ନାହିଁ ନାହିଁରେ ଚାଲିଛି ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

Spread the love

ସାଲେପୁର : ନିଶ୍ଚିନ୍ତାକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାହାକି ବ୍ରିଟିଶ ଅମଳର ଡାକ୍ତରଖାନା । ଏହି ଡାକ୍ତରଖାନାଟିକୁ ଓଡିଆ ଭାଷା ସାହିତ୍ୟ ଆନ୍ଦୋଳନର କର୍ଣ୍ଣଧାର ତଥା ପ୍ରଥମ ଓଡିଆ ଖବରକାଗଜ ଉତ୍କଳ ଦୀପିକାର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟ ପ୍ରତିଷ୍ଠା କରିଥିଲେ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ହେବେ ବୋଲି ମହତ୍ ଚିନ୍ତାଧାରାରେ ଗଢି ଉଠିଥିଲା ଏହି ଡାକ୍ତରଖାନାଟି । ଏହି ଡାକ୍ତରଖାନାଟି ଗଢା ହେବାର ଶହେ ବର୍ଷରୁ ଅଧିକ ବର୍ଷ ହୋଇଗଲା । ଏହା କଟକ ଜିଲ୍ଲାର ସର୍ବ ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ଅଟେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କଟକ ଜିଲ୍ଲା ସମେତ କେନ୍ଦ୍ରାପଡା ଜିଲ୍ଲାର ପଚାଶ ହଜାରୁ ଅଧିକ ଜନସାଧାରଣ ନିର୍ଭର କରିଥାନ୍ତି । ସବୁଠାରୁ ଦୁଃଖ ଘଟଣା ଏବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ ନାହିଁରେ ଚାଲିଛି । ଅସୁରେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ବର୍ଷ ହେବ ମେଡିସିନ ଡାକ୍ତର ନାହାଁନ୍ତି । ଜଣେ ଆୟୁଷ ଡାକ୍ତର କେବଳ ସାହା ଭରସା । ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ବର୍ହି ବିଭାଗ ଗୃହ ଦୀର୍ଘ ଦୁଇ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡିରହିଛି । ଯାହାଫଳରେ ଅନ୍ୟ ଗୋଟିଏ ଗୃହରେ ଡାକ୍ତରଖାନା ଚାଲିଛି । ଯେଉଁଠି ଡାକ୍ତର ଦେଖୁଛନ୍ତି ସେଠାରେ ଔଷଧ ମଧ୍ୟ ଦିଆଯାଉଛି । ନା ଅଛି ରୋଗୀ ଶୋଇବା ପାଇଁ ଶଯ୍ୟା, ନା ଅଛି ଦୁର୍ଘଟଣାଜନିତ ଚିକିତ୍ସା ପାଇଁ ଆନୁସଙ୍ଗିକ ଉପକରଣ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ କର୍ମଚାରୀଙ୍କ ଅଭାବ ରହିଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଚେରୀ ନଥିବାରୁ ଦିନରେ ଅବାଧରେ ଗାଈ, ଗୋରୁ, ଛେଳି ମେଣ୍ଢାଙ୍କ ରାଜ୍ ଚାଲିଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏହାଛଡା ଅସୁରେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଏକ ଗୃହରେ ମଧ୍ୟ ଚାଲୁଛି । ଯେଉଁଠାରେ ମଣିଷଙ୍କ ସହିତ ଗାଈଗୋରୁମାନେ ମଧ୍ୟ ଏକସଙ୍ଗରେ ଚିକିତ୍ସିତ ହେଉଛନ୍ତି । ପ୍ରାଣୀ ଚିକିତ୍ସାଳୟ ଗୃହ ଅସୁରେଶ୍ୱର ସେବା ସମବାୟ ସମିତି ନିକଟରେ ନିର୍ମିତ ହୋଇ ପଡିଥିଲେ ମଧ୍ୟ କ’ଣ ପାଇଁ ଏହିଠାରେ ପ୍ରାଣୀ ଚିକିତ୍ସାଳୟ ଚାଲିଛି ତାହା ବୁଝାପଡୁନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ସହିତ କର୍ମଚାରୀ, ଡାକ୍ତର ଓ ଅନୁସଙ୍ଗୀକ ଜିନିଷପତ୍ର ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *