ଆପାର୍ଟମେଣ୍ଟ କିଣୁଛନ୍ତି କି ସାବଧାନ। ବିନା ଅଧିଗ୍ରହଣ ପ୍ରମାଣପତ୍ର ବା ଓସିରେ ରୁହନ୍ତୁନି। ତା ନହେଲେ କେବଳ ଭୋଗ ଦଖଲ କରିପାରିବେ ସିନା। କିନ୍ତୁ ଅଧିକାର ସାବ୍ୟସ୍ତ କରିପାରିବେନି। ବ୍ୟାଙ୍କଗୁଡ଼ିକ ବି କେବଳ ଓସି ଥିବା ନିର୍ମାଣକୁ ସିକ୍ୟୁରିଟି ରଖି ଋଣ ମଞ୍ଜୁରୀ ଦେବେ। ବିଲଡର କ୍ରେତାଙ୍କୁ ଓସି ବା ଅକ୍ୟୁପାନ୍ସି ସାର୍ଟିଫିକେଟ ଦେବା ପରେ ହିଁ ବିଦ୍ୟୁତ, ପାଣି ଓ ସ୍ୱେରେଜ୍ ସଂଯୋଗ ଦିଆଯିବ। ଯଦି ଓସି ଦେବା ପରେ ବି ଏ ସବୁ ମୌଳିକ ଭିତ୍ତିଭୂମି ଦେବାରେ ଉଲ୍ଲଂଘନ ହୋଇଥିବ, ତାହେଲେ ସଂପୃକ୍ତ ବିଲଡର ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ହେବ। ବିଲଡିଂ ପ୍ଲାନ୍ ମଞ୍ଜୁରୀ ବେଳେ ଅଣ୍ଡରଟେକିଂ ଦେବେ ବିଲଡର। ଫ୍ଲାଟ କ୍ରେତା ବା ହିତାଧିକାରୀଙ୍କୁ ଓସି ବା ସମ୍ପୂର୍ଣ୍ଣ ନିର୍ମାଣ ପ୍ରମାଣପତ୍ର ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠୁ ହାତେଇବା ପରେ ହିଁ ଫ୍ଲାଟ୍ ଦଖଲ ଦିଆଯିବ। କିଛି ମାସ ପୂର୍ବରୁ ସର୍ବୋଚ୍ଚ ଅଦାଲତ ଓସି ପାଇବାକୁ ମାର୍ଗଦର୍ଶିକା ଜାରି କରିଥିଲେ। ଆଉ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସର୍କୁଲାର ଜାରି କରିବାକୁ ନିର୍ଦେଶ ବି ଦେଇଥିଲେ। କିନ୍ତୁ ଓଡ଼ିଶା ସରାକର କୌଣସି ସର୍କୁଲାର ଜାରି କଲେନି। ଏହାକୁ ନେଇ ସୁପ୍ରିମକୋର୍ଟରେ ଅବମାନନା ମାମଲା ଫାଇଲ୍ କରିଥିଲେ ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ। ଆଉ ଓଡ଼ିଶା ସରକାରଙ୍କୁ ଏ ସନ୍ଦର୍ଭରେ ୨ ସପ୍ତାହ ଭିତରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତୁ ନଜର ପକାଇଦେବା। ସୁପ୍ରିମକୋର୍ଟ କଅଣ ମାର୍ଗଦର୍ଶିକା ଜାରି କରିଥିଲେ। ବିଲଡରଙ୍କୁ ଲିଖିତ ପ୍ରତିଶୃତି ଦେବାକୁ ପଡ଼ିବ ଯେ, ଓସି ବିନା କୌଣସି ଅଧିଗ୍ରହଣ ନୁହେଁ। ନିର୍ମାଣସ୍ଥଳରେ ଅନୁମୋଦିତ ପ୍ଲାନ୍ ପ୍ରଦର୍ଶନ କରିବାକୁ ହେବ। ନିର୍ମାଣର ସମାପ୍ତି ଓ ଅଧିଗ୍ରହଣର ପ୍ରମାଣପତ୍ର କେବଳ ଗ୍ରାଉଣ୍ଡ ଭିଜିଟ୍ ପରେ ହିଁ ପ୍ରାଧିକରଣ ଜାରି କରିବେ। କୌଣସି ବିଚ୍ୟୁତି ଦେଖାଗଲେ, ସଂଶୋଧନ ନ ହେବା ଯାଏ ପ୍ରମାଣପତ୍ର ସ୍ଥଗିତ ରହିବ। କୌଣସି ଅନଧିକୃତ ନିର୍ମାଣରେ ବେପାର ଲାଇସେନ୍ସ, ବ୍ୟବସାୟ ଓ ବାଣିଜ୍ୟ ଲାଗି ଅନୁମତି ଦିଆଯିବନି। ବିନା ବୈଧ ଓସିରେ କୌଣସି ଆପାର୍ଟମେଣ୍ଟର ନିର୍ମାଣ ବେଆଇନ ଅଟେ ଓ ଏହାକୁ ଡିମୋଲିସ୍ କରାଯାଇପାରିବ ବୋଲି ଆଗରୁ ବି ସର୍ବୋଚ୍ଚ ଅଦାଲତ କହିଥିଲେ। ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏହାର ସମାଧାନ ଲାଗି ବିଚାରବିମର୍ଶ ଜାରି ରଖିଛନ୍ତି। କିନ୍ତୁ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହାନ୍ତି। ଓସିର ଅର୍ଥ ଏହା ବିଲଡିଂର ନିରାପତ୍ତା, ସମସ୍ତ ଆଇନଗତ ବୈଧତା ସମେତ ଦଖଲ ନେବାର ଅଧିକାରକୁ ମୋହର ମାରିଥାଏ। ବିନା ଓସିରେ ଆପାର୍ଟମେଣ୍ଟ ଓନର୍ସ ତାଙ୍କ ସମ୍ପତ୍ତିକୁ ବୈଧ ବୋଲି ପ୍ରମାଣିତ କରିବାକୁ ହରଡ଼ଘଣାରେ ପଡ଼ିଥାଆନ୍ତି। ବିନା ଓସିରେ ଆପାର୍ଟମେଣ୍ଟରେ ରହୁଥିବା ଲୋକେ କେମିତି ହନ୍ତସନ୍ତ ହୁଅନ୍ତି, ଏହାର ଅନେକ ନଜିର ରହିଛି। ସେଥିଲାଗି କ୍ରେତାଙ୍କୁ କେମିତି ବିଲଡର ନାନା ପ୍ରଲୋଭନରେ ପାଲରେ ପକାଇପାରିବେନି। କ୍ରେତା ଅନ୍ଧ ଭାବେ ଆପାର୍ଟମେଣ୍ଟ କିଣି ଫସନ୍ତୁନି। ସେଥିଲାଗି ସ୍ପଷ୍ଟତା ଆଣିବା ସକାଶେ ସର୍ବୋଚ୍ଚ ଅଦାଲତ ଜୋର୍ ଦେଉଥିଲା ବେଳେ ରାଜ୍ୟ ସରକାର କାହିଁକି ଏ ଦିଗରେ ସ୍ପଷ୍ଟତା ଆଣିବେନି। ତାକୁ ନେଇ ପ୍ରଶ୍ନ ଉଠୁଛି। ବିନା ଓସିରେ ନା ମାଲିକାନା ସତ୍ତ୍ୱ ଜାହିର କରିହେଉଛି ନା ରି-ସେଲ୍ କରିହେଉଛି। ରେଜିଷ୍ଟ୍ରେସନ ଓ ଟ୍ରାନ୍ସଆକ୍ସନ ସମସ୍ୟାର ସମ୍ମୁଖୀନ ହୁଅନ୍ତି କ୍ରେତା।
Naxatra News is now on Whatsapp
Join and get latest news update delivered to you via whatsapp
Join Now