୫-ଟି ସଚିବଙ୍କ ଗସ୍ତ ପରେ, ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର

Spread the love

ଭଦ୍ରକ : ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ଏଥିସକାଶେ ମୁଖ୍ୟମନ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ପ୍ରସିଦ୍ଧ ଦେବାଦେବୀ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ଗସ୍ତ କରି ସମୀକ୍ଷା କରିଚାଲିଛନ୍ତି । ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ସମଲେଶ୍ୱର ମନ୍ଦିରର ଉନ୍ନତିକରଣ ସହ ପାରିପାର୍ଶ୍ୱିକ ଅବସ୍ଥିତିର ବିକାଶ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ଭଦ୍ରକ ଜିଲ୍ଲାର ଆରାଧ୍ୟ ଦେବତା ଆରଡି ପୀଠର ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ଅବସ୍ଥିତିର ଉନ୍ନତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସରକାର ଆଜି ୨୮.୭.୨୩ ତାରିଖରେ ୨୮ କୋଟି ଟଙ୍କା ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ପ୍ରକାଶେଯାଗ୍ୟ ଗତ ୨୦୨୨ ସେପ୍ଟେମ୍ବର ୨୨ ତାରିଖରେ ୫-ଟି ସଚିବ ଆରଡି ଗସ୍ତ କରି ବାବା ଆଖଣ୍ଡଳମଣି ପୀଠର ସ୍ଥିତାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ୫-ଟି ସଚିବଙ୍କ ଏହି ଗସ୍ତ ପରେ ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ ସହ ଯାତ୍ରୀମାନଙ୍କ ଯାତାୟତ ଓ ଦର୍ଶନର ସୁବିଧା ପାଇଁ ମନ୍ଦିରକୁ ଆହୁରି ଅଧିକ ଉନ୍ନତି କରିବା ପାଇଁ ଏହି ସ୍ୱତନ୍ତ୍ର ଅନୁଧ୍ୟାନର ଅର୍ଥ ମଞ୍ଜୁର କରିଛନ୍ତି । ସରକାରଙ୍କ ଏହି ପ୍ରାଥମିକ ଅନୁଧ୍ୟାନ ଅର୍ଥରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ମନ୍ଦିରକୁ ଯୋଗାଯୋଗ କରୁଥିବା ସଂଲଗ୍ନ ରାସ୍ତାର ପ୍ରଶସ୍ତିକରଣ କରାଯିବ । ଏହି କାର୍ଯ୍ୟ ସମ୍ପାଦନ ପରେ ପୂର୍ତ୍ତ ବିଭାଗର ଏଷ୍ଟିମେଟ୍ ଅନୁସାରେ ମନ୍ଦିରର ପୁନଃ ଉନ୍ନତିକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ଅର୍ଥ ମଞ୍ଜୁର ହେବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ପଡୁଥିବା ବେସରକାରୀ ଜମି ଅଧିଗ୍ରହଣ ସହ ଏହି ବେସରକାରୀ ଜମିରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଉଚ୍ଛେଦ କରାଯିବ। ଏଥିସକାଶେ ପ୍ରଶାସନ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ଶେଷ ହୋଇଯାଇଛି। ପ୍ରଶାସନର ରିପୋର୍ଟ ଅନୁଯାୟୀ ୯୮ ଟି ପ୍ଲଟ୍ ର ୧.୭୦ ଏକର ଜମି ଅଧିଗ୍ରହଣ ହେବା ସହ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପୁନଃ ଥଇଥାନ ନିମନ୍ତେ ଆରଡିସିଙ୍କ ଜରିଆରେ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ତର୍ଜମା କରିବା ପରେ ଓଡ଼ିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ ପତ୍ର ସଂଖ୍ୟା ୨୨୫୯୯/୨୭.୬.୨୩ ରେ ବାବା ଆଖଣ୍ଡଳମଣି କମ୍ଲେକ୍ସର ପୁନଃ ଉନ୍ନୟନ ପାଇଁ ଏକ ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଏହି ବେସରକାରୀ ଜମି ଅଧିଗ୍ରହଣ ସହ ଏହି ଜମିରେ ଥିବା ସ୍ଥାବର ଓ ଅସ୍ଥାବର ସଂପତ୍ତି ପାଇଁ ସିଧାସଳଖ କ୍ଷତିପୂରଣ ଅର୍ଥରାଶି ପ୍ରଦାନର ବ୍ୟବସ୍ଥା ରହିଛି। ଏହାସହିତ ବିସ୍ଥାପିତ ହୋଇଥିବା ପରିବାରଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ରହିଛି। ପ୍ରଶାସନର ସର୍ବ ରିର୍ପୋଟ ଅନୁଯାୟୀ ୫୪ ଜଣ ସେବାୟତ ଜମି ଓ ବାସଗୃହ ହରାଉଥିବାବେଳେ ୨୦ ଜଣ ସେବାୟତ ଟ୍ରଷ୍ଟବୋର୍ଡ ଜମିରେ ବସତି ସ୍ଥାପନ କରିଛନ୍ତି। ସେହିପରି ଠାକୁର ସଂପତ୍ତିରେ ୨୪ ଜଣ ସେବାୟତ ଘରକରି ରହିଛନ୍ତି। ଏହିସବୁ ଶ୍ରେଣୀର ମୋଟ ୯୮ ଜଣ ସେବାୟତ ପରିବାର ବର୍ଗଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ସହ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ବିଶେଷକରି ବିସ୍ଥାପିତମାନଙ୍କର ଆସିଷ୍ଟାନସ୍ ଫର ରିଲୋକେସନ ପାଇଁ ପରିବାର ପିଛା ୧ ଲକ୍ଷ ୪ ହଜାର ୧୯୫ ଟଙ୍କା ପ୍ରଦାନ କରାଯିବ। ଏହାବ୍ୟତୀତ ମେନାନସ୍ ଆଲାଉନସ୍ ବାବଦରେ ମାସକୁ ୪ ହଜାର ୬୬୬ ଟଙ୍କା ଲେଖାଏଁ ୧୨ ମାସକୁ ୩୯ ହଜାର ୯୯୨ ଟଙ୍କା ଦିଆଯିବ। ସେହିପରି ଆସିଷ୍ଟାନସ୍ ଫର ଟେମ୍ପରାରୀ ସେଡ୍ ପାଇଁ ୨୦ ହଜାର ୮୩୧ ଟଙ୍କା ଓ ଗୃହୋପକରଣ ଗୁଡିକର ଟ୍ରାନ୍ସପୋର୍ଟିଂ ବାବଦରେ ୪ ହଜାର ୧୬୬ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ପରେ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ପୂର୍ ବିଭାଗକୁ ପ୍ରକଳ୍ପର ଏକ ଏଷ୍ଟିମେଟ୍ ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ମନ୍ଦିରରେ ଭିଡ ଜମାଉଥିବା ଭିକାରୀମାନଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ଭିକ୍ଷୁକମାନଙ୍କର ଆର୍ଥିକ ଉନ୍ନତି ପାଇଁ ଭୋକେସନାଲ ଟ୍ରେନିଂ, ଆର୍ଥିକ ସହାୟତା ରାଶି ଯଗାଇଦେବା ସହ ମଧୁବାବୁ ପେନସନ ଓ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରାଯିବା ସହ ରେସନ୍ କାର୍ଡ ଓ ଆଶ୍ରୟ ସ୍ଥଳୀ ସୃଷ୍ଟି ନିମନ୍ତେ ଏକ ସ୍ୱତନ୍ତ୍ର ପ୍ଲାନ୍ କରିବା ପାଇଁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଚାନ୍ଦବାଲି ବିଡିଓଙ୍କୁ ଏହି ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *