ବାହାନଗା ରେଳ ଦୁର୍ଘଟଣାର ୫୧ ଘଂଟା ପରେ ସମ୍ପୃକ୍ତ ଟ୍ରାକ୍ ରେ ଗଡିଲା ପ୍ରଥମ ଟ୍ରେନ, ଅପ୍ ଓ ଡାଉନ୍ ଲାଇନ୍ ରେ ରେଳ ସେବା ଆରମ୍ଭ

Spread the love

କୋଲକାତା/ଭୁବନେଶ୍ଵର : ଓଡ଼ିଶାର ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ବଡ ଧରଣର ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ସମ୍ପୃକ୍ତ ଟ୍ରାକ୍ ରେ ଗଡିଛି ପ୍ରଥମ ଟ୍ରେନ୍ । ସୋମବାର ସକାଳେ ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ଜାରୀ ହୋଇଥିବା ସୂଚନାରୁ ଏନେଇ ସ୍ପଷ୍ଟ ହୋଇଛି । ରେଲୱେ ପକ୍ଷରୁ କୁହାଯାଇଛି ଯେ, ରବିବାର ରାତି ପ୍ରାୟ ୧୦ଟା ୪୦ ମିନିଟ୍ ସମୟରେ ପ୍ରଥମ ଟ୍ରେନ୍ ଏହି ଟ୍ରାକ୍ ରେ ଗଡିଛି । ଦୁର୍ଘଟଣା ପର ଠାରୁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଦୁର୍ଘଟଣା ପରେ ପ୍ରଥମେ ଏକ ମାଲବାହୀ ଟ୍ରେନ୍ ପରୀକ୍ଷାମୂଳକ ଭାବେ ଏହି ଟ୍ରାକ୍ ରେ ଗଡିଥିଲା । ଏହି ମାଲବାହି ଟ୍ରେନ୍ ଟି ବିଶାଖାପାଟଣାରୁ ରାଉରକେଲା ଯାଇଛି । ଏହି ସମୟର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଟ୍ରେନ୍ ପରୀକ୍ଷାମୂଳକ ଭାବେ ଏହି ଟ୍ରାକ୍ ରେ ଚାଲୁଥିବା ବେଳେ ରେଳମନ୍ତ୍ରୀ ହାତଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜ ଟ୍ଵିଟର ଆକାଉଂଟରେ ଏ ସମ୍ପର୍କିତ ଭିଡ଼ିଓ ପୋଷ୍ଟ କରିଛନ୍ତି । ଟ୍ରାକ୍ ମରାମତି ପରେ ସଫଳତାର ସହିତ ଟ୍ରାକ୍ ରେ ଟ୍ରେନ୍ ଗଡୁଥିବା ସମୟରେ ସେ ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ୍ ସ୍ଲୋଗାନ୍ ଦେବା ସହ ଲୋକଙ୍କୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି । ସେ ଏକ ଟ୍ଵିଟ୍ ରେ ଲେଖିଛନ୍ତି ଯେ, କ୍ଷତିଗ୍ରସ୍ତ ଡାଉନ୍ ଲାଇନ୍ ସମ୍ପୂର୍ଣ୍ଣ ଠିକ୍ ହୋଇଯାଇଛି । ଏହି ଟ୍ରାକ୍ ରେ ପ୍ରଥମ ଟ୍ରେନ୍ ଗଡିଛି । ଏହାର କିଛି ସମୟ ପରେ ଅପ୍ ଲାଇନ୍ ରେ ମଧ୍ୟ ଟ୍ରେନ୍ ଚଳାଚଳ ସ୍ଵାଭାବିକ୍ ହୋଇଥିବା ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ସୋମବାର ସକାଳେ ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ମଧ୍ୟ ବୟାନ୍ ଜାରୀ କରାଯାଇଛି । ଏଥିରେ କୁହାଯାଇଛି ଯେ, ଡାଉନ୍ ଲାଇନ୍ ରେ ପ୍ରଥମ ଟ୍ରେନ୍ ରାତି ୧୦ଟା ୪୦ ରେ ଚାଲିଛି । ସେହିପରି ଅପ୍ ଲାଇନ୍ ରେ ପ୍ରଥମ ଟ୍ରେନ୍ ରାତି ୧୨ଟା ୫ରେ ଚାଲିଛି । ଦୁଇ ରେଳ ଡିଭିଜନ୍ ମଧ୍ୟରେ ସାମାନ୍ୟ ରେଳ ଚଳାଚଳ ଆରମ୍ଭ ହୋଇଛି ।

ସେହିପରି ହାୱଡାରୁ ପୁରୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍ ସୋମବାର ସକାଳେ ବାଲେଶ୍ଵର ଜିଲ୍ଲା ବାହାନଗା ଷ୍ଟେସନ୍ ଦେଇ ଚଳାଚଳ କରିଛି । ରେଳ ଦୁର୍ଘଟଣା ପରଠାରୁ ବନ୍ଦେ ଭାରତ ଏକ୍ସପ୍ରେସ ସମେତ ଅନ୍ୟ ଯାତ୍ରୀବାହୀ ଟ୍ରେନ ବନ୍ଦ ଥିଲା । ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଚାଲିବା ପରେ ସକାଳେ ଯାତ୍ରୀବାହୀ ଟ୍ରେନ୍ ଗଡ଼ିଛି ।

ପ୍ରକାଶ ଥାଉକି, ଟ୍ରେନ୍ ନଂ ୧୨୮୪୧ ଶାଲିମାର -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନଂ ୧୨୮୬୪ ସାର୍ ଏମ.ଭିସଭେଶ୍ଵରାୟ -ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଶୁକ୍ରବାର ସଂନ୍ଧ୍ୟା ପ୍ରାୟ ୬ଟା ୫୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ଥିଲା । ତନ୍ମଧ୍ୟରେ ରହିଥିଲା ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ ।

Leave a Reply

Your email address will not be published. Required fields are marked *