୧୦ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨, ୫୭, ୪୭୪ ଭୋଟର

Spread the love

ବରଗଡ଼: ସୋମବାର ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ। ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ଏହାପୂର୍ବରୁ ସକାଳ ସାଢେ ୫ଟାରେ ମକ୍‌ ପୋଲ୍‌ ହେବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୫୭ହଜାର ୪୭୪ ଭୋଟର ୧୦ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏନେଇ ନିର୍ବାଚନ ମଣ୍ଡଳୀ ଅଧୀନ ପଦ୍ମପୁର ବିଜ୍ଞାପିତ ପରିଷଦ ଅଞ୍ଚଳ(ଏନ୍‌ଏସି)ର ୧୩ ବୁଥ୍‌ (ଭୋଟ୍‌ଗ୍ରହଣ କେନ୍ଦ୍ର) ସମେତ ୩୧୯ ବୁଥ୍‌ରେ ଭୋଟଗ୍ରହଣ କରାଯିବ।

ଭୋଟ ପାଇଁ ପ୍ରସ୍ତୁତ ପଦ୍ମପୁର। ସ୍କୁଲର ନାମ ପରିବର୍ତ୍ତନ ଯୋଗୁ ସେଥି ମଧ୍ୟରୁ ୩୦୬ ବୁଥ୍‌ର ନାମ ପରିବର୍ତ୍ତନ ହୋଇଛି। କିନ୍ତୁ ବୁଥ୍‌ଗୁଡିକର ସ୍ଥାନ(ଲୋକେଶନ) ବଦଳି ନାହିଁ। କେବଳ ବୁଥ୍‌ ନଂ-୨୪୧, ୨୪୩ ଏବଂ ୨୯୫ର ସ୍ଥାନ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ତାହା ପୂର୍ବ ବୁଥ୍‌ ନିକଟରେ ରହିଥିବା ସୂଚନା ଦିଆଯାଇଛି। ସମୁଦାୟ ବୁଥ୍‌ ମଧ୍ୟରୁ ୧୫ ଆଦର୍ଶ ବୁଥ୍‌ ଏବଂ ୬ ପିଙ୍କ୍‌ ବୁଥ୍‌ ରହିଛି।

ସେପଟେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନ ମଣ୍ଡଳୀରେ ୭୯ ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ଫଳରେ ଏହି ବୁଥ୍‌ ସମେତ ୧୨୦ ବୁଥ୍‌ରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା ହୋଇଛି। ୬୬ ବୁଥ୍‌ରେ ସିସିଟିଭି ଲଗାଯାଇଛି। ସେହିପରି ୯୧ ମାଇକ୍ରୋ ଅବଜର୍ଭରଙ୍କୁ ନିୟୋଜିତ କରାଯାଇଛି। ସେମାନେ ସମସ୍ତେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ହୋଇଥିବା ବେଳେ ସାଧାରଣ ପର୍ଯ୍ୟବେକ୍ଷଙ୍କ ତତ୍ତ୍ବାବଧାନରେ ଦାୟିତ୍ୱ ତୁଲାଉଛନ୍ତି।

Leave a Reply

Your email address will not be published. Required fields are marked *