ମୌଳିକ ସୁବିଧା ଯୋଗାଇବାକୁ ବିଡିଏ ତତ୍ପର

ଭୁବନେଶ୍ବର: ସହରାଞ୍ଚଳ ଲୋକଙ୍କୁ ସୁବିଧା ସୁଯୋଗ ଭଳି ଉପକଣ୍ଠରେ ବସବାସ କରୁଥିବା ଲୋକଙ୍କୁ ବି ଅନୁରୂପ ମୌଳିକ ସୁବିଧା ସହ ଭିତ୍ତିଭୂମି ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେବା ପରେ ବିଡିଏ ତତ୍ପର ହୋଇଉଠିଛି। କାରଣ ଭୁବନେଶ୍ୱର ଉପକଣ୍ଠ ୪୫ ଖଣ୍ଡ ମୌଜାରେ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଯୋଜନାବଦ୍ଧ ସହରର ପରିକଳ୍ପନାକୁ ସାକାର କରିବା କାମ ବିଡିଏ ହାତରେ। ବିଶେଷ କରି ରିଂ ରୋଡ୍, ଗମନାଗମନକୁ ସୁଗମ, ଗୁଣାତ୍ମକ ଭିତ୍ତିଭୂମି ଆଦିର ବିକାଶ କରିବା ବିଡିଏର ପ୍ରମୁଖ ଦାୟିତ୍ୱ।

ସହର ଉପକଣ୍ଠ ଅଞ୍ଚଳରେ ଯୋଗାଯୋଗକୁ ସୁଗମ କର। ସହର ଭଳି ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଦିଅ। ଯାହା ଫଳରେ ସହର ଉପରେ ବି ଆବାସିକ ଚାପ କମିବ। ରାସ୍ତା ପ୍ରଶସ୍ତିକରଣ ସହ ବିଭିନ୍ନ ମୌଳିକ ସେବାର ଉନ୍ନତି ଲାଗି ୫ ବର୍ଷିଆ ଯୋଜନା ଚିଠା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ଜଳସମ୍ପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସହରର ବିଭିନ୍ନ ଦିଗକୁ ସଂଯୋଗ କରୁଥିବା ରାସ୍ତାକୁ ଚିହ୍ନଟ ସହ ଚିହ୍ନିତ ରାସ୍ତା ଭିତରେ ଆନ୍ତଃ ସଂଯୋଗୀକରଣ ମାଧ୍ୟମରେ ରୋଡ୍ ନେଟଓ୍ୱର୍କ କରିବାକୁ ଟାର୍ଗେଟ ଦିଆଯାଇଛି।

ଆଉ ଏହି କ୍ରମରେ ଦେଖିବାକୁ ଗଲେ ଠିକ୍ ଏହି ସମାନ ଖସଡ଼ା ନେଇ ୬ ବର୍ଷ ତଳେ ଅହମଦାବାଦ ଢାଞ୍ଚାରେ ଟାଉନ ପ୍ଲାନିଂ ସ୍କିମ୍ ଆରମ୍ଭ କରିଥିଲା ବିଡିଏ । ଭୁବନେଶ୍ୱର ଉପକଣ୍ଠ ୪୫ ଖଣ୍ଡ ମୌଜାରେ ଅବିକଶିତ ଜାଗାକୁ ବିକଶିତ କରିବା, ଲୋକଙ୍କ ଜମିର ୪୦ ପ୍ରତିଶତ ନେଇ ୬୦ ପ୍ରତିଶତ ଜମିରେ ସମସ୍ତ ଭିତ୍ତିଭୂମି ଦେବା ଓ ସର୍ବୋପରି ରିଂ ରୋଡ୍ ପାଇଁ ଜମି ଅଧିଗ୍ରହଣ ସମସ୍ୟାରୁ ମୁକୁଳିବାକୁ ଲୋକଙ୍କ ସହମତିରେ ଜମି ନେବା ପ୍ରକ୍ରିୟା ଜାରି ରଖିଛି ବିଡିଏ। ଟିପି ସ୍କିମରେ ସର୍ବନିମ୍ନ ୩୦ ଫୁଟରୁ ୨ଶହ ଫୁଟ୍ ଯାଏ ରାସ୍ତା ଦେଉଛି ବିଡିଏ।  ଟିପି ସ୍କିମ୍‌ ଭିତରେ ଯାଉଥିବା ରିଂ ରୋଡ୍ ଲାଗି ଜମି ଅଧିଗ୍ରହଣର ପ୍ରାବଧାନ ନଥିବାରୁ ଏହା ସହାୟକ ସାଜୁଛି। ମୁଖ୍ୟମନ୍ତ୍ରୀ ବି ଟିପି ସ୍କିମରେ ଲୋକଙ୍କୁ ପଟ୍ଟା ଦେଇସାରିଛନ୍ତି। ଆଉ ଟିପି ସ୍କିମରେ ଲୋକଙ୍କୁ କେବଳ ପଟ୍ଟା ନୁହେଁ, ତା ସହ ଜାଗାର ଚିହ୍ନଟୀକରଣ ସହ ଦଖଲ ଦେବାକୁ ବି ନିର୍ଦେଶ ଦେଇଛନ୍ତି ସରକାର।

ଉପକଣ୍ଠରେ ଏଭଳି ସୁବିଧା ବିଡିଏ ଦେଉଥିବାରୁ ଲୋକେ ବି ବିନା ଦ୍ୱିଧାରେ ଜମି ଦେଉଛନ୍ତି। ସେପଟେ ବିଡିଏର ଟିପି ବ୍ରାଞ୍ଚ ରାସ୍ତା କାମକୁ ତ୍ୱରାନ୍ୱିତ କରିବାକୁ ଜୋର୍ ଦେଇଛି। ରାସ୍ତା କାମ ଲାଗି ଏଜେନ୍ସି ଚୂଡାନ୍ତ ହୋଇଥିବାରୁ ଗ୍ରାଉଣ୍ଡରେ ପହଞ୍ଚି ଯେତେ ଶୀଘ୍ର କାମ ଆରମ୍ଭ କରିବାକୁ ତର୍ଜମା କରିଛି। ବିଦ୍ୟୁତ୍ ଯୋଗାଣକୁ ବ୍ୟବସ୍ଥିତ କରିବାକୁ ଟାଟା କମ୍ପାନୀ ସହ ସର୍ଭେ କରିଛି। ପୂର୍ତ୍ତ ବିଭାଗ ବି ରିଂ ରୋଡ୍ ଲାଗି ପ୍ରାଥମିକ ପର୍ଯ୍ୟାୟରେ ଚିଠା ପ୍ରସ୍ତାବ ବିଡିଏକୁ ପଠାଇସାରିଛି। ଏମିତିରେ ମୁଖ୍ୟ ଶାସନ ସଚିବ ପୂର୍ବରୁ ଏ ସବୁ କାମକୁ ତ୍ୱରାନ୍ୱିତ କରିବାକୁ ବିଡିଏ ସହ ବିଭିନ୍ନ ବିଭାଗ ଭିତରେ କାମ ବାଣ୍ଟିଦେଇଛନ୍ତି। ଆଉ ଏଥିଲାଗି ଆର୍ଥିକ ବ୍ୟୟବରାଦକୁ ବି ମଞ୍ଜୁରୀ ମିଳିସାରିଛି।

ଟିପି ସ୍କିମ୍ କାର୍ଯ୍ୟକାରୀ ହେଲେ ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର ହେବ। ସହର ଭଳି ଉପକଣ୍ଠରେ ବି ପର୍ଯ୍ୟାପ୍ତ ଭିତ୍ତିଭୂମି ପାଇବେ ଲୋକେ। ସେଥିଲାଗି ଟିପି ସ୍କିମ୍ କାର୍ଯ୍ୟକାରୀ କରାଇବାରେ ବିଡିଏ ଅଧିକ ତତ୍ପର ହେବା ଜରୁରୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *