ଆଦର୍ଶ ଶିକ୍ଷକ କୁଳମଣି ମିଶ୍ରଙ୍କ ପରଲୋକ

Spread the love

ବଲାଙ୍ଗିର : ଆଦର୍ଶ ଶିକ୍ଷକ କୁଳମଣି ମିଶ୍ର(୮୧)ଙ୍କ ବରଗଡ ସ୍ଥିତ ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ପ୍ରାୟ ୮ଟା ୪୦ ମିନିଟ୍ରେ ପରଲୋକ ଘଟିଥିବା ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ ମିଶ୍ର ସୂଚନା ଦେଇଛନ୍ତି । ସେ ଦୀର୍ଘ ଏକ ବର୍ଷ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ସ୍ଵର୍ଗତ କୁଳମଣି ମିଶ୍ର ମଣ୍ଡଳ ହାଇସ୍କୁଲ, ଧଣ୍ଡାମୁଣ୍ଡା ହାଇସ୍କୁଲ, ବଲାଙ୍ଗିର ଟାଉନ ହାଇସ୍କୁଲ, ବିଲେଇସର୍ଡା ହାଇସ୍କୁଲ, ସାଲେଭଟା ହାଇସ୍କୁଲ ତଥା ରକ୍ସିମୁଣ୍ଡା ହାଇସ୍କୁଲରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିଲେ । ରକ୍ସିମୁଣ୍ଡା ହାଇସ୍କୁଲରୁ ସେ ଅବସର ଗ୍ରହଣ କରିଥିବା ବେଳେ ତାଙ୍କ ଦେହାନ୍ତରେ ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ବଲାଙ୍ଗିର ସହର ନିକଟସ୍ଥ ଶଙ୍କରଭୋଜି ଗାଁର ମୂଳ ବାସିନ୍ଦା ତଥା ବଲାଙ୍ଗିର ସହରର ରେଡିଓ ଷ୍ଟେସନ୍ ନିକଟସ୍ଥ ରୋୟାଲ ଗ୍ରୀନ କମ୍ପ୍ଲେକ୍ସରେ ସେ ଏବେ ପରିବାର ସହ ରହୁଥିଲେ । ବଲାଙ୍ଗିର ପଥରଚେପା ସ୍ଥିତ ପଞ୍ଚବଟୀ ଉଦ୍ୟାନର ପ୍ରତିଷ୍ଠାତା ସ୍ଵର୍ଗତ କୁଳମଣି ମିଶ୍ର ଶତାଧିକ ଛାତ୍ରଛାତ୍ରୀଙ୍କୁ ସୁନାଗରିକ ଭାବେ ଗଢି ତୋଳିଥିବା ବେଳେ ତାଙ୍କ ଦେହାନ୍ତରେ ଛାତ୍ରଛାତ୍ରୀଙ୍କ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ତାଙ୍କ ଜ୍ୟେଷ୍ଠପୁତ୍ର ସାମାଜିକ କର୍ମୀ ଅରୁଣ ମିଶ୍ର, ସି.ଏ. ଅଜିତ ମିଶ୍ର, ଅଶ୍ଵିନୀ ମିଶ୍ର, ଜ୍ଵାଇଁ ଲଳିତ ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି । ତେବେ ଆସନ୍ତାକାଲି ସକାଳୁ ରୋୟାଲ ଗ୍ରୀନ କମ୍ପ୍ଲେକ୍ସରୁ ତାଙ୍କ ଶବ ଶୋଭାଯାତ୍ରା ବାହାରିବ ଓ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ପଞ୍ଚବଟୀ ଉଦ୍ୟାନରେ ତାଙ୍କ ଶେଷକୃତ୍ୟ ସମାପନ ହେବ ବୋଲି ତାଙ୍କ ଜ୍ୟେଷ୍ଠପୁତ୍ର ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *