ଆଜି ଶ୍ରୀଜୀଉଙ୍କୁ ଲାଗିହେବ ଅଧର ପଣା : ଆସନ୍ତାକାଲି ନିଳାଦ୍ରୀ ବିଜେ

Spread the love

ପୁରୀ : ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଆଜି ସଂନ୍ଧ୍ୟାରେ ଶ୍ରୀକ୍ଷେତ୍ରରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ରହିଥିବା ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧର ପଣା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଧରପଣା ଲାଗି ହେବା ପରେ ରଥର ପାର୍ଶ୍ଵ ଦେବାଦେବୀ ଏବଂ ଅଶରିରୀଙ୍କ ଲାଗି ଏହି ଅଧରପଣା ହାଣ୍ଡିକୁ ରଥ ଉପରେ ଭଙ୍ଗାଯିବ । ନୀତି ନିର୍ଘଂଟ ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବ । ପରେ ରାତି ୮ଟା ସୁଦ୍ଧା ତିନି ରଥରେ ଅଧରପଣା ନୀତି ସମ୍ପନ୍ନ ହେବା ପରେ ୯ଟା ସୁଦ୍ଧା ମହାସ୍ନାନ କରାଯିବ । ରାତି ୧ଟାରେ ବଡସିଂହାର ବେଶ ଏବଂ ରାତି ୨ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପ୍ରତି ରଥ ଉପରେ ପିତଳ ହଣ୍ଡାରେ ପାଣିଆ ଆପଟ୍ଟ ମାନେ ସିଂହଦ୍ଵାରରେ ଥିବା ଛାଉଣି ମଠ ସମ୍ମୁଖ କୂଅରୁ ପାଣି ଆଣି ଭର୍ତି କରିବେ । ସେଥିରେ କ୍ଷୀର, ସର, ଚିନି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, ଅଳେଇଚ ଗୁଣ୍ଡ, କର୍ପୁର ଓ ଜାଇଫଳ ମିଶ୍ରଣ କରି ପଣା ପ୍ରସ୍ତୁତ କରାଯିବ । ସେହି ପଣାକୁ ପ୍ରତି ରଥରେ ରଖାଯାଇଥିବା ତିନୋଟି ଲେଖାଏଁ ଅଧର ଚୁମ୍ବି ତୁମ୍ବାକୃତି ମାଟି ପାତ୍ରରେ ରଖାଯିବ । ପୂଜାପଣ୍ଡା ସେବକ ପଂଚ ଉପଚାରରେ ମନ୍ତ୍ର ଉଚ୍ଚାରଣ କରି ଶ୍ରୀଜୀଉଙ୍କୁ ପଣା ଭୋଗ ଅର୍ପଣ କରିବେ । ଭୋଗ ପରେ ରଥରେ ଥିବା ପାର୍ଶ୍ଵ ଦେବାଦେବୀ, ଚଣ୍ଡୀଚାମୁଣ୍ଡା, ଅଶରୀରୀ, ଭୂତ, ପ୍ରେତ, ପିଶାଚ ମାନଙ୍କ ଉଦ୍ଦେଶ୍ୟରେ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯିବ । ରାଘବ ଦାସ ମଠ, ବଡ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ଏହି ପଣା ପ୍ରସ୍ତୁତ କରାଯିବ । ଆସନ୍ତାକାଲି ନିଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧାମୂର୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉମାନଙ୍କ ସୁନା ବେଶ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *