ବିଳମ୍ୱରୁ ବିବାଦ- ଜାଗା ମାଲିକଙ୍କୁ ଅନ୍ଧାରରେ ରଖି ଜଟିଳତା ଭିତରେ ଫସିପାରେ ବିଡିଏ

ଆଜି ଭୁବନେଶ୍ୱର ଉପକଣ୍ଠର ନକ୍ସା ବଦଳିଯାଇଛି। ଯେଉଁଠି ଦିନେ ଗହୀର ବିଲ ଥିଲା, ଆଜି ସେଇ ଜମି ଉପରେ ଯାଇଛି ୨ଶହ ଫୁଟିଆ ରିଂ ରୋଡ୍। ଡ୍ରେନେଜ୍, ସ୍ୱେରେଜ୍ ସହ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି। ସ୍ମାର୍ଟସିଟି ଅନ୍ତର୍ଗତ ଟାଉନ ପ୍ଲାନିଂ ସ୍କିମରେ ୪୫ ଖଣ୍ଡ ମୌଜାକୁ ୬୫ କିଲୋମିଟରର ରିଂ ରୋଡରେ ଯୋଡ଼ିବାକୁ ଏଭଳି ଯୋଜନା କରିଥିଲା ବିଡିଏ। ଲୋକଙ୍କ ଜମିର ୪୦ ପ୍ରତିଶତ ନେଇ ୬୦ ପ୍ରତିଶତର ଏକ ସାଇଜିବୁଲ ପ୍ଲଟ ଓ ଏହାକୁ ସମସ୍ତ ଭିତ୍ତିଭୂମି ଦେଉଛି ବିଡିଏ। କିନ୍ତୁ ପ୍ରଥମ ସ୍କିମ୍‌ ପାଇକରାପୁର ଏ ଯାଏଁ ସରିଲାନି। ଯଦିଓ ଏହା ହେଉଛି ପ୍ରଥମ ପାଇଲଟ ସ୍କିମ୍। ଆଜି ବି ଫିଲ୍ଡରେ ଲୋକଙ୍କୁ ଜାଗାର ଦଖଲ ଦେବା ଜାରି ରହିଛି। କିନ୍ତୁ ବିଡ଼ମ୍ୱନା। ଯେଉଁ ଲୋକଙ୍କୁ ଜାଗାର ଦଖଲ ଦିଆଯାଉଛି, ସେମାନେ ଏବେ ଘର କରିପାରିବେନି। କାରଣ ଆଜି ବି ଯେଉଁ ଜାଗାର ଦଖଲ ଦିଆଯାଉଛି, ସେ ଜମି ଘର କଲାଭଳି ଉପଯୋଗୀ ହୋଇପାରିନି। ଏମିତିରେ ଟାଉନ ପ୍ଲାନିଂ ସ୍କିମ୍ ଅନ୍ତର୍ଗତ ସମସ୍ତ ଜମି ଘରବାରି କିସମ କରି ମାଗଣାରେ ଦେବେ ବୋଲି କ୍ୟାବିନେଟ୍ ମୋହର ମାରିସାରିଛି। ଅହେତୁକ ବିଳମ୍ୱ ସତ୍ତ୍ୱେ ଲୋକେ ଜାଗାର ଦଖଲ ପାଇଥିବାରୁ ଅବଶ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ ଏତେଟା ବିଳମ୍ୱ ଲାଗି ବିଡିଏ ଭରସା ନ ହରାଉ। କାରଣ ପାଇଲଟ ପ୍ରୋଜେକ୍ଟ ପାଇକରାପୁର ଉପରେ ନିର୍ଭର କରେ ଅନ୍ୟ ୪୫ ଖଣ୍ଡ ମୌଜା। ଲୋକଙ୍କ କହିବା କଥା, ଟିପି ସ୍କିମରେ ସେମାନଙ୍କ ଜାଗା ଯାଇସାରିଥିବାରୁ ସେମାନଙ୍କ ଜମିର ଦର ବଢ଼ିଗଲା। ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ବି ପାଇଲେ। ସେମାନେ କିଛି ହରାଇଲେନି। କିନ୍ତୁ ବିଡିଏ ଯେଭଳି ବେଗରେ କାମ କରିବା କଥା, ଧୀମେଇ ଯାଉଥିବାରୁ ଏହାର ପ୍ରଭାବ ଅନ୍ୟ ସ୍କିମ୍ ଉପରେ ବି ପଡ଼ୁଛି। ସେଥିଲାଗି ତ ମଳିପଡ଼ାରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା ବିଡିଏ। ପାଇକରାପୁର ବାସିନ୍ଦାଙ୍କ କହିବା କଥା, ଲୋକଙ୍କ ସହମତିରେ ଓ ବିଶ୍ୱାସ ଜିଣି ବିଡିଏ ଏହି ପ୍ରୋଜେକ୍ଟ ହାତକୁ ନେଇଥିଲା। କିନ୍ତୁ ଆଜି ଯାଏଁ ଦେବୋତ୍ତର ଜମିକୁ ନେଇ ଥିବା ବିବାଦ ତୁଟାଇଲାନି। ବିଡିଏ ଅଫିସକୁ ଗଲେ କେହି ଶୁଣୁନାହାନ୍ତି। ସବୁ କାମ ଅଧପନ୍ତରିଆ। ଗଲା ୩ ମାସ ହେଲା କାମ ବନ୍ଦ ହୋଇପଡ଼ିଛି। ବିଡିଏ ଯେଉଁ ବେଗରେ ଧାଇଁବା କଥା ଦୌଡ଼ିପାରୁନି। ୮ ବର୍ଷ ଭିତରେ ଗୋଟିଏ ବି ଟିପି ସ୍କିମ୍ ସମ୍ପୂର୍ଣ୍ଣ ହୋଇପାରିଲାନି। ୪୫ ଖଣ୍ଡ ମୌଜାକୁ ଯୋଡ଼ି କେବେ ୬୫ କିଲୋମିଟରର ରିଂରୋଡ୍ ହେବ। କାଗଜପତ୍ରରେ ବହୁ ଆଗକୁ ବଢ଼ିଚାଲିଛି ବିଡିଏ ସତ। କିନ୍ତୁ ଗ୍ରାଉଣ୍ଡରେ ଏ କାମ ଯେତିକି ଆଗେଇବା କଥା, ସେତିକି ଆଗେଇପାରିନି। ଯାହାକି ବିଡ଼ମ୍ୱନା। ସେପଟେ ଟିପି ସ୍କିମ୍ ୮ରେ ଯାଉଥିବା ଅନ୍ଧାରୁଆ ଦାସପୁର ମୌଜାରେ ଆପତ୍ତି ଅଭିଯୋଗ ଶୁଣାଣୀ ଶେଷ କରି ଗଲା ୨୫ ତାରିଖରେ ଡ୍ରାଫ୍ଟ ପ୍ଲାନ୍ ସରକାରଙ୍କ ପାଖରେ ଦାଖଲ କରିସାରିଛି ବିଡିଏ। ବେଶୀ ହେଲେ ସରକାରଙ୍କ ମଞ୍ଜୁରୀ ମାସକ ଭିତରେ ମିଳିବ ବୋଲି ଆଶାବାଦୀ ବିଡିଏ। ଯଦିଓ ଏହାର ଅବଧି ୬ମାସ ରହିଛି। ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ ତୁରନ୍ତ ରୋଡ୍ କାମ ଆରମ୍ଭ କରିବ ବିଡିଏ। କିନ୍ତୁ ଏଠାରେ ବି କିଛିଟା କେଁ ରଖିଦେଲା ବିଡିଏ। ଗାଁରେ ସଭା କରି କାହାର ଜମି କେଉଁଠି ପଡ଼ିଛି, କେତେ ଫୁଟିଆ ରାସ୍ତାରେ ପଡ଼ିଛି, ତାହାର ନକ୍ସାକୁ ସାର୍ବଜନୀନ କରିଥିଲା ବିଡିଏ। ଯଦି କାହାର ଆପତ୍ତି ଅଭିଯୋଗ ଥାଏ, ଦାଖଲ କରିବାକୁ କହିଥିଲା। ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ଏହାର ସମାଧାନ ବି କରିବାକୁ କହିଥିଲା ବିଡିଏ। ନୋଟିସ ଦେଇ ଡାକିଲା। ବିଡିଏ ଅଫିସରେ ଏହାର ଶୁଣାଣୀ ବି ପର୍ଯ୍ୟାୟକ୍ରମେ ସରିଗଲା ସିନା। କିନ୍ତୁ ଆପତ୍ତି ଅଭିଯୋଗକାରୀଙ୍କୁ କେଉଁଠି ପୁଣି ଜାଗା ଦେଲା ବିଡିଏ, କାହାକୁ ବି ଜଣାଇଲାନି। ଅନ୍ଧାରରେ ରଖିଲା। ଆଉ ତରବରିଆ ଭାବେ ଜୁଲାଇ ୨୫ରେ ଡ୍ରାଫ୍ଟ ପ୍ଲାନ ଦାଖଲ କରିଦେଲା। ଯାହା ଫଳରେ ଆଉ ଏକ ଆଇନଗତ ଜଟିଳତା ଭିତରକୁ ଠେଲି ହୋଇଯିବାର ଆଶଙ୍କା ବି ରହିଛି। କାରଣ ଯଦି ଚୂଡ଼ାନ୍ତ ନକ୍ସାରେ ଆପତ୍ତି ଅଭିଯୋଗ ଦାଖଲ କରିନଥିବା ବ୍ୟକ୍ତିଙ୍କ ଜମି ଏପଟ ସେପଟ ହୋଇଥାଏ, ତାହେଲେ ଲୋକେ କାଠଗଡ଼ାକୁ ଟାଣିବାର ଆଶଙ୍କା ରହିଛି। କାରଣ ବିଡିଏ ମୁଖ୍ୟ କାର୍ଯାଳୟରେ ଶହେ ଟଙ୍କା ଜମା କରି ଲୋକେ ତାଙ୍କର ଜାଗା କେଉଁଠି ପଡ଼ିଛି, କେତେ ଫୁଟ କେତେ ଚଉଡ଼ା ରାସ୍ତାରେ ପଡ଼ିଲା, ସେ ନକ୍ସା ନେଇଛନ୍ତି। ଏହା ଚୂଡ଼ାନ୍ତ ନକ୍ସା ସିନା ନୁହେଁ। ତା ହେଲେ ବିଡିଏ କାହିଁକି ଶହେ ଟଙ୍କା ବାନ୍ଧି ଏହାକୁ ନେବାକୁ ଅପିଲ କରୁଥିଲା ଲୋକଙ୍କୁ। ଗୋଟିଏ ପଟେ ଅଭିଯୋଗକାରୀଙ୍କୁ ଅନ୍ଧାରରେ ରଖିଲା ବିଡିଏ। ଆଉ ସେମାନଙ୍କୁ ଜାଗା କେଉଁଠି ଦେଲା କହିଲାନି। ଅନ୍ୟପଟେ ବିଡିଏ ଦେଇଥିବା ଜାଗାକୁ ନେଇ ସନ୍ତୁଷ୍ଟ ହୋଇସାରିଥିବା ହିତାଧିକାରୀଙ୍କ ଜାଗା ଯଦି ଏପଟସେପଟ କରିଥିବ ବିଡିଏ, ତାହେଲେ ଆଉ ଏକ ଦ୍ୱନ୍ଦ୍ୱକୁ ଡାକି ଆଣିବ। ଫଳରେ ନୂଆ ସିଟିର ଏଣ୍ଟ୍ରାନ୍ସ ପଏଣ୍ଟ ସାଜିଥିବା ଅନ୍ଧାରୁଆ-ଦାସପୁର ଟିପି ସ୍କିମ୍ ଝୁଲି ରହିବାର ଆଶଙ୍କା ବି ଉପନୀତ ହୋଇପାରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *