୪୨ ଚକ ପ୍ରସ୍ତୁତ, ୨୧ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ 

Spread the love

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀନଅର ସମ୍ମୁଖ ରଥଖଳାରେ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ, କରତିଆ ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ବୁଧବାର ସଂନ୍ଧ୍ୟା ସୁଦ୍ଧା ତିନି ରଥର ୪୨ ଚକ ପ୍ରସ୍ତୁତ ହୋଇଛି । ସେଥିମଧ୍ୟରୁ ନନ୍ଦିଘୋଷ ରଥ ପାଇଁ ୧୬, ତାଳଧ୍ୱଜ ନିମନ୍ତେ ୧୪ ଏବଂ ଦର୍ପଦଳନ ରଥ ନିମନ୍ତେ ୧୨ ଟି ଚକ ରହିଛି । ଏହାଛଡ଼ା ୨୧ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଗାମୀ ୨୫ ତାରିଖ ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖ ଓ ୪୨ ଚକ ନିର୍ମାଣ ଶେଷ ହେବ ।

ତିନି ରଥର ୧୨ଟି ଲେଖାଏଁ ୨୦ ଫୁଟିଆ ଚଉତା କାଠର ଚଉପଟ କରାଯାଇଛି । ଗୁରୁବାର ସେଥିରେ ବିନ୍ଧ ଅନୁକୂଳ କରାଯାଇଛି । ତିନି ରଥର ମୁଖ୍ୟ ମହାରଣା ସେଥିରେ ସୂତା ବାଡେଇ ଚିହ୍ନ ଦେଇଥିଲେ । ଦୋଳବେଦି ଉପରେ କରତି ସେବକଙ୍କ ଦ୍ୱାରା ପୋଲଗୟଳ କାଠ ଚିରଟ କରାଯାଉଛି । ରୂପକାର ସେବକଙ୍କ ଦ୍ୱାରା କୋଣଗୁଜରେ ସିଂହ ବିରାଳ, ନର ବିରାଳ ଏବଂ ହସ୍ତି ବିରାଳ ଆଦି ଖୋଦେଇ କାର୍ଯ୍ୟ ଜାରୀ ରହିଛି ।    

ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ରଥ ନିର୍ମାଣ ପାଇଁ ବ୍ୟବହୃତ ହେବାକୁ ଥିବା ପନ୍ଦାରୀ, ବଳା, ଚାବି, ଦଣ୍ଡା କଂଟା, ଗୟଳ କଂଟା, ଯୋଖା କଂଟା ଏବଂ କଇଁଚ କଂଟା ପ୍ରସ୍ତୁତି କରୁଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ବିଶ୍ୱକର୍ମା ମହାରଣା ମାନେ ପ୍ରୟାସ ଜାରୀ ରଖିଛନ୍ତି । ଜୁନ୍ ୪ ତାରିଖ ସ୍ନାନ ପୂର୍ଣ୍ଣମୀରେ ପ୍ରତି ରଥର ଚାରିନାହାକା ଉଠିବ । 

  ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।  

Leave a Reply

Your email address will not be published. Required fields are marked *