ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଏକ୍ସ୍ରା ହାଇ ଭୋଲଟେଜ୍ ଗ୍ରୀଡ୍ ସବଷ୍ଟେସନ୍ ଲୋକାର୍ପିତ କରିଛନ୍ତି । ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଂଟାବାଡ, କୋରାପୁଟର ବୋରିଗୁମ୍ମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ । ଏହିସବୁ ଗ୍ରୀଡ ସବ୍‌ଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଏହାଦ୍ୱାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ ।

                ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ୱାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ ସରବରାହ ନେଟ୍‌ୱାର୍କ ରହିଛି ଏବଂ ୧୯୩ଟି ଏକ୍ସ୍ରା ହାଇ ଭୋଲଟେଜ୍  ଗ୍ରୀଡ୍ ସବ୍‌ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି । ରାଜ୍ୟର ସହରାଂଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତର ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ନୀତି ଆୟୋଗର ରିପୋର୍ଟକୁ ଭିତିକରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ଏଥିରେ ଗୁଣାତ୍ମକ ବିଦ୍ୟୁତର ଏକ ବଡ ଭୂମିକା ରହିଛି ବୋଲି ସେ ମତ ଦେଇଥିଲେ । ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି । ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ ।

ଏହି ଅବସରରେ ଓଡିଶା ପାୱାର ଜେନେରେସନ କର୍ପୋରେସନ ପକ୍ଷରୁ ୧୦୩.୩୭ କୋଟି ଟଙ୍କା ଏବଂ ଓପିଟିସିଏଲ୍ ପକ୍ଷରୁ ୪୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନ୍ତରୀଣ ଲାଭାଂଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଏହାସହିତ ଓପିଜିସି ପକ୍ଷରୁ ୨ କୋଟି ଓ ଓପିଟିସିଏଲ ପକ୍ଷରୁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିଲା ।

ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଏହାଦ୍ୱାରା ଶିଳ୍ପ, କୃଷି, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ତ୍ୱରାନ୍ୱିତ ହେବା ସହିତ ଲୋକଙ୍କୁ ଗୁଣାତ୍ମକ ବିଜୁଳି ମିଳିପାରିବ । ରାଜ୍ୟରେ ବର୍ତମାନ ସୁଦ୍ଧା ୪୬୩ଟି ଗ୍ରୀଡ ସବ୍‌ଷ୍ଟେସନ ନିର୍ମାଣ କରାଯାଇଥିବା ବେଳେ, ଆଉ ୧୦୦ଟି ନିର୍ମାଣାଧୀନ ଅଛି ବୋଲି ସେ କହିଥିଲେ ।

ଏହି ଅବସରରେ ମେରାମୁଣ୍ଡଳିରେ ଉପବାଚସ୍ପତି ରଜନୀକାନ୍ତ ସିଂହ, କଣ୍ଟାବାଡରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, କୁମାରମୁଣ୍ଡାରେ ଶ୍ରମ ମନ୍ତ୍ରୀ  ସାରଦା ପ୍ରସାଦ ନାୟକ, ବୋରିଗୁମାରେ ସାଂସଦ ରମେଶଚନ୍ଦ୍ର ମାଝୀ, ଲଖନପୁରରେ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ବାମରାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଏବଂ ଭଟଲିରେ ବିଧାୟକ  ସୁଶାନ୍ତ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଏହି ସବ୍‌ଷ୍ଟେସନ ଦ୍ୱାରା ସ୍ଥାନୀୟ ଅଂଚଳରେ ଲୋ-ଭୋଲଟେଜ ସମସ୍ୟା ଦୂର ହେବା ସହିତ ସାଧାରଣ ଲୋକଙ୍କ ଜୀବନଯାପନ ଆହୁରି ସହଜ ହେବ ବୋଲି ସେମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *