ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଣିଘେରରେ ପୋଢ଼ମୁଣ୍ଡ ଗ୍ରାମର ସାତ ପରିବାର

Spread the love

ବଲାଙ୍ଗିର : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବର୍ଷାଜଳ କ୍ରମଶଃ ବଢ଼ିବାରେ ଲାଗିଛି । ଆଉ ଏହି ପ୍ରକଳ୍ପରେ ଲୋଇସିଂହା ବ୍ଲକର ଗଡ଼ଶଙ୍କର ଡୁଙ୍ଗୁରିପାଲି ସମେତ ବନଛୋରପାଲି, ବିଜାପାଟି, ପରଧିଆପାଲି, ଅନ୍ତପାଲି ଗ୍ରାମ ଜଳ ସମାଧି ନେଇ ସାରିଛି । ତେବେ ଅଦ୍ୟାବଧି ମୁଣ୍ଡପିଛା କ୍ଷତିପୂରଣ ରାଶି ପାଇ ନ ଥିବାରୁ ପୋଢ଼ମୁଣ୍ଡ ଗ୍ରାମର ସାତ ପରିବାର ବିପନ୍ନ ଅବସ୍ଥାରେ ଗାଁରେ ରହିଥିବା ଜଣାଯାଇଛି । ଦୁଇ ଜଣ ବୃଦ୍ଧବୃଦ୍ଧା ଓ ୧୭ ଶିଶୁଙ୍କୁ ମିଶାଇ ପ୍ରାୟ ୨୮ରୁ ଅଧିକ ବ୍ୟକ୍ତି ଗାଁରେ ଥିବା ଜଣାଯାଇଛି । ଗ୍ରାମକୁ ତିନିପଟୁ ପ୍ରକଳ୍ପର ଜଳ ଘେରିବା ସହିତ ଘର ଭିତରକୁ କ୍ରମଶଃ ପାଣି ପଶିବାରେ ଲାଗିଛି । ଗୁରୁବାରୁ ଦାନୀ, ଇନ୍ଦ୍ରମଣି ବାଗ, ଲୋକନାଥ ଗଡତ୍ୟା, ଜୀବର୍ଦ୍ଧନ ଗଡତ୍ୟା, ଗୁରୁବାରୀ ବୁଡେକ, ବୃନ୍ଦାବତୀ ଗଡତ୍ୟା ଓ ବିଜୁ ବାଗଙ୍କ ପରିବାର ବିପଦଜନକ ଅବସ୍ଥାରେ ଗାଁରେ ରହୁଥିବା ଜଣାଯାଇଛି । ଆବଶ୍ୟକ କ୍ଷତିପୂରଣ ଓ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରାନଗଲେ ପ୍ରକଳ୍ପ ପାଣିରେ ଜୀବନ ହାରିବେ ପଛକେ ଗାଁ ଛାଡିବେ ନାହିଁ ବୋଲି ବିପନ୍ନ ପରିବାର ପ୍ରକାଶ କରିଛନ୍ତି ।

କେବଳ ମଣିଷ ନୁହେଁ, ଏହି ଜଳସେଚନ ପ୍ରକଳ୍ପର ପାଣିଘେରରେ ତିନୋଟି ମାଙ୍କଡ଼ ପଲ ଓ କିଛି କୁକୁର ମଧ୍ୟ ଭୋକ ଉପାସରେ ରହିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଆସନ୍ତାକାଲି ଫାଇଭ-ଟି ସଚିବଙ୍କ ଲୋୟର ସୁକତେଲ ଅଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜିଲ୍ଲା ପ୍ରଶାସନ ବିପନ୍ନ ଲୋକଙ୍କୁ ଉଦ୍ଧାର କରିବା ପାଇଁ କଣ ପଦକ୍ଷେପ ନିଆଯାଉଛି ଏଥିପାଇଁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *