ନିୟମିତ ନିଯୁକ୍ତି ଦାବୀରେ ଜିଲ୍ଲାପାଳ ଅଫିସ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦାବିପତ୍ର

Spread the love

ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମହାସଙ୍ଘ । ସ୍ଥାୟୀ ଚାକିରୀ ଦାବୀରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମହାସଙ୍ଘ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବସ୍ଥାପିତ ଥିବା ଏହି ବର୍ଗର ୬ ଶହ କର୍ମଚାରୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି । ବିଭିନ୍ନ ପ୍ରକାର ନାରା ଦେବା ସହ ଆଉଟ୍ସୋର୍ସିଂ କର୍ମଚାରୀ ମାନଙ୍କୁ ସରକାର ଅବହେଳା କରୁଥିବା ନେଇ ଗର୍ଜିଛନ୍ତି ମହାସଙ୍ଘର ଉପଦେଷ୍ଟା ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ସଭାପତି ରାଜେଶ ଝାଙ୍କର, ସମ୍ପାଦକ ଚଞ୍ଚଳ ମିଶ୍ରଙ୍କ ସହ ଅନ୍ୟମାନେ ।

ରାଜ୍ୟ ସରକାର ଗତ ଅକ୍ଟୋବର୧୫ ତାରିଖ ଦିନ ରାଜ୍ୟରୁ ଠିକା ନିଯୁକ୍ତି ପ୍ରତ୍ୟାହାର ଘୋଷଣା କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମାନେ ସ୍ଥାୟୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଗତ ଦିନରେ ଜୋର୍ଦାର୍ ଆନ୍ଦୋଳନ ପରେ ମଧ୍ୟ ସରକାର ଆଉଟ୍ସୋର୍ସିଂ କର୍ମଚାରୀଙ୍କ ପ୍ରତି ଅଣଦେଖା କରୁଥିବା ଅଭିଯୋଗ କରିଛି ମହାସଙ୍ଘ । ତେବେ ଆଜି ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମହାସଙ୍ଘର ସଦସ୍ୟମାନେ ଧାରଣା ଦେଇଥିବା ସୂଚନାରେ କୁହାଯାଇଛି । ଯଦି ସରକାର ମହାସଙ୍ଘର ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହି ଅବସରରେ ୧୧ ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *