ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ କଇଁଛଙ୍କ ଗଭୀର ସମୁଦ୍ରରେ ମିଳନ କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ବନବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଋଷିକୂଲ୍ୟା ମୁହାଣରୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଦୂରତାକୁ ନୋ ଫିସିଙ୍ଗ ଜୋନ କରାଯାଇଛି ।
ଋଷିକୂଲ୍ୟା ମୁହାଣରେ ଆରମ୍ଭ ହୋଇଛି ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା । ଚଳିତ ମାସ ପ୍ରାରମ୍ଭରୁ କଇଁଛଙ୍କ ମିଳନ ଆରମ୍ଭ ହୋଇଛି । ମିଳନ ଶେଷ ହେବା ପରେ ଲକ୍ଷାଧିକ ସଂଖ୍ୟାରେ କଇଁଛ ଋଷିକୂଲ୍ୟା ମୁହାଣକୁ ଆସି ଗଣଅଣ୍ଡାଦାନ କରିବେ । ଏହାର କିଛି ମାସ ପରେ ସେହି ଅଣ୍ଡାରୁ କଇଁଛ ଶାବକ ବାହାରି ସମୁଦ୍ରକୁ ଯିବେ । କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହେବାନେଇ ସୂଚନା ପାଇବା ପରେ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ସହ ବନ କର୍ମଚାରୀ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବୀଙ୍କୁ ନେଇ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ବନବିଭାଗ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଛି । କଇଁଛଙ୍କ ଏହି ପ୍ରକ୍ରିୟା କିଭଳି ସୁରକ୍ଷିତ ଭାବେ ହେବ ସେ ନେଇ ବନବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କ ନିମନ୍ତେ କଟକଣା ଜାରୀ କରାଯାଇଛି । ଆର୍ଯ୍ୟପଲ୍ଲୀରୁ ପ୍ରୟାଗୀ ପର୍ଯ୍ୟନ୍ତ ଋଷିକୂଲ୍ୟା ମୁହାଣରୁ ସମୁଦ୍ରର ୨୦ କିଲୋମିଟର ଯାଏଁ ସ୍ଥାନକୁ ନୋ ଫିସିଂ ଜୋନ ଘୋଷଣା କରାଯାଇଛି । ଏହି କଟକଣା ଆସନ୍ତା ମେ ମାସ ଶେଷ ପର୍ଯ୍ୟନ୍ତ ଜାରୀ ରହିବ । ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଡ଼ିଏଫଓ ।
ଏହି ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଦିଗରେ କେବଳ ବନବିଭାଗ ହିଁ କାମ କରୁନି ବରଂ ସ୍ଥାନୀୟ ବାସିନ୍ଦା, ମତ୍ସ୍ୟଜୀବୀ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ କାମ କରୁଛନ୍ତି । କଇଁଛଙ୍କ ଆଗମନ ପୂର୍ବରୁ ଋଷିକୂଲ୍ୟା ମୁହାଣକୁ ସଫା ରଖିବା ପାଇଁ ନିୟମିତ ଭାବେ ସଫେଇ କରାଯାଉଛି । ଏହାସହିତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କଇଁଛଙ୍କ ସୁରକ୍ଷା ନେଇ ସଚେତନ ମଧ୍ୟ କରାଯାଉଛି । ଗତ ବର୍ଷ ରୋକର୍ଡ଼ ସଂଖ୍ୟକ ୫ ଲକ୍ଷ ୫୦ ହଜାର କଇଁଛ ଋଷିକୂଲ୍ୟା ମୁହାଣକୁ ଆସି ଗଣଅଣ୍ଡାଦାନ କରିଥିଲେ।
୨୦୧୧ ରୁ ୨୦୨୧ ମସିହା ମଧ୍ୟରେ ୨୦୧୭-୧୮ ମସିହାରେ ୪ ଲକ୍ଷ ୨୮ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିଲେ । ଏହାପରେ ୨୦୨୧-୨୨ ମସିହାରେ ୫ ଲକ୍ଷ ୫୦ ହଜାରରୁ ଅଧିକ କଇଁଛ ଋଷିକୂଳ୍ୟା ମୁହାଣରେ ଗଣଅଣ୍ଡାଦାନ କରିଥିଲେ । ସେହିଭଳି ପୁଣି ଥରେ ଚଳିତ ବର୍ଷ ମଧ୍ୟ ସବୁ ରେକର୍ଡ଼କୁ ଭାଙ୍ଗି ଅଧିକ ପରିମାଣରେ କଇଁଛ ଆସି ଋଷିକୂଲ୍ୟା ମୁହାଣରେ ଗଣଅଣ୍ଡାଦାନ କରିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।
ଇତିଶ୍ରୀ ସମାପିକା ମହାନ୍ତି ଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now