ସିଟ୍ ଛାଡି ଅମଲାମାନଙ୍କ ଗଣଧାରଣା, ଠପ୍ ହୋଇଗଲା ସବୁ କାର୍ଯ୍ୟାଳୟ

ଭଦ୍ରକ : ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି ଗୁରୁବାର ଗ୍ରେଡ୍ ପେ ୪୨୦୦ କୁ ବୃଦ୍ଧି ଦାବି କରି ଜିଲାସ୍ତରୀୟ କାର୍ଯ୍ୟରତ ଅମଲାମାନେ ଛୁଟି ନେଇ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ସମୂହ ଧାରଣା ଦେଇଛନ୍ତି । ଫଳରେ ଆଜି ପ୍ରଶାସନରେ ଅଚଳା ଅବସ୍ଥା ସୃଷ୍ଟି ହୋଇଛି । ଏହି ଆନ୍ଦୋଳନରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ, ବ୍ଲକ୍‌, ଟ୍ରେଜେରୀ, ସବ୍‌ରେଜେଷ୍ଟ୍ରି,ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟଜଳ ଆଦି ବିଭାଗର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଅମଲାମାନେ ଛୁଟିନେଇ ଆଜି ଗଣଧାରଣାରେ ସାମିଲ ହୋଇଛନ୍ତି । ଏହାଫଳରେ ଏହିସବୁ ବିଭାଗକୁ କାର୍ଯ୍ୟ ପାଇଁ ଆସିଥିବା ଜନସାଧାରଣ ନିରାଶ ହୋଇ ଫେରିବାକୁ ପଡିଛି । ଅନୁଷ୍ଠିତ ଗଣଧାରଣାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ମିଳିତ ଅମଲା ମଞ୍ଚ, ଭଦ୍ରକ ଶାଖାର ସଭାପତି ଉଦୟ ନାରାୟଣ ପଣ୍ଡା, ଆବାହକ ହେମନ୍ତ କୁମାର ପ୍ରଧାନ, ଓଡ଼ିଶା ରାଜ୍ୟ ନିବନ୍ଧନ ଅମଲା ସଂଘର ରାଜ୍ୟ ସଭାପତି ବିଭୂଦ ବାରିକ, ଓଡ଼ିଶା ଅମଲା ସଂଘ ଭଦ୍ରକ ସଭାପତି ଲଲାଟେନ୍ଦୁ ବେହେରା, ରାଜସ୍ୱ ଅମଲା ସଂଘ ସଭାପତି ରବିନ୍ଦ୍ରନାଥ ଦ , ନିବନ୍ଧନ ଅମଲା ସଂଘର ଅନ୍ୟତମ ପ୍ରମୁଖ ଅଜିତ୍ କୁମାର ଦାସ, କୋଷାଗାର ଅମଲା ସଂଘର ସଭାପତି ଶ୍ରୀରାମ ମହାନ୍ତି, ଓଡ଼ିଶା ଅମଲା ସଂଘ ସଂପାଦକ ଶରତ କୁମାର ମଲ୍ଲିକ, ରାଜସ୍ୱ ଅମଲା ସଂଘ ଭଦ୍ରକ ସଂପାଦକ ତପନ କୁମାର ସ୍ୱାଇଁ, ନିବନ୍ଧନ ଅମଲା ସଂଘ ଭଦ୍ରକ ସଂପାଦକ ଲଲାଟେନ୍ଦୁ କେଶରୀ ସାମଲ ପ୍ରମୁଖ ଅମଲାମାନଙ୍କ ନ୍ୟାର୍ଯ୍ୟ ଦାବି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଲେବୁଲ-୯୩୦୦+ଗ୍ରେଡ୍ ପେ ୪୨୦୦ ପ୍ରଦାନ ପାଇଁ ଅମଲାମାନେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସରକାର ଦାବି ପୂରଣ ନକରିବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ମିଳିତ ଅମଲା ମଂଚ ପକ୍ଷରୁ ମତ ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଯଦି ଏହି ଆନ୍ଦୋଳନ ଜାରି ରହେ, ତେବେ ନିର୍ବାଚନ, ଛାତ୍ରଛାତ୍ରୀମାନଙ୍କ ନାମଲେଖା, ଜମି ଅଧିଗ୍ରହଣ ଓ ପଂଜିକରଣ, ନାମଜାରୀ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହେବା ସହ ରାଜସ୍ୱ ହାନିର ଆଶଙ୍କା ରହିଛି । ସେହିପରି ବ୍ଲକ୍‌ରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ଘଟିବା ସହ କୃଷି ବିଭାଗର କାର୍ଯ୍ୟ, ସେବାକର, ମେଡିକାଲ ଓ ଶିକ୍ଷା ବିଭାଗରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ଏହି ଆନ୍ଦୋଳନ ଦ୍ୱାରା ଜନସାଧାରଣ ପ୍ରଭାବିତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *