ଜାତିଆଣ ଆକ୍ଷେପକାରୀକୁ ଗିରଫ ଦାବି

Spread the love

ବଲାଙ୍ଗୀର : ସାମାଜିକ ଗଣମାଧ୍ୟମରେ ଦଳିତ ସମାଜକୁ ନେଇ ଜାତିଆଣ ଆକ୍ଷେପ କରିଥିବା ତଥା ଅଶାଳୀନ ମନ୍ତବ୍ୟ ଦେଇଥିବା ପ୍ରଦୀପ କୁମାର ପରୁଆ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ଦାବିରେ ଜିଲ୍ଲାର ଦଳିତ ସଙ୍ଗଠନମାନଙ୍କୁ ତରଫରୁ ବଲାଙ୍ଗୀର ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ଜିଲ୍ଲା ଦଳିତ ସମାଜ ( ଯୁବ ଶାଖା) ଓ ପଶ୍ଚିମ ଓଡିଶା ଲକ୍ଷେଘର ଗଣ୍ଡା ସମାଜ ତରଫରୁ ଥାନା ଘେରାଉ କରାଯିବା ସହ ବିଭିନ୍ନ ପ୍ରକାର ନାରାବାଜୀ କରାଯାଇଥିଲା । ଉଭୟ ସଙ୍ଗଠନ ତରଫରୁ ପୃଥକ ପୃଥକ ଭାବରେ ଦୁଇଟି ଏତଲା ଥାନାରେ ଦିଆଯାଇଛି । ଏତଲାରେ ଦର୍ଶାଯାଇଛି ଯେ, ପ୍ରଦୀପ ବିଭିନ୍ନ ସମୟରେ ବିଭିନ୍ନ ଦଳିତ ବ୍ୟକ୍ତିଙ୍କୁ ଫୋନ କରି ଗଣ୍ଡା ସମାଜକୁ ନିପାତ କରିଦେବି ବୋଲି ଧମକ ଦେଉଛନ୍ତି । ଗଣ୍ଡାମାନେ ମୋର କିଛି କରି ପାରିବେ ନାହିଁ । ଏଭଳି କି ଗୁଣ୍ଡା ନେଇ ଗଣ୍ଡାମାନଙ୍କ ଘରେ ପଶିବା ସହିତ ମହିଳାମାନଙ୍କୁ ଅତ୍ୟାଚାର କରିବି ଓ ପୁରୁଷମାନଙ୍କୁ ହତ୍ୟା କରିବି ବୋଲି ମଧ୍ୟ ଧମକ ଦେଉଛନ୍ତି । ପ୍ରଦୀପଙ୍କ ଏଭଳି ଆଚରଣ ଦଳିତ ସମାଜକୁ ବ୍ୟଥିତ କରିଛି । ସମାଜରେ ଜାତିଆଣ ବିଭେଦ ସୃଷ୍ଟି କରି ବିଷମଞ୍ଜି ବୁଣୁଥିବା ପ୍ରଦୀପଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦଳିତ ସମାଜ ତରଫରୁ ଦାବି କରାଯାଇଛି । ପ୍ରଦୀପଙ୍କୁ ଯଦି ଅତିଶୀଘ୍ର ଗିରଫ କରାନଯାଏ ତା ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳିତ ସମାଜ ତରଫରୁ ଚେତାବନୀ ଦିଆଯାଇଛି । ଏତଲା ସମୟରେ ପ୍ରମାଣିକ ତଥ୍ୟ ଭାବରେ ଅଡିଓ ରେକର୍ଡିଂ ଓ ପେସବୁକ ପୋଷ୍ଟର ନକଲ ପୋଲିସକୁ ପ୍ରଦାନ କରାଯାଇଛି ବୋଲି ଦଳିତ ସମାଜ ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *