ବଳଙ୍ଗା ପୀଡ଼ିତାକୁ ନ୍ୟାୟ- ରହସ୍ୟରେ ରହିଗଲା ଟ୍ରାଜେଡି

ବଳଙ୍ଗା ପୀଡ଼ିତାଙ୍କୁ ଅଶ୍ରୁଳ ବିଦାୟ। ଶୋକାକୂଳ ପରିବେଶରେ ଅନ୍ତିମ ବିଦାୟ ଦିଆଯାଇଛି। ଝିଅକୁ ହରାଇ ପରିବାର ଲୋକେ ଛାତି ପିଟି କାନ୍ଦୁଥିବା ବେଳେ ସମ୍ପୂର୍ଣ୍ଣ ଗାଁ ସ୍ତବ୍ଧ ହୋଇଯାଇଛି। ଇସଲାମ ଧର୍ମ ଅନୁସାରେ ଜନାଜା ନମାଜ ପାଠ ପରେ କବରରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ପୀଡ଼ିତାଙ୍କ ଶେଷକୃତ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ୍ ହୋଇଥିଲେ। ପ୍ରଭାତି କହିଛନ୍ତି, ଝିଅଟିକୁ ବଞ୍ଚାଇବା ଲାଗି ସବୁପ୍ରକାର ଉଦ୍ୟମ ହୋଇଥିଲା। ଚିକିତ୍ସା ପାଇଁ ସରକାର ସବୁ ବ୍ୟବସ୍ଥା କରିଥିଲେ। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଅଛନ୍ତି। ଶେଷ ଯାଏଁ ପୁଲିସ ଉପରେ ଭରସା ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ପ୍ରଭାତୀ। ଯାହା ସତ ପଦାକୁ ଆସିବ। ଶନିବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଥିଲେ ବଳଙ୍ଗା ପୀଡ଼ିତା। ମୃତଦେହ ବିଳମ୍ୱିତ ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା। ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୈତୃକ ଗାଁ ବାୟାବରକୁ ନିଆଯାଇଥିଲା। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କିନ୍ତୁ ଏବେ ବି ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି, ପୀଡ଼ିତା କେମିତି ମଲେ। କିଏ ନିଆଁ ଲଗାଇଲା। ଯଦି କେହି ଲଗାଇନାହାନ୍ତି, ଏମିତି ଅବସ୍ଥା ଲାଗି କେହି ନା କେହି ତ ଦାୟୀ। ସେପଟେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଯୁବ କଂଗ୍ରେସ। ପୁଲିସର ପାରିଲାପଣିଆକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ। ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କୁ ନ୍ୟାୟ ଦେଇପାରିଲେନି। ବିରୋଧୀ ଦଳ। କେମିତି ଏତେ ବଡ଼ ଘଟଣାରେ କେହି ଅଭିଯୁକ୍ତ ଧରାପଡିଲେନି। ଆରମ୍ଭରୁ ତାହେଲେ ଘଟଣାକୁ କାହିଁକି ଗୋଲମୋଲ ବୁଲାଉଥିଲା ପୁଲିସ ଓ କ୍ରାଇମବ୍ରାଞ୍ଚ। ଆସନ୍ତା ୭ ତାରିଖରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ପୁରୀରେ ୬ ଘଣ୍ଟିଆ ହରତାଳ କରିବ ବିଜେଡି। ସକାଳ ୬ରୁ ଦିନ ୧୨ ଟା ଯାଏ ହରତାଳ ହେବ। ରାଜ୍ୟ ସରକାର ଜାଣିଶୁଣି ଦୋଷୀଙ୍କୁ ଚିହ୍ନଟ କରୁନାହାନ୍ତି। ପୀଡ଼ିତାଙ୍କ ପରିବାର ଉପରେ କି ଚାପ ପଡ଼ିଲା ଯେ, ସେ ବି ମତ ବଦଳାଇଲେଣି।  ପୀଡ଼ିତାଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠାନ୍ତୁ ସରକାର। ସେପଟେ ମହିଳାଙ୍କ ନାଇଟ ସିଫ୍ଟ ନେଇ ନୂଆ ବିଜ୍ଞପ୍ତି ଅନୁସାରେ ମହିଳାମାନେ ସେଲ୍ଫ ଡିକ୍ଲାରେସନ ଦେବେ। ଏମିତିରେ ମହିଳା ସାହାସ ପାଇବେ ଓ ସଶକ୍ତ ହେବେ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ। କାଉଣ୍ଟରରେ ବିଜେଡି କହିଛି, ମହିଳା କର୍ମଚାରୀ ନିଜଆଡ଼ୁ ଘୋଷଣା କରି କାମ କରିବା କଥା କହିଲେଣି ସରକାର। ଏହାର ଅର୍ଥ ମହିଳା ନିଜ ସୁରକ୍ଷା ନିଜେ କରିବେ। ମହିଳାଙ୍କୁ ସୁରକ୍ଷା ଦେବାକୁ ସରକାରଙ୍କ ମନୋଭାବ ନାହିଁ। ସେଲ୍ଫ ଡିକ୍ଲାରେସନ ଦେଇ କୌଣସି ଅଘଟଣ ହେଲେ ମହିଳା ଦାୟୀ ରହିବେ, ସରକାର ନୁହେଁ। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ତ ଦେଇପାରିଲେନି। ଏବେ ମହିଳାଙ୍କୁ ସୁରକ୍ଷା ଦେଇପାରିବେନି ବୋଲି ହାତ ଟେକିଦେଲେଣି ସରକାର। କବରରେ ବଳଙ୍ଗା ପୀଡ଼ିତା। ହେଲେ ଏହି ଟ୍ରାଜେଡିର ରହସ୍ୟ ସନ୍ଦେହର କବରରେ ରହିଗଲା ଯେମିତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *