ଛାତ୍ର ସଂସଦ ନିର୍ବାଚନ କରାଇବାକୁ ତେଜୁଛି ଦାବି

Spread the love

ଭୁବନେଶ୍ବର: ଗଲା ୪ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ବାତ୍ୟା ଓ କୋଭିଡ୍ ଆଳରେ ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନକୁ ଏବେ କାହିଁକି କରାଯାଉନି କହି ଅସନ୍ତୋଷ ଓଗାଳିଛନ୍ତି ବିଭିନ୍ନ ଛାତ୍ର ସଂଗଠନ।ଏବେ ସବୁ ସ୍ୱାଭାବିକ ଥିଲା ବେଳେ କାହିଁକି କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରାଯାଉଛି କହି ପ୍ରଶ୍ନ କରିଛନ୍ତି।

ଆସନ୍ତାକାଲିର ନେତୃତ୍ୱର ବାଟ ଓଗାଳୁଛନ୍ତି ସରକାର। ନିଜ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଗଣତାନ୍ତ୍ରିକ ଉପାୟରେ ପ୍ରତିନିଧି ବାଛିବାର ବାଟ ବନ୍ଦ କରିଦିଆଗଲାଣି ୪ ବର୍ଷ ହେଲା। ଛାତ୍ର ସଂସଦ ନିର୍ବାଚନ କରାଯାଉନି। ଆଗ ବାତ୍ୟା ଓ ପରେ କୋଭିଡ୍ ଲାଗି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା। ହେଲେ ଏବେ ତ ସବୁ ସ୍ୱାଭାବିକ। ତା ସତ୍ତ୍ୱେ କାହିଁକି ସରକାର ନୀରବ। ବିରୋଧୀ ଦଳର ମୁହଁ ବନ୍ଦ କରିବାକୁ ସରକାର ଜାଣିଶୁଣି ନିର୍ବାଚନ କରୁନଥିବା ଅଭିଯୋଗ କରି ରାଜ୍ୟପାଳଙ୍କ ପାଖରେ ଫେରାଦ୍ ହୋଇଛି ଛାତ୍ର କଂଗ୍ରେସ। ସେହିଭଳି ବିଜେପି ଯୁବମୋର୍ଚ୍ଚା ବି ସମାନ କଥା ଦୋହରାଇଛି।ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଅପହରଣ କରୁଛନ୍ତି ସରକାର ବୋଲି ଆରୋପ ଲଦିଛି।

କେବଳ କଂଗ୍ରେସ ଓ ବିଜେପି କାହିଁକି। ଏବିଭିପି, ଏଆଇଏସଏଫ ଭଳିଛାତ୍ର ସଂଗଠନ ବି କ୍ୟାମ୍ପସରେ ଇଲେକ୍ସନ ପାଇଁ ଦାବି କରିଛି। ଗଣତନ୍ତ୍ରର ଏନ୍ତୁଡ଼ିଶାଳ ହେଉଛି କଲେଜ। କେତେବେଳେ ଲିଙ୍ଗଡ଼ୋ କମିଶନ ଜରିଆରେ ତ ପୁଣି କେତେବେଳେ ଜାତୀୟ ଶିକ୍ଷା ନୀତି-୨୦୨୦ ବଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଲାଗି ଫନ୍ଦି ହେଉଥିବାର ଅଭିଯୋଗ ବାଢ଼ିଛନ୍ତି ଏ ସବୁ ସଂଗଠନ। ଆଉ ଛାତ୍ର ବିଜେଡି କହିଛି, କ୍ୟାମ୍ପସ ପଲିଟିକ୍ସକୁ କେବେ ବି ସରକାର ରୋକ୍ ଲଗାଇନାହାନ୍ତି। ପ୍ରାକୃତିକ ଦୁର୍ବିପାକ, କୋଭିଡ ଲାଗି ନିର୍ବାଚନ ବନ୍ଦ ଥିଲା।

ଦଶହରା ଆଗରୁ ଛାତ୍ର ସଂସଦ ନିର୍ବାଚନ ସରିଥାଏ। ଏତିକିବେଳକୁ ତ କଲେଜ ଓ ୟୁନିଭରସିଟି କ୍ୟାମ୍ପସ ଦୁଲୁକୁଥାଏ। ପ୍ରଚାର ପାଇଁ ଦିନରାତି ଏକ କରିଦେଇଥାଆନ୍ତି ପ୍ରାର୍ଥୀ ଓ ତାଙ୍କର ସମର୍ଥକ। ହେଲେ ସେପ୍ଟେମ୍ୱର ସରିବାକୁ ବସିଲାଣି। ଛାତ୍ର ସଂସଦ ନିର୍ବାଚନର କୌଣସି ମାହୋଲର ଦେଖା ନାହିଁ।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *