ବିଡିଏ ନାକେଦମ

Spread the love

ଭୁବନେଶ୍ବର: ବିଡିଏକୁ ଆଗ ଅନ୍ଧାରରେ ରଖିଥିଲେ ଜମିମାଲିକ। ପୁଣି କୋର୍ଟ କଚେରୀ ଦଉଡ଼ାଇଲେ। ସବୁଠୁ ନିରାଶ ହେବା ପରେ ବିଡିଏର ଶରଣରେ ପଶି ପୁଣି ବିଡିଏକୁ ଚକମା ଦେଇ ହରଡ଼ଘଣାରେ ପକାଇଥିବା ଜମିମାଲିକଙ୍କୁ ପାନେ ଦେବାକୁ ଚାହିଁ ବସିଛି ବିଡିଏ। ଜଣେ ମାଲିକଙ୍କ ଜାଣତରୁ ପୁରା ଟିପି ସ୍କିମ୍ ୩ ନମ୍ୱର ବାଧାପ୍ରାପ୍ତ ହେବାକୁ ଯାଉଥିବାରୁ ଏହାକୁ ନଗର ଉନ୍ନୟନ ବିଭାଗ ବି ଗମ୍ଭୀରତାର ସହ ବିଚାର କରୁଛି।

ଟାଉନ ପ୍ଲାନିଂ ସ୍କିମ ନମ୍ୱର ୩। ନୂଆଗାଁ ମୌଜାରେ ଅରବିନ୍ଦ ପରିଡ଼ା ନାମକ ଜଣେ ଜମି ମାଲିକଙ୍କ ଏଇ ଗୋଟିଏ ଘର ଲାଗି ପୁରା ସ୍କିମ୍ ଅଟକିଯାଇଛି ଯେମିତି। ସଂପୃକ୍ତ ଜମିମାଲିକ ନିୟମ ଅନୁସାରେ ବିଡିଏକୁ ନିଜର ୪୦ ପ୍ରତିଶତ ଜାଗା ଦେବା ପରେ ବାକି ୬୦ ପ୍ରତିଶତ ଜାଗାରେ ଘର କରିବା କଥା। ତା ପୁଣି ଯେଉଁଠି ବିଡିଏ ଆଲଟମେଣ୍ଟ କରିଛି। କିନ୍ତୁ ଅରବିନ୍ଦ ନିଜର ମୂଳ ପ୍ଲଟରେ ଘର କରିଦେଇଛନ୍ତି। ଘର ଯେତେବେଳେ ଅଧା ହୋଇଥିଲା, ସେତେବେଳୁ ଆଉ ଆଗକୁ ନ ବଢ଼ିବାକୁ ଚେତାଇ ଦେଇଥିଲା ବିଡିଏ। କିନ୍ତୁ ଏହାକୁ ମାନିନଥିଲେ ମାଲିକ। କୋର୍ଟକଚେରୀ ଯାଏ ବିଡିଏକୁ ଟାଣିଥିଲେ। ଆଉ ସବୁଠି ନିରାଶ ପରେ ବିଡିଏ ଘର ଭାଙ୍ଗିବାକୁ ବିଳମ୍ୱ କରୁଥିବାର ସୁଯୋଗ ନେଇ ପୁଣି ନଗର ଉନ୍ନୟନ ସଚିବଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବଡ଼କଥା ହେଲା କି, ଗଲା ମାସ ୧୩ ତାରିଖରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଭରତପୁର ଥାନାକୁ ଜଣାଇ ଘର ଭାଙ୍ଗିବାକୁ ପ୍ରସ୍ତୁତ ହେଉଥିଲା। ବିଡିଏ ପ୍ଲାନିଂ ବ୍ରାଞ୍ଚ ବି ଅନୁମତି ଦେଇ ଆଗକୁ ବଢ଼ିବାକୁ ସଙ୍କେତ ଦେଇଥିଲା। ହେଲେ ଘର ମାଲିକ ନଗର ଉନ୍ନୟନ ସଚିବଙ୍କ ପାଖରେ ପୁଣି ଥରେ ତାଙ୍କ ଆବେଦନର ବିଚାର ଲାଗି ଅପିଲ୍ କରିଛନ୍ତି, ଏ କଥା ଜାଣିନଥିଲେ ଉଭୟ। ଫଳରେ ଶେଷ ମୂହୂର୍ତ୍ତରେ ଡିମୋଲିସନ ଅଟକିଗଲା। ନଗର ଉନ୍ନୟନ ସଚିବଙ୍କ କହିବା କଥା, ଏହା ବିଡିଏର କାମ। ଟିପି ସ୍କିମ୍ ମୁଖ୍ୟମନ୍ତ୍ରୀଙ୍କର ଫ୍ଲାଗସିପ୍ କାର୍ଯ୍ୟକ୍ରମ। ଏଥିରେ କୌଣସିପ୍ରକାର ପ୍ରତିବନ୍ଧକକୁ ବରଦାସ୍ତ କରାଯିବନି।

ବେଆଇନ ନିର୍ମାଣ କରି ଜମି ମାଲିକ ବାରମ୍ୱାର ବିଡିଏକୁ ଚକମା ଦେବାରେ ବ୍ୟସ୍ତ। ବିଡିଏର ତ୍ୱରିତ ଆକ୍ସନର ଅବହେଳାରୁ ଫାଏଦା ନେଇଛନ୍ତି। ଆଉ ଯେଉଁ ହିତାଧିକାରୀ ବିଡିଏ ଉପରେ ଭରସା କରି ବିଡିଏ ତାଙ୍କ ଜାଗାର ଚିହ୍ନଟୀକରଣ କଲା ନ ଯାଏ, ଘର ତୋଳିବେନି ବୋଲି ଅନାଇ ବସିଛନ୍ତି। ସେମାନଙ୍କୁ ବିଡିଏ କେବେ ଜାଗାର ଦଖଲ ଦେବ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ସଂପୃକ୍ତ ଜମି ମାଲିକଙ୍କ ବେଆଇନ ଘର ନିର୍ମାଣ ଲାଗି ଅନ୍ୟ ହିତାଧିକାରୀ ବି ପ୍ରଭାବିତ ହୋଇଛନ୍ତି। ଖାସ୍ କରି ଜନବସତିକୁ ଲାଗିଥିବା ଏହି ସ୍କିମ୍ ରେ ଯଦି ଗୋଟିଏ ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ବିଡିଏ ନାକେଦମ୍ ହୋଇପଡିଲାଣି। ଯଦି ଆଗକୁ ଏହି ସୁଯୋଗ ନେଇ ଅନ୍ୟମାନେ ସମାନ କାମ କରନ୍ତି, ତେବେ ବିଡିଏ ସମ୍ଭାଳିପାରିବ ତ। କାହାକୁ ଅଟକାଇବ। କେତେ କୋର୍ଟ କଚେରୀ ଦୌଡ଼ିବ।

ଟିପି ସ୍କିମ୍ ୮ରୁ ୧୦। ୮ ନମ୍ୱର ସ୍କିମ୍‌ରେ ସର୍ଭେ, ବାଉଣ୍ଡରୀ କାମକୁ ବେଶ୍ ତ୍ୱରିତ କରିଛି ବିଡିଏ। କିନ୍ତୁ ୮ ନମ୍ୱର ଅନ୍ଧାରୁଆ ମୌଜାରେ ଜଣେ ରିଙ୍ଗ୍ ରୋଡକୁ ମାଡ଼ି ଦୁଇ ମହଲା ଘର ତୋଳିସାରିଲେଣି। ପାଇଲଟ ଭିତ୍ତିରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରଥମ ୪ଟି ସ୍କିମରୁ ବିଡିଏ ଅନେକ ଜାଗାରେ ଝୁଣ୍ଟିପଡ଼ିଲାଣି। ଆଉ ଜନବସତିକୁ ଲାଗିଥିବା ଟିପି ୩ରେ ଜଣେ ବ୍ୟକ୍ତି ଏମିତି ଅଡ଼ୁଆ ଖିଅରେ ପକାଇଛନ୍ତି ଯେ, ନା ଆଗକୁ ବଢ଼ିପାରୁଛି ନା ସ୍କିମକୁ ତ୍ୱରାନ୍ୱିତ କରିପାରୁଛି ବିଡିଏ।

ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *