୧୯୯୯ ମହବାତ୍ୟାକୁ ଆଜି ପୂରିଲା ୨୫ ବର୍ଷ। ସେଦିନର କଥା ମନେପଡିଲେ ଆଜି ବି ଲୋକଙ୍କ ଲୋମ ଟାଙ୍କୁରୀ ଯାଏ। ୨୫ ବର୍ଷ ପୂର୍ବେ ଏହି ଦିନରେ ଓଡିଶା ଦେଖିଥିଲା ଏକ ପ୍ରଳୟଙ୍କାରୀ ବାତ୍ୟା ଯାହାଥିଲା ସମସ୍ତଙ୍କ କଳ୍ପନା ବାହାରେ। ଏହି ବାତ୍ୟା ଦିନେ ଧୋଇନେଇଥିଲା ଓଡିଶାର ଶିରୀ। ଏହିଭଳି କିଛି ପରିସ୍ଥିତି ହେବ ବୋଲି ଲୋକେ ଭାବିବା ଆଗରୁ ଆଖି ଆଗରେ ଧୋଇ ହୋଇଯାଇଥିଲା ସମସ୍ତଙ୍କ ଧନ ଜୀବନ। ମହାବାତ୍ୟା ତାଣ୍ଡବରେ କେତେଜଣ ଯେ ନିଜ ବନ୍ଧୁ ପରିଜନଙ୍କୁ ହରାଇଛନ୍ତି ତ କେହି ଘରଦ୍ୱାର ସହ ନିଜ ଲୋକଙ୍କୁ ହରାଇବାର ଦୁଃଖ ଏଯାଏଁ ଛାତିରୁ ଲିଭିନି। ଆଖି ଆଗରେ ସମୁଦ୍ର ଜୁଆର ଭସାଇ ନେଇଥିଲା ହଜାର ହଜାର ପରିବାର। ଆଜି ବି କେହି ମହାବାତ୍ୟାର ସେ କରାଳରୂପକୁ ଭୁଲିପାରିନାହାନ୍ତି। ଖାଲି ଓଡିଶା କାହିଁକି ଭାରତ ଇତିହାସରେ ମଧ୍ୟ ସବୁଠାରୁ ପ୍ରଳୟଙ୍କାରୀ ବାତ୍ୟା ଭାବେ ୧୯୯୯ ମହାବାତ୍ୟା ପରିଚିତ।
ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଜଗତସିଂହପୁର ଜିଲ୍ଲାର ଏରସମାଠାରେ ସ୍ଥଳ ଭାଗ ଛୁଇଁ ଥିଲା। ଘଣ୍ଟାପ୍ରତି ୨୬୦ କି.ମି. ବେଗରେ ପବନ ବହିଥିଲା। ଉଡାଇ ନେଇଥିଲା କାହାର ଘରଦ୍ୱାର ତ ଉପାଡି ଦେଇଥିଲା ବଡ ବଡ ମହାଦ୍ରୁମ। ସମୁଦ୍ର ଜୁଆରରେ ଭାସି ଯାଇଥିଲେ ବନ୍ୟ ଜୀବଜନ୍ତୁଙ୍କ ସହ ଅନେକ ଲୋକ। ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦ହଜାରରୁ ଅଧିକ ପ୍ରାଣ ହରାଇଥିଲେ ବୋଲି ଲୋକ କୁହନ୍ତି। ଜଗତସିଂହପୁର ଜିଲ୍ଲା ସମେତ ଓଡିଶାର ଉପକୂଳ ଜିଲ୍ଲାଗୁଡିକ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ତା ସହ ବାକି ସମସ୍ତ ଜିଲ୍ଲା ମଧ୍ୟ ମହାବାତ୍ୟାର ସମୁଖୀନ୍ନ ହୋଇଥିଲା। ସମୁଦ୍ରରେ ୧୫-୨୦ ଫୁଟ ଉଚ୍ଚତାରେ ଜୁଆର ଉଠିବା ଫଳରେ ସମୁଦ୍ର ପାଣି ମାଡି ଆସିଥିଲା। ସାରା ଓଡିଶା ଜଳମୟ ହୋଇଯାଇଥିଲା।
ଭୌଗଳିକ ଦୃଷ୍ଟିକୋଣରୁ ଓଡିଶା ଓ ବାତ୍ୟାର ସର୍ମ୍ପକ ଖୁବ ନିବିଡ। ସେବେଠୁ ନେଇ ଏବେ ଯାଏଁ ପ୍ରତିବର୍ଷ ଓଡିଶା ବାତ୍ୟାର ସମ୍ମଖୀନ ହେଉଛି।ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ, ତିତିଲ, ଫନି ଓ ଏବେ ଦାନା ଭଳି ବାତ୍ୟାକୁ ସାମ୍ନା କରିଛି ଓଡିଶା। ହେଲେ ମହାବାତ୍ୟାର ଅଭିଜ୍ଞତା ସମସ୍ତଙ୍କୁ ସତର୍କ କରେଇଦେଇଛି। ଏବେ ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସୁଦୃଢ କରିବାରେ ସକ୍ଷମ ହୋଇପାରିଛି ଓଡିଶା।
Naxatra News is now on Whatsapp
Join and get latest news update delivered to you via whatsapp
Join Now