ଶ୍ରୀମନ୍ଦିରରୁ ମହାପ୍ରଭୂଙ୍କ ମୋଦକ ଚୋରି କଲା କିଏ। ମୋଦକ ଚୋରୀ ପଛରେ କିଏ। ଶ୍ରୀମନ୍ଦିର ଗାରଦ ଘରୁ ମୋଦକ କୁଆଡ଼େ ଗଲା। ଶ୍ରୀଜିଉଙ୍କୁ ଲାଗି ହେବା ଆଗରୁ କିଏ ଚୋରୀ କଲା। କେଉଁ ପରିସ୍ଥିତିରେ ମାରା ମୋଦକ ମହାପ୍ରଭୂଙ୍କୁ ଲାଗିଲା। ରାଜବୈଦ୍ୟ ଆଣିଥିବା ୩୧୩ଟି ଅମୁଣିଆ ମୋଦକରୁ ୭୦ଟି ଗଲା କୁଆଡ଼େ। ମଣିମାଙ୍କ ମୋଦକ ଚୋରୀ ବାବଦରେ ବଡ ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିବା ପରେ ସବୁଠି ହଇଚଇ ଖେଳିଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି, ଏହାର ତଦନ୍ତ ହୋଇଛି। ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଅଭିଯୋଗରେ ସତ୍ୟତା ନାହିଁ। ମୋଦକଗୁଡ଼ିକୁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କି କର୍ମଚାରୀ ଗାରଦରେ ଛୁଅନ୍ତିନି। ଟିପାଖାତାରେ ହିସାବ ରହିଛି। ଏହାକୁ ଗମ୍ଭୀରତାର ସହ ଅନୁଧ୍ୟାନ କରାଯିବ। ସିସିଟିଭି ଫୁଟେଜ୍ ବି ଅନୁଧ୍ୟାନ ହେବ। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ମଣିମାଙ୍କ ମୋଦକ ଚୋରୀକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ବି ତେଜିଛି। ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯଦି ମୋଦକ ଚୋରୀ ହୋଇଗଲା, ତେବେ ଠାକୁର ସୁସ୍ଥ ହେବେ କେମିତି। ରଥାରୁଢ଼ ହୋଇ ଦର୍ଶନ କେମିତି ଦେବେ। ଜଣେ ଅନୁଭବୀ ଓ ବରିଷ୍ଠ ପ୍ରଶାସକ ଥାଉ ଥାଉ ମୋଦକ ହଜିଲା କେମିତି। ତୃଟିଶୂନ୍ୟ ରଥଯାତ୍ରା ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଆରମ୍ଭରୁ ତୃଟି ଦେଖାଦେଲାଣି। ଭକ୍ତଙ୍କ ଭିତରେ ଥିବା ବ୍ୟଥା ଓ ସନ୍ଦେହକୁ ଦୂର କରନ୍ତୁ ସରକାର। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାରେ ମୋହନ ସରକାର ଫେଲ୍। ମହାପ୍ରଭୂଙ୍କ ମୋଦକ ଚୋରି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶ୍ରୀମନ୍ଦିରର ଚାରି ଦୁଆର ଖୋଲି ବାହାବା ନେଉଥିବା ସରକାର ମୋଦକକୁ ସୁରକ୍ଷା ଦେଇନପାରି କେତେ ଢିଲା, ଜଣାପଡ଼ୁଛି। ଆଇନ ମନ୍ତ୍ରୀ କହିଛନ୍ତି, କିଛି ଲୋକ ବାହାଦୁରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ମୋଦକ ଚୋରି ହୋଇନି। ମୋଦକ କେବେ ଗଣତି ବି ହୁଏନା। ଏଭଳି ବିଭ୍ରାନ୍ତ ସୃଷ୍ଟିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ମୋଦକ ଚୋରୀ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ଇସ୍ତଫା ଦାବି କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ମଣିମାଙ୍କ ମୋଦକ ଯଦି ଚୋରୀ ହୋଇନି। ତେବେ ନିଆଁ ନଥାଇ ଧୂଆଁ କରୁଛି କିଏ। କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ବାସ୍ତବରେ ଖେଳୁଛି କିଏ।

Naxatra News is now on Whatsapp
Join and get latest news update delivered to you via whatsapp
Join Now