ବଲାଙ୍ଗିର : ପାଟଣାଗଡଜାତ ଅନ୍ତର୍ଗତ ଆଟଗାଁ ଜମିଦାର ସହିଦ ଧରମସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା କରାଯିବା ଓ ଐତିହାସିକ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ଭୀମପାହାଡ ମହୋତ୍ସବ କମିଟି ତରଫରୁ ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ଦ୍ଵାରା ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ କୁହାଯାଇଛି ଯେ, ଭାରତୀୟ ମୁକ୍ତିସଂଗ୍ରାମରେ ଐତିହାସିକ ସିପାହୀ ବିଦ୍ରୋହର ପୂର୍ବରୁ ଘୁମୁସର, କଳାହାଣ୍ଡି ଓ ପାଟଣା ଗଡଜାତ ଅଞ୍ଚଳରେ କନ୍ଧମେଳୀ ଆରମ୍ଭ ହୋଇ ବ୍ରିଟିସଶାସନ ବିରୁଦ୍ଧରେ ଲଢେଇ କରାଯାଇଥିଲା । ଘୁମୁସରର ଚକରାବିଶୋଇ ଓ ଉର୍ଲାଦାନୀର ରେଣ୍ଡୋ ମାଝୀ ଲଢେଇ କରି କରି ପାଟଣା ରାଜ୍ୟର ଅଟଗାଁ ଜମିଦାରୀ ଅଞ୍ଚଳକୁ ଆସି କନ୍ଧମାନଙ୍କୁ ମେଳିକରି ସଂଗ୍ରାମ କରିଥିଲେ । ସେ ସମୟରେ ଆଟଗାଁର ଜମିଦାର ଚକରା ବିଶୋଇ ଓ ରେଣ୍ଡୋମାଝୀଙ୍କ ସହଯୋଗୀମାନଙ୍କୁ ଭୀମପାହାଡରେ ଆଶ୍ରୟ ଦେଇଥିଲେ । ଏଠାରେ ଥିବା ଗୁମ୍ଫାମାନଙ୍କରେ ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ରଗୁଡିକୁ ସୁରକ୍ଷିତ ରଖାଯାଇ ସଂଗ୍ରାମ କରାଯାଉଥିଲା । ଚକରା ବିଶୋଇ ଓ ରେଣ୍ଡୋମାଝୀଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜେ ଧରମସିଂ ମାଝୀମାନଧାତା ବ୍ରିଟିସର୍ସଙ୍କ ସହିତ ଲଢେଇ କରିଥିଲେ । ଏହି ଲଢେଇରେ ଚକୋରା ବିଶୋଇ ବ୍ରିଟିସ କବଳରୁ ଖସିଯାଇଥିବା ବେଳେ ଧରମସିଂ ମାଝିମାନଧାତା ଧରାପଡିଯାଇଥିଲେ । ସେ ସମୟରେ ତାଙ୍କୁ ନାଗପୁର ଜେଲକୁ ନିଆଯାଇ ବନ୍ଦୀ କରାଯାଇଥିଲା ଓ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ବଲାଙ୍ଗିର ଗେଜେଟିୟରରେ ଏନେଇ ବିସ୍ତୃତ ବିବରଣୀ ରହିଥିଲେ ହେଁ ଜଣେ ସହିଦଙ୍କୁ ଯେଭଳି ମାନ୍ୟତା ଦେବାକଥା ତାହା ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ । ସହିଦ ଧରମସିଂ ମାଝୀମାନଧାତାଙ୍କ ମହଲ ଆଜି ମଧ୍ୟ ଆଟଗାଁଠାରେ ଜର୍ଜରିତ ଅବସ୍ଥାରେ ପଡିରହିଛି । ତେଣୁ ଏହାର ସୁରକ୍ଷା ଓ ସଂରକ୍ଷଣ, ସହିଦ ଧରମସିଂ ମାଝୀ ମାନଧାତାଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟସ୍ତରୀୟ ଉତ୍ସବ ପାଳନ ଓ ଭୀମ ପାହାଡ ଠାରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ମହୋତ୍ସବ କମିଟି ଦାବି କରିଛି । ସହିଦଙ୍କ ସ୍ମୃତିରକ୍ଷା କରିବା ଆମର ସମସ୍ତଙ୍କର ଦାୟୀତ୍ଵ । ଆମର ଆଗାମୀ ପିଢୀ ସେହି ସହିଦମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବେ ବୋଲି ମହୋତ୍ସବ କମିଟି ଦାବି କରିଛି।
ଏହି ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ, ଉପସଭାପତି ଘନଶ୍ୟାମ ପଧାନ ଓ ପୀତବାସ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now