ବାହାନଗା ରେଳ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି : ଘଟଣାର ଉଚ୍ଚସ୍ତରିୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

Spread the love

ଭୁବନେଶ୍ଵର/ବାଲେଶ୍ଵର : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୮୦୦ ରୁ ଅଧିକ ରହିଥିବା ସୂଚନା ମିଳିଛି । ଆହତ ମାନଙ୍କୁ ବାଲେଶ୍ଵର ଓ ଭଦ୍ରକର ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏହାପରେ କ୍ରେନ୍ ଦ୍ଵାରା ଦୁର୍ଘଟଣାଗ୍ରସ୍ତ ବଗିଗୁଡିକୁ ଟ୍ରାକ୍ କୁ ଅଣାଯିବାର କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଏହି ରୁଟ୍ ରେ ଯିବାକୁ ଥିବା ୩୩ଟି ଟ୍ରେନ୍ କୁ ବାତିଲ୍ କରାଯାଇଛି । ସେହିପରି କେତୋଟି ଟ୍ରେନ୍ ର ଗତିପଥ ପରିବର୍ତନ କରାଯାଇଛି ।

ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପରେ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଂଚିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାରେ ବହୁ ସଂଖ୍ୟାରେ ପଶ୍ଚିମବଙ୍ଗର ଯାତ୍ରୀ ମୃତାହତ ହୋଇଥିବାରୁ ଆହତ ମାନଙ୍କର ଚିକିତ୍ସା କିପରି ଚାଲିଛି, ସେମାନଙ୍କର ସ୍ଵାସ୍ଥ୍ୟାବସ୍ଥା କିପରି ରହିଛି, ସେନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଛନ୍ତି ମମତା ବାନାର୍ଜୀ ।

ହାୱଡାରୁ ଚେନ୍ନାଇ ଅଭିମୁଖେ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଗତକାଲି ସଂନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ଅତିକ୍ରମ କରୁଥିବା ସମୟରେ କୌଣସି କାରଣରୁ ଏହା ଲାଇନଚ୍ୟୁତ ହୋଇ ପାଖରେ ଅନ୍ୟ ଲାଇନରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା । ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୃତଗତିରେ ପାସ୍ କରୁଥିଲା । ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଯାଉଥିବା ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ରହିଛି । ଏଥିରେ କରମଣ୍ଡଳ ଏକ୍ସପ୍ରେସର ୧୫ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ତନ୍ମଧ୍ୟରୁ ୭ଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପକ୍ଷରେ ଘଟଣାର ଉଚ୍ଚସ୍ତରିୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । କେଉଁ କାରଣରୁ ଟ୍ରେନ୍ ଲାଇନଚ୍ୟୁତ ହେଲା ତାହାର କାରଣ ଖୋଜିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହୟତା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *