ଓଡ଼ିଶାକୁ ୪ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ କୃଷିମନ୍ତ୍ରୀଙ୍କ ଦାବି

Spread the love

ଭୁବନେଶ୍ୱର : ରାଜ୍ୟର ଚାଷୀମାନେ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି । ରାଜ୍ୟରେ ‘ନାନୋ’ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଯାଇଛି । ଚାଷୀମାନେ ପାରମ୍ପରିକ ୟୁରିଆ ସାର ବ୍ୟବହାରକୁ ପସନ୍ଦ କରୁଥିବାରୁ ବର୍ତମାନ ପରିପ୍ରେକ୍ଷୀରେ ୟୁରିଆ ସାର ବ୍ୟବହାର କମ୍ କରିବା ଦ୍ୱାରା କୃଷି ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷ ପରି ୪ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଭିଡ଼ିଓ କନ୍ଫରେନ୍ସ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମଣ୍ଡାଭିୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ସ୍ୱାଇଁ କହିଲେ ଯେ, ସାର ଉଚିତ ପରିମାଣରେ ଉପଲବ୍ଧ ନହେଲେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାର ସମ୍ଭାବନା ରହିଛି । ଏଥି ସହିତ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରାସାୟନିକ ସାରର ବ୍ୟବହାର କମ୍ ହେଉଥିବା ପରିପ୍ରେକ୍ଷୀରେ ‘ପିଏମ୍-ପ୍ରଣାମ’ ଯୋଜନାରେ ସଞ୍ଚୟ ହେବାକୁ ଥିବା ଅର୍ଥରୁ ସହାୟତା ରାଶିର ସର୍ବୋଚ୍ଚ ପରିମାଣ ୫୦ ପ୍ରତିଶତ ନିୟମକୁ ରାଜ୍ୟ ନିମନ୍ତେ କୋହଳ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ରାଜ୍ୟରେ ମୋଟ ୭୦ ପ୍ରତିଶତ ଚାଷ ଜମିରେ ଅମ୍ଳ ଏବଂ ୬ ପ୍ରତିଶତ ଚାଷଜମିରେ ଲବଣାଂଶ ଅଧିକ ରହୁଥିବା ଦୃଷ୍ଟିରୁ ମୃତିକା ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଅଧିକ ପରିମାଣର କେନ୍ଦ୍ର ସହାୟତା ଯୋଗାଇଦେବା ଆବଶ୍ୟକ । ପର୍ଯ୍ୟାୟ କ୍ରମେ ‘ନାନୋ’ ୟୁରିଆ ବ୍ୟବହାର ସମ୍ପର୍କରେ ଓଡ଼ିଶାର ଚାଷୀମାନଙ୍କୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ପୂର୍ବ ବର୍ଷ ପରି ଚଳିତ ଋତୁରେ ୪ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇଦେବା ସହିତ ୭୫ ହଜାର ମେଟ୍ରିକ୍ ଟନ ଏମ୍ଓପି ସାର ଯୋଗାଇଦେବାକୁ ମନ୍ତ୍ରୀ ସ୍ୱାଇଁ ଅନୁରୋଧ କରିଛି । ସଂପ୍ରତି ରାଜ୍ୟରେ ପ୍ରାୟ ୩୯ ହଜାର ମେଟ୍ରିକ୍ ଟନ୍ ଏମ୍ଓପି ସାର ନିଅଣ୍ଟ ରହିଛି ବୋଲି ମନ୍ତ୍ରୀ ସ୍ୱାଇଁ ବୈଠକରେ ପ୍ରକାଶ କରିଥିଲେ ।

ବୈଠକରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀଙ୍କ ସମେତ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *