ଭୀମଭୋଇ ମେଡିକାଲର ସମସ୍ୟାକୁ ନେଇ ଡିନ୍ ଓ ସୁପରିଟେଂଟଣ୍ଡ ଆଲୋଚନା କଲେ ନରସିଂହ

Spread the love

ବଲାଙ୍ଗୀର : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କିଛି ବିଭାଗର ଚିକିତ୍ସାକୁ ନେଇ ଅବହେଳା ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି । ଏହା ସତ୍ୟାସତ୍ୟ ଜାଣିବା ନିହାତି ଦରକାର । ବିଶେଷ କରି ଅସ୍ତିଶଲ୍ୟ, ଶଲ୍ୟ, ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଚିକିତ୍ସାକୁ ନେଇ ଅବହେଳା ହେଉଥିବାର ଅଭିଯୋଗ ରୋଗୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ଲୋକଙ୍କ ପାଖକୁ ଆସୁଛି । ତେଣୁ ଏହାର ଉପରେ ଆଲୋଚନା ତଥା ଏ ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ମେଡିକାଲ କଲେଜର ଏଡ୍ମିନିଷ୍ଟେଟିଭ୍ କୋଠାରେ ଅବସ୍ଥିତ କାର୍ଯ୍ୟାଳୟରେ କଲେଜ ଡିନ୍ ଡା. ସବିତା ମହାପାତ୍ର ଏବଂ ସୁପରିଟେଣ୍ଡଂଟ ଡା. ମାନସି ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକ ଶ୍ରୀ ମିଶ୍ରଙ୍କ ପାଖକୁ ରୋଗୀଙ୍କ ସମେତ ସାଧାରଣ ନାଗରିକ ସମାଜ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଜରୀ ବିଭାଗରେ ସର୍ଜରି ପାଇଁ ଟଙ୍କା ଦାବି କରୁଥିବା ଅଭିଯୋଗ ସହ ସାଧାରଣ ସର୍ଜରୀ ପାଇଁ ମାସ ମାସ ଅପେକ୍ଷା କରିବାକୁ କହୁଥିବା ଅଭିଯୋଗ ଆସିଛି । ଏପରି କି ମେଡିକାଲ କଲେଜ ହସ୍ପିଟାଲ ଆରମ୍ଭ ହେଲା ଦିନରୁ ସହର ମଧ୍ୟରେ ଗଢି ଉଠିଥିବା ଛୋଟ ବଡ ଘରୋଇ ଡାକ୍ତରଖାନାକୁ କିଛି ନିର୍ଦ୍ଦିଷ୍ଟ ବିଭାଗର ଡାକ୍ତରମାନେ ଦଲାଲଙ୍କ ମାଧ୍ୟମରେ ରୋଗୀଙ୍କୁ ଚିକିତ୍ସା ତଥା ସର୍ଜରୀ ପାଇଁ ପ୍ରବର୍ତାଉଥିବାର ଅଭିଯୋଗ ଆସୁଛି । ଏଣୁ ଏପରି ସର୍ଜରି ଗୁଡାକ ମେଡିକାଲ କଲେଜରେ ନକରାଇ କାହିଁକି ଘରୋଇ ଡାକ୍ତରଖାନାମାନଙ୍କୁ ପଠାଯାଉଛି ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆଲୋଚନା ସମୟରେ ହୃଦରୋଗୀଙ୍କ ପାଇଁ ଦରକାର ହେଉଥିବା ଇସିଜି, ଆଶୁ ଚିକିତ୍ସା ବିଭାଗରେ ଉପଲବ୍ଧ ନ ହେଉଥିବାର ଆଲୋଚନା ହୋଇଥିଲା । ଆଗକୁ ଯେପରି ହୃଦ ରୋଗୀମାନେ ଠିକ୍ ହିସାବରେ ଇସିଜିର ସୁବିଧା ପାଇ ପାରିବେ ତାର ଉପରେ ଧ୍ୟାନ ଦେବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଡାଏଲେସିସ ବିଭାଗ, ଡାକ୍ତର ସମସ୍ୟା ତଥା ଅନ୍ୟାନ୍ୟ ପଦବୀ ଗୁଡିକ ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଗକୁ ଯେମିତି ହାଇଡ୍ରୋସିଲ, ହାର୍ନିଆ, ଗଲ ବ୍ଲଡର ଷ୍ଟୋନ ସହ ଅର୍ଥୋପେଡିକ ସର୍ଜରୀ ଗୁଡାକ ଠିକ୍ ହିସାବରେ ହୋଇପାରିବ ସେ ଉପରେ ଡାକ୍ତରମାନେ ଧ୍ୟାନ ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଡିନ୍ ଓ ସୁପରିଟେଣ୍ଡଂଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ବିଧାୟକ ଶ୍ରୀ ମିଶ୍ର, ମେଡିକାଲ କଲେଜର ସୁପରିଟେଣ୍ଡଂଟ ଡା. ପଣ୍ଡା, ଡିନ୍ ଡା. ମହାପାତ୍ର ଏବଂ ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ମନୀଷ ମିଶ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *