୫ଟି ମୋ ସ୍କୁଲ୍ ଯୋଜନାରେ ଅଧପନ୍ତରିଆ ବିଦ୍ୟାଳୟ

ଭିତ୍ତି ଭୂମିର ବିକାଶ ପାଇଁ ପୂର୍ବ ସରକାର ୫ଟି  ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଆଜି ବି ଅନେକ ବିଦ୍ୟାଳୟର ରୂପାନ୍ତରଣ କାମ ଅଧପନ୍ତରିଆ ହୋଇ ରହିଥିବା ବେଳେ କେଉଁଠି  ଛାତ୍ରଛାତ୍ରୀମାେନ ବାରଣ୍ଡାରେ ବସି ପଢୁଛନ୍ତି ତ ଆଉ କେଉଁଠି ପିଲାଏ ଶୌଚ ପାଇଁ ଏଣେତେଣେ ଯାଉଛନ୍ତି । ଏଭଳି ଏକ ବିଦ୍ୟାଳୟ ହେଉଛି ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗଜପତି ଜିଲା ଗୋଷାଣୀ ବ୍ଲକର ବି.ସୀତାପୁର ସ୍ଥିତ ଗୋପୀନାଥ ନନ୍ଦ ଉଚ୍ଚ ବିଦ୍ୟାଳୟ । ଏଠାରେ ଶ୍ରେଣୀ କକ୍ଷ ଅଭାବରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢୁଛନ୍ତି  କେବଳ ସେତିକି ନୁହେଁ, ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଖୋଲା ଆକାଶ ତଳେ କରାଯାଉଛି । ଏଭଳି ଦୟନୀୟ ସ୍ଥିତିରେ ପିଲାମାନେ ପଢୁଥିବା ବେଳେ ଏହାର ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଦାବି ପରେ ପୂର୍ବ ସରକାର ଏହି ବିଦ୍ୟାଳୟର ଉନ୍ନତି ପାଇଁ ୫୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ୫ଟି ମାଧ୍ୟମରେ ରୂପାନ୍ତିରତ ହେବାକୁ ଥିବାବିଦ୍ୟାଳୟ କାମ ପାଇଁ ଆସିଥିବା ୫୧ଲକ୍ଷ ଟଙ୍କା ଗୋଷାଣି ବିଡିଓଙ୍କୁ ହସ୍ତାନ୍ତର କରାଯାଇଥିଲା । କାମ ଆରମ୍ଭ ମଧ୍ୟ ହୋଇଥିଲା । ହେଲେ କିଛି ଦିନ କାମ ହେବା ପରେ ବନ୍ଦ ହୋଇଯାଇଥିଲା । ଏହା ଭିତରେ ସରକାର ବଦଳିଛନ୍ତି, କିନ୍ତୁ ସଂପୃକ୍ତ ସ୍କୁଲ ସମସ୍ୟାର ସମାଧାନ ହୋଇପାରିନାହିଁ । ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧୀଙ୍କ ଯାଏଁ ସମସ୍ତଙ୍କ ନିକଟରେ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରି ଏହାର ସମାଧାନ ପାଇଁ ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମଳୁନାହିଁ । ଫଳରେ ପିଲାମାନେ ନାହିଁନଥିବା ଅସୁବିଧା ଭୋଗ କରୁଥିବା କହିଛନ୍ତି ।ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ସ୍କୁଲ ରୂପାନ୍ତରଣ ପାଇଁ ଆସିଥିବା ପାଣ୍ଠି ବିଡିଓଙ୍କୁହସନ୍ତାନ୍ତର କରାଯାଇଛି । କାମ ଆଜି ଯାଏଁ କାହିଁକି ହେଉନାହିଁ ତାହା ସେ ବୁଝିପାରୁନାହାନ୍ତି । ଏପରିକି କାହାକୁ ପଚାରିଲେ ମଧ୍ୟ କେହି କିଛି କହିପାରୁନାହାନ୍ତି ବୋଲି ସେ କହିଛନ୍ତି । ଏନେଇ ଜିଲା ଶିକ୍ଷାଧିକାରୀ କହିଛନ୍ତି ଯେ, ବିଦ୍ୟାଳୟର ସମସ୍ୟା ନେଇ ସେ ଅବଗତ ଅଛନ୍ତି । ସମସ୍ୟାର ସମଧାନ କିଭଳି ହୋଇପାରି ସେ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *