତାପ ଷଡ଼ଙ୍ଗୀ ଗଲା ନିର୍ବାଚନରେ ୧୨ହଜାର୯୫୬ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର ପ୍ରତାପଙ୍କ ସହ ଟକ୍କର ଦେବାକୁ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ରବୀନ୍ଦ୍ର ଜେନାଙ୍କ ବଦଳରେ ବିଜେପିରୁ ଆମଦାନୀ ନେତା ଲେଖାଶ୍ରୀ ସାମନ୍ତସିଂହାର ବିଜେଡି ଟିକଟରେ ଓ କଂଗ୍ରେସରୁ ହେଭିଓ୍ୱେଟ୍ ଚେହେରା ଶ୍ରୀକାନ୍ତ ଜେନା ଟକ୍କର ଦେଉଛନ୍ତି। ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବାର ରେକର୍ଡ ଥିଲା ଜୁଏଲ ଓରାମଙ୍କ ନାଁରେ।

ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମ ଏଥର ହ୍ୟାଟ୍ରିକ୍ କରିବେ ନା ବିଜୟଧାରାରେ ବ୍ରେକ୍ ଲାଗିବ। ୧୯୯୮ରୁ ୨୦୧୯ ଭିତରେ କେବଳ ୨୦୦୯ ନିର୍ବାଚନରେ କଂଗ୍ରେସର ହେମାନନ୍ଦ ବିଶ୍ୱାଳଙ୍କ ଜିତାପଟ୍ଟକୁ ଛାଡିଦେଲେ ବାକି ସବୁ ନିର୍ବାଚନରେ ଜୁଏଲଙ୍କ ଜୟଧାରା ଜାରି ରହିଛି। ଜୁଏଲ ଗଲା ନିର୍ବାଚନରେ ହେମାନନ୍ଦଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ୨ଲକ୍ଷ ୨୩ହଜାର ଭୋଟ ବ୍ୟବଧାନରେ ହରାଇଥିଲେ। ଏଥର ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ମୟୂରଭଞ୍ଜ ଆସନ ବିଜେପି ଦଖଲରେ ଥିବା ସତ୍ତ୍ୱେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ କେଉଁଠି ବି ଲଢ଼ାଇଲା ନାହିଁ ଏଥର ବିଜେପି। ବିଶ୍ୱେଶ୍ୱର ଗଲା ନିର୍ବାଚନରେ ୩୫ହଜାର ଭୋଟରେ ହରାଇଥିଲେ ବିଜେଡିର ଦେବାଶୀଷ ମାର୍ଣ୍ଡିଂଙ୍କୁ। ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ବିଜେପିରୁ ଲଢ଼ୁଥିଲା ବେଳେ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂଙ୍କ ଭଳି ଅନୁଭବୀ ନେତାଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି। ଜେଏମଏମ ସବୁ ଥର ଭଳି ଏଥର ବି ନିର୍ଣ୍ଣାୟକ ସାଜିବ ବୋଲି ଆଶା କରାଯାଉଛି। ଢେଙ୍କାନାଳରେ ନବାଗତ ଡାକ୍ତର ଅବିନାଶ ସାମଲଙ୍କୁ ଟକ୍କର ଦେଉଛନ୍ତି ଭେଟେରାନ ରୁଦ୍ର ପାଣି। ୨୦୦୪ରୁ କ୍ରମାଗତ ବିଜେଡି ଗଡ଼ ଭାବେ ପରିଚିତ ଢେଙ୍କାନାଳ ଲୋକସଭା ଆସନରୁ ୨୦୧୯ରେ ରୁଦ୍ର ପାଣିଙ୍କୁ ୩୫ହଜାର ଭୋଟ ବ୍ୟବଧାନରେ ହରାଇଥିଲେ ମହେଶ ସାହୁ। ଏଥର ମହେଶ ହିନ୍ଦୋଳ ବିଧାନସଭାରୁ ପ୍ରତିଦ୍ୱନ୍ଦିତା କରିଛନ୍ତି।

ବ୍ରହ୍ମପୁର ଲୋକସଭା ଆସନ ୨୦୦୯ରୁ ବିଜେଡି ଦଖଲରେ ରହିଆସିଛି। ଏଥର ଏହି ଆସନରେ ବିଜେପିରୁ ପ୍ରଦୀପ ପାଣିଗ୍ରାହୀ ଓ ବିଜେଡିରୁ ଭୃଗୁ ବକ୍ସିପାତ୍ରଙ୍କ ଭିତରେ ମୁଖ୍ୟତଃ ଫାଇଟ୍ ହେଉଛି। ୨୦୧୯ରେ ବିଜେଡିର ଚନ୍ଦ୍ରଶେଖର ସାହୁଙ୍କଠୁ ବିଜେପି ପ୍ରାର୍ଥୀ ଭୃଗୁ ପ୍ରାୟ ୯୪ହଜାର ଭୋଟରେ ହାରିଥିଲେ। ନବରଙ୍ଗପୁରରେ ଏଥର ୨୦୧୯ର ପ୍ରାର୍ଥୀ ଦଳବଦଳ କରି ପରସ୍ପରର ପ୍ରତିଦ୍ୱନ୍ଦୀ ସାଜିଛନ୍ତି। ବିଜେଡିରୁ ପ୍ରଦୀପ ମାଝୀ ବିଜେପିର ବଳଭଦ୍ର ମାଝୀଙ୍କୁ ଟକ୍କର ଦେଉଛନ୍ତି। ୨୦୧୯ରେ ପ୍ରଦୀପ ମାଝୀ କଂଗ୍ରେସରୁ ଲଢ଼ି ବିଜେଡିର ରମେଶ ମାଝୀଙ୍କଠୁ ୪୨ହଜାର ଭୋଟରେ ହାରିଥିଲେ। ବିଜେପିର ବଳଭଦ୍ର ମାଝୀଙ୍କଠୁ ମାତ୍ର ୮ ହଜାର ଭୋଟ ଅଧିକା ପାଇଥିଲେ ପ୍ରଦୀପ। ୨୦୧୪ରେ ମାତ୍ର ୨ହଜାର ଭୋଟରେ ପ୍ରଦୀପଙ୍କୁ ହରାଇଥିଲେ ସେତେବେଳେ ବିଜେଡି ଟିକଟରେ ଲଢ଼ିଥିବା ବଳଭଦ୍ର।

Leave a Reply

Your email address will not be published. Required fields are marked *