ଶିଶୁ ଓ ମହିଳା ବିକାଶ ସୋସାଇଟି ପକ୍ଷରୁ ଅଂଶୁଘାତ ପ୍ରତି ସଚେତନତା

Spread the love

ବଲାଙ୍ଗିର : ସଚେତନତାରେ ସୁରକ୍ଷା ଆମର ବାର୍ତାକୁ ପାଥେୟ କରି ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡର ଟିଟିଲାଗଡ଼ ବ୍ଲକ ଓ ସଇଁନ୍ତଳା ବ୍ଲକରେ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ତଥା ଶିକ୍ଷକ ରାମ ନାରାୟଣ ଦାଶ ସଂଯୋଜନା କରିଥିଲା ବେଳେ ଦୁର୍ଯ୍ୟୋଧନ ପଶାୟତ ପରିଚାଳନା କରିଥିଲେ । ମୁଖ୍ୟତଃ ଜଳଛତ୍ର, ରାସ୍ତା ପାର୍ଶ୍ୱରେ ଥିବା ଆଖୁରସ ବିକାଳୀ, ଅସ୍ଥାୟୀ ଫଳ ଦୋକାନୀ ପାଖରେ ରହି ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟମାନେ ଅଂଶୁଘାତ ପ୍ରତି ସଚେତନତା କରାଇଥିଲେ । ଲୋକମାନଙ୍କୁ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଜରୁରୀ କାମରେ ବାହାରକୁ ଯିବା ବେଳେ କଳା ଚଷମା, ପାଦରେ ଚପଲ, ମୁଣ୍ଡରେ ଓଦା ଗାମୁଛା ଓ ଛତା ବ୍ୟବହାର କରନ୍ତୁ, ପାଣି ବୋତଲ ସାଙ୍ଗରେ ନିଅନ୍ତୁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆରଏସ୍ ଦ୍ରବଣ ତଥା ତରଭୁଜ, କାକୁଡି ଆଦି ଖାଅନ୍ତୁ, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ, ଗୃହପାଳିତ ପଶୁମାନଙ୍କୁ ଛାଇରେ ରଖନ୍ତୁ ଓ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ, ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ ଫ୍ଲାସ କାର୍ଡ ଓ ପୋଷ୍ଟର ବଂଟନ କରିଥିଲେ ।

କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସରପଂଚମାନେ ତଥା ସ୍ୱେଚ୍ଛାସେବୀବୃନ୍ଦ ଯୋଗଦେଇ ଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରବି ଚନ୍ଦ୍ର ପଶାୟତ, ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ଚନ୍ଦ୍ରଶେଖର ସେଠ, ପ୍ରଭାକର ଛନ୍ଦ, ଦୀପକ ସେନ ଧରୁଆ, କପିଳ ଭୋଇ, ସୁନୀଲ ରଣା, ତୁଫାନ ରଣା, ସମାଜସେବୀ ଶ୍ରବଣ ବାରିକ, ସଂଗୀତା ପଶାୟତ, ରେବତୀ ପଶାୟତ, ଦୀନବନ୍ଧୁ ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *