ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀନଅର ସମ୍ମୁଖ ରଥଖଳାରେ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ, କରତିଆ ସେବାୟତ ମାନେ ରଥ ନିର୍ମାଣରେ ଲାଗି ପଡିଛନ୍ତି । ଶନିବାର ସଂନ୍ଧ୍ୟା ସୁଦ୍ଧା ତିନି ରଥର ୪୨ ଚକ ମଧ୍ୟରୁ ୨୭ଟି ଚକ ନିର୍ମାଣ ଶେଷ ହୋଇଛି । ଅବଶିଷ୍ଟ ୧୫ ଚକ ନିର୍ମାଣ ପାଇଁ ତୁମ୍ବ ଗୁଡିକରେ ଅର ଏବଂ ପହି ସଂଯୋଗ କରାଯାଉଛି । ତିନି ରଥ ପାଇଁ ୪ଟି ଲେଖାଏଁ ୨୦ ଫୁଟିଆ ଚଉତା କାଠର ଚଉପଟ ଶେଷ ହୋଇଛି । ଦୋଳବେଦି ଉପରେ ତାଳଧ୍ୱଜ ରଥର ପୋଲଗୟଳ ଚିରଟ କରାଯାଉଛି । ୧୨ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହାଛଡା ରଥ ସିଂହାସନ, ଜୋଖା, ପ୍ରଭା ଅପସରା ନିର୍ମାଣ କରାଯାଉଛି । ରୂପକାର ସେବକଙ୍କ ଦ୍ୱାରା କୋଣଗୁଜରେ ସିଂହ ବିରାଳ, ନର ବିରାଳ ଏବଂ ହସ୍ତି ବିରାଳ ଆଦି ଖୋଦେଇ କାର୍ଯ୍ୟ ଜାରୀ ରହିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ବିଶ୍ୱକର୍ମା ମହାରଣା ମାନେ ପ୍ରୟାସ ଜାରୀ ରଖିଛନ୍ତି ।
ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ କଂଟା, କବଜା ପ୍ରସ୍ତୁତ କରୁଛନ୍ତି । ଜୁନ୍ ୪ ତାରିଖ ସ୍ନାନ ପୂର୍ଣ୍ଣମୀରେ ପ୍ରତି ରଥର ଚାରିନାହାକା ଉଠିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now