୪ ପୁଅ-ବୋହୂ ଥିବା ୮୦ ବର୍ଷିୟା ବୃଦ୍ଧା ମା କୌଶଲ୍ୟା ଆଜି ଅଲୋଡା, ରାସ୍ତା ମଝିରେ ଖାଇବା ବିନା ମୃତ୍ୟୁ ଅପେକ୍ଷାରେ

Spread the love

ଭଦ୍ରକ : ଖାଁ ଖାଁ ନିର୍ଜନ ରାସ୍ତା, ଚାରିଆଡେ ନିଶା ଗର୍ଜୁଛି । ଯେଉଁଠି ଦେଖ କିଟିମିଟି ଅନ୍ଧାର । ରାସ୍ତାରେ କାହାରି ଯିବାଆସିବା ନାହିଁ । କେବଳ ମଝିରେ ମଝିରେ କୁକୁରଙ୍କର ଧାଁ ଧଉଡ ଭୋ ଭୋ ଚିତ୍କାର । ଏମିତି ଏକ ପରିବେଶର ଅନ୍ଧାର ରାସ୍ତାରେ ଶୋଇଛନ୍ତି ଜଣେ ଅସିତିପର ବୃଦ୍ଧା । ଚାଲିବାକୁ ଦେହରେ ବଳ ବି ନାହିଁ । ଦମ୍ଭ ବା ଆସିବ କୁଆଡୁ । ଯେଉଁଠିକି ଯାଉଛନ୍ତି ଘୁଷୁରି ଘୁଷୁରି । କିଛି ବାଟ ଯାଇ ଶୋଇପଡୁଛନ୍ତି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖି ଜଣେ ତାଙ୍କ ପାଖକୁ ଯାଇ ଯାହା ପଚାରି ବୁଝିଥିଲେ, ତାହା ଶୁଣିଲେ ଆଖିରୁ ଲୁହ ଜକେଇ ଆସିବ । ଥର ଥର କଣ୍ଠରେ ସେ ଯେଉଁ କେଇପଦ କଥା କହିଥିଲେ ଓ ତାଙ୍କ ସଂପର୍କରେ ସ୍ଥାନୀୟ ଲୋକଙ୍କ ନିକଟରୁ ଯେଉଁ ତଥ୍ୟ ମିଳିଥିଲା ତାହା ହେଲା ତାଙ୍କର ୪ ପୁଅ, ୪ ବୋହୂ ଓ ନାତିନାତୁଣୀ ଅଛନ୍ତି । ହେଲେ କେହିବି ଖାଇବାକୁ ଦେଉନାହାଁନ୍ତି, ମାରୁଛନ୍ତି । କେତେବେଳେ କିଏ ଖାଇବାକୁ ଦେଲେ ମାଗି ଖାଇନେଉଛନ୍ତି । ତାଙ୍କ ଦେହରେ କିଛି ରୋଗ ଅଛି କି ବୋଲି ପଚାରିବାରୁ ସେ କହନ୍ତି ମୋର କିଛି ରୋଗ ନାହିଁ, କେବଳ ଖାଇବାକୁ ନପାଇ ମୋର ଏ ଅବସ୍ଥା । ଏବେ ୬ ଦିନ ହେଲା ଖାଇନାହାଁନ୍ତି ସେ । ଦେହରେ ବଳ ବା ଆସିବ କୁଆଡୁ । ଚାଲିପାରିଲେ ନାହିଁ, ଥକାରେ ଘୁଷୁରୀ ଘୁଷୁରୀ ଏହି ରାସ୍ତାରେ ଶୋଇପଡିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମହୁଲିଆ ପଞ୍ଚାୟତର ଶ୍ୟାମଦାସପୁର ଗାଁରେ ଏହି ଅସିତିପର ବୃଦ୍ଧା କୌଶଲ୍ୟା କରଙ୍କର ଘର, ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି, ଘରେ ତାଙ୍କର ବଡପୁଅ ମନୋରଞ୍ଜନ, ବୋହୂ ସସ୍ମିତାକୁ ମିଶାଇ ୪ ପୁଅ-ବୋହୂ ଅଛନ୍ତି । ସମସ୍ତେ ରୋଜଗାର କରୁଛନ୍ତି, କିନ୍ତୁ ଖାଇବାକୁ ଦେଉନାହାଁନ୍ତି । ଏକ ଗୁହାଳ ଭଳି ଘରେ ତାଙ୍କୁ ରଖାଇଛନ୍ତି । ଚେପା ଥାଳିଟିଏ ସେଠାରେ ପଡିଛି । ଖାଇବାକୁ ମାଗିବାରୁ ବୋହୂମାନେ ମାଡ ମାରୁଛନ୍ତି । ତେଣୁ ଆଶ୍ରା କହିଲେ ତାଙ୍କର ଖଣ୍ଡିଏ ବାଡି । ହାତରେ ଧରିଛନ୍ତି ଜରିରେ କେତେଟା ଗୁଲୁଗୁଲା । ଯାହାକୁ ଝାମ୍ଫ ମାରିବାକୁ ଚାରିକଡେ କୁକୁର ହାଉଜାଉ ହେଉଛନ୍ତି । ଏମିତି ଦିନେ ନୁହେଁ କି ଦୁଇଦିନ ନୁହେଁ କେତେବର୍ଷ ହେଲା ଏହିଭଳି ତାଙ୍କର ଅବସ୍ଥା ବୋଲି କହନ୍ତି ସ୍ଥାନୀୟ ରବିନ୍ଦ୍ର ଦାସ ଓ ରବିନ୍ଦ୍ର ପରିଡା । ମାଆଟିଏ କେତେ ଦୁଃଖକଷ୍ଟ ସହି ସନ୍ତାନଟିଏ ଜନ୍ମ ଦେଇଥାଏ, ଆଉ ଆଶା ରଖିଥାଏ ପରିଣତ ବୟସରେ ସାହା ହେବ ବୋଲି । କିନ୍ତୁ କୌଶଲ୍ୟାଙ୍କ କ୍ଷେତ୍ରରେ ବଡପୁତ୍ର ମନୋରଞ୍ଜନ ଓ ବୋହୂ ସସ୍ମିତାଙ୍କ ସମେତ ଚାରି ପୁଅ-ବୋହୂଙ୍କର ଅତ୍ୟାଚାର ବଳିପଡିଛି । ଶେଷରେ ଜନ୍ମକଲା ମା ସେମାନଙ୍କ ପାଇଁ ହୋଇଯାଇଛି ଅଲୋଡା । ଏ ସମ୍ପର୍କରେ ପୁଅ ମନୋରଞ୍ଜନ ଓ ବୋହୂ ସସ୍ମିତାକୁ ଭେଟିବାରୁ ସେମାନେ ନିଜ ପ୍ରତିକ୍ରିୟାରେ କିଛି କହିନଥିଲେ ମଧ୍ୟ ସ୍ଥାନୀୟ ଗ୍ରାମବାସୀ ଯାହା କହନ୍ତି ବ୍ରାହ୍ମଣ ଘରେ ବିଧବା ମହିଳାମାନେ ଆମିଷ ଖାଆନ୍ତି ନାହିଁ । ମାତ୍ର ସେ ସବୁବେଳେ ଆମିଷ ଖାଇବାକୁ କହୁଥିବାରୁ ପୁଅମାନେ ତାହା ଦେଉନାହାଁନ୍ତି । କିନ୍ତୁ ସେମାନେ ଚାହାଁନ୍ତି ପୁଅ-ବୋହୂ ମାନେ ତାକୁ ଘରେ ରଖି ଖାଇବାକୁ ଦିଅନ୍ତୁ ଓ ଡାକ୍ତର ଦେଖାନ୍ତୁ । ତେବେ କୌଶଲ୍ୟାଙ୍କ କ୍ଷେତ୍ରରେ କିଏ ସତ କହୁଛି କିଏ ମିଛ କହୁଛି ତାହା ପରକଥା । କିନ୍ତୁ ଜଣେ ବୃଦ୍ଧା ମା’ ଏମିତି ରାଜତିରେ ଅଖିଆ ଅତ୍ପଆ ରାସ୍ତାରେ ଘୁଷୁରୀ ଘୁଷୁରୀ କୁକୁରଙ୍କ ଦୌରାତ୍ମ୍ୟର ସମ୍ମୁଖୀନ ହେବା ଘଟଣାରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡିବା ପୂର୍ବରୁ ପ୍ରଶାସନର ହସ୍ତକ୍ଷେପର ଆବଶ୍ୟକତା ନିଶ୍ଚୟ ରହିଛି ।

Leave a Reply

Your email address will not be published. Required fields are marked *