ଶ୍ରୀ ଅଲାରନାଥଙ୍କ ଅଣସର ବେଶ ଦର୍ଶନ ଆରମ୍ଭ

Spread the love

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ପୀଠରେ ଆଜି ଠାରୁ ଶ୍ରୀ ଅଲାରନାଥଙ୍କ ଅଣସର ବେଶ ଦର୍ଶନ ଆରମ୍ଭ ହୋଇଛି । ୧୪ ଦିନ ଧରି ଚାଲିବ ଅଲାରନାଥଙ୍କ ଅଣସର ଦର୍ଶନ । ଅଣସର ସମୟରେ ଭକ୍ତ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ବିଶ୍ଵାସ ରହିଛି, ବର୍ଷକ ଯାକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଭକ୍ତଙ୍କୁ ଯେତିକି ପୂର୍ଣ୍ଣ୍ୟ ଫଳ ମିଳିଥାଏ । ଅନ୍ନବସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୂର୍ଣ୍ଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଅନ୍ନବସର ସମୟରେ ଶ୍ରୀ ଅଲାରନାଥଙ୍କ ପ୍ରତିଦିନ ବିଭିନ୍ନ ଅଣସର ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀ ଅଲାରନାଥଙ୍କ ପ୍ରିୟ ଭୋଗ ମଧ୍ୟରେ କ୍ଷିରୀ ଅନ୍ୟତମ । ଆଜି ପ୍ରଥମ ଦିନରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଭୋର୍ ୪ଟାରେ ମନ୍ଦିର ଦ୍ଵାରଫିଟା, ପରେ ମଙ୍ଗଳଆଳତୀ, ତଡ଼ପଲାଗି, ଅବକାଶ, ସକାଳ ୬ଟାରେ ବଲ୍ଲଭ ଧୂପ ସରିଛି । ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ଼, ବ୍ରହ୍ମଗିରି ଥାନା ଓ ବ୍ଲକ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ନିମନ୍ତେ ପିଇବା ପାଣି, ଗାଡି ପାର୍କିଂ ବ୍ୟବସ୍ଥା ଓ ଛାୟା ପାଇଁ ଛାମୁଣ୍ଡିଆ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଶ୍ରୀ ଅଲାରନାଥଙ୍କ ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯାଇଛି ।

ସତ୍ୟ ଯୁଗରେ ବ୍ରହ୍ମା ଏହି ସ୍ଥାନରେ ଧ୍ୟାନ କରିଥିବାରୁ ଏହାର ନାମ ବ୍ରହ୍ମଗିରି ହୋଇଛି । ଦକ୍ଷିଣ ଭାରତୀୟ ଆଲବର ଭକ୍ତ ମାନେ ଏହି ସ୍ଥାନରେ ବିଷ୍ଣୁ ପୂଜା କରୁଥିବାରୁ ଶ୍ରୀ ଅଲାରନାଥଙ୍କ ନାମ ପୂର୍ବରୁ ଅଲବରନାଥ ରହିଥିବା କୁହାଯାଉଛି । ଶ୍ରୀ ଚୈତନ୍ୟ ଅଣସର ସମୟରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନପାଇ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ସହ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଯାହାର ନିଦର୍ଶନ ସ୍ଵରୂପ ଏଠାରେ ଏହି ପ୍ରଣିପାତ ପଥର ଏବେ ପୂଜା ପାଉଛି । ଏହାସହ ଚୈତନ୍ୟ ମନ୍ଦିର ରହିଥିବାରୁ ଆନ୍ତର୍ଜାତିକ କୃଷ୍ଣପ୍ରେମୀ ମାନେ ଏହି ମନ୍ଦିରକୁ ଆସୁଥିବା ଦେଖାଯାଇଛି । ଶ୍ରୀ ଅଲାରନାଥଙ୍କ ଏହି ଅଣସର ବେଶ ଦର୍ଶନ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚାଲୁ ରହିବ ।

Leave a Reply

Your email address will not be published. Required fields are marked *