କନ୍ଧପାଲି ବନ୍ଧର ପୁନଃଉଦ୍ଧାର ଦାବିରେ କ୍ରୀୟାନୁଷ୍ଠାନ କମିଟିର ଜଳସତ୍ୟାଗ୍ରହ, ଦାବି ପୁରଣ ନହେଲେ ହେବ ଦୁର୍ବାର ଆନ୍ଦୋଳନ

Spread the love

ବଲାଙ୍ଗୀର : କନ୍ଧପାଲି ବନ୍ଧ ଆଜି ସହରର କାଦୁଅ କୁଣ୍ଡରେ ପରିଣତ ହୋଇଛି । ସାରା ବନ୍ଧରେ ପଦ୍ମପତ୍ର ଓ ଅନବନା ଘାସ ଗଛ ସହ ପଙ୍କ ଭରି ରହିଛି । ବନ୍ଧର ପଙ୍କ ଉଦ୍ଧାର କରି ସଫେଇ କରିବା ପରିବର୍ତେ କିଛି ଲୋକ ନିଜ ନାଳ ନର୍ଦ୍ଦମାକୁ ଏଥିରେ ଯୋଡିି ଦେଇଛନ୍ତି । ଫଳରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇ ହଇରାଣ ହେବା ସହ ଏଠାରେ ଗାଧୋଉଥିବା ଲୋକେ ବିଭିନ୍ନ ଚର୍ମରୋଗରେ ପିଡିତ ହେଉଛନ୍ତି । ବନ୍ଧର ପୁନଉଦ୍ଧାର ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବିକରି ଆସୁଥିଲେହେଁ ପ୍ରଥମେ ଜିଲ୍ଲା ପ୍ରଶାସନ ଓ ପରେ ପୌର ପରିଷଦ ଅଞ୍ଚଳବାସୀଙ୍କ ନ୍ୟୟୋଚିତ ଦାବୀକୁ ଅଣଦେଖା କରି ଆସୁଛନ୍ତି । ଏଣିକି ଦାବି ପୁରଣ ନହେଲେ ଆଗକୁ ଦୁର୍ବାର ଆନ୍ଦୋଳନ ପାଇଁ କ୍ରୀୟାନୁଷ୍ଠାନ କମିଟି ଅଣ୍ଟା ଭିଡୁଛି ବୋଲି ୱାର୍ଡ ନଂ ୨ ଓ ୩ ର କ୍ରୀୟାନୁଷ୍ଠାନ କମିଟି କହିଛି ।

ବଲାଙ୍ଗୀର ୱାର୍ଡ ନଂ ୨ ଓ ୩ ସ୍ଥିତ କନ୍ଧପାଲି ବନ୍ଧର ପଙ୍କୋଦ୍ଧାର ଓ ସଫେଇ ଦାବୀରେ କିଛି ଦିନ ପୁର୍ବରୁ କ୍ରୀୟାନୁଷ୍ଠାନ କମିଟିର ଡାକରାରେ ଅଞ୍ଚଳବାସୀ ଜିଲ୍ଲାପଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଓ ପୌରାଧକ୍ଷାଙ୍କୁ ଲିଖିତ ଭାବେ ଜଣାଇ ଥିଲେ । କିନ୍ତୁ ଅଞ୍ଚଳବାସୀଙ୍କ ଦାବୀକୁ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଜାଇଥିଲେ ସୁଦ୍ଧା ବନ୍ଧର ପଙ୍କ ଉଦ୍ଧାର, ସଫେଇ ଓ ପୁନଃଉଦ୍ଧାର ଦିଗରେ ପ୍ରଶାସନ ପକ୍ଷରୁ କେଉଁ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ ତାହ ଜଣା ପଡୁ ନାହିଁ । ଲୋକଙ୍କ ଅସୁବିଧାକୁ ନଜରରେ ରଖି ଗାଧୋଇବା ତୁଠର ସଫେଇ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନଜ ବିଧାୟକ ପାଣ୍ଠିରୁ ଛଅ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ସହରରେ ବନ୍ଧ କନ୍ଟାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ସମାନ ଦାବୀରେ ଆଜି କ୍ରୀୟାନୁଷ୍ଠାନ କମିଟି ଓ ଅଞ୍ଚଳବାସୀଙ୍କ ପକ୍ଷରୁ କନ୍ଧପାଲି ବନ୍ଧରେ ଜଳ ସତ୍ୟାଗ୍ରହ କରାଯାଇଛି । ଯଥା ଶିଘ୍ର କନ୍ଧପାଲି ବନ୍ଧର ପୁନଃ ଉଦ୍ଧାର କରା ନଗଲେ ଆଗାମୀ ଦିନରେ କ୍ରୀୟାନୁଷ୍ଠାନ କମିଟି ଓ ଅଞ୍ଚଳବାସୀ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହା ଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୨ ଓ ୩ର କ୍ରୀୟାନୁଷ୍ଠାନ କମିଟିର ବଜରଙ୍ଗ ବନଛୋର, ରୁପେଶ ନାଗ, ଦାରା ନନ୍ଦ, କିଟୁ ବାଗ, ସରୋଜ ବାରିକ, ଷ୍ଟିଫାନ ସୁନା, ୱିଲସନ ପଲ୍, ଆବେଦ ନାଗ, ଯଦୁ ବାଗ, ସାନସନ ବେହେରା, ଆରତି ପ୍ରିତି ନାଗ, ସୁଜାତା ପୋଢ, ବବିତା ସାହୁ, ତୃପ୍ତିମୟୀ ସୁନା, ଝରଣା ତାଣ୍ଡି, ଜାନକି ନନ୍ଦ, ଲିଜା ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଅଙ୍କିତ ସାହୁ, ସୋମ୍ୟଦୀପ ସରାଫ, ସାନନ୍ଦ ମିଶ୍ର, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର, ବର୍ଜ ସେଠି, ଅରବିନ୍ଦ ପରୁଆ, ବିଦ୍ୟାଧର ସାହୁ ଓ ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *