ପୋଖରୀ ପୁନଃରୁଦ୍ଧାର ପ୍ରକଳ୍ପରେ ମନରେଗା ଅର୍ଥ ଲୁଟ ଅଭିଯୋଗ

Spread the love

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସାନଶାସନ ପଞ୍ଚାୟତ ବଡଶାସନ ଗ୍ରାମରେ ପୋଖରୀ ପୁନଃରୁଦ୍ଧାର ପ୍ରକଳ୍ପ କାର୍ଯ୍ୟରେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ପୁରାତନ ପୋଖରୀ ‘ପାଢୀଘର ୨ୟ ପୋଖରୀ’ ଖାତା ନଂ ୩୪୨ ଅନ୍ତର୍ଗତ ୬୩୭ ଖସଡାର ପ୍ରାୟ ୮୦ ଡେସିମିଲ ପରିମିତ ଜମିରେ ରହିଛି । ଏହାର ଜଳଭାଗ ପ୍ରାୟ ୪୦ ଡେସିମିଲ ଜମି ହେବ । ଏହି ଆକାରର ପୋଖରୀ ନୂତନ ଭାବେ ଖନନ କରିବା ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ଯଥେଷ୍ଟ । ମାତ୍ର ମନରେଗା ଯୋଜନାରେ ଏହି ପୋଖରୀର ପୁନଃରୁଦ୍ଧାର ପାଇଁ ୯ଲକ୍ଷ ୮୦ ହଜାର ଟଙ୍କାର ବିଭାଗୀୟ ଭାବେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ୨୦୨୨-୨୩ ଆର୍ଥୀକ ବର୍ଷରେ କୋଡ ନଂ ୨୪୧୭୦୦୩୦୨୩/ଡବ୍ଲୁ.ସି.୧୦୮୧୭୫୧୩ରେ ପୋଖରୀ ପୁନଃରୁଦ୍ଧାର ପାଇଁ ୨ଟି କିସ୍ତିରେ ମୋଟ ୪ଲକ୍ଷ ୧୧ ହଜାର ୧୯୫ଟଙ୍କା ବିଲ ଗତ ଜୁନ ୧ତାରିଖ ସୁଦ୍ଧା ପୈଠ କରାଯାଇସାରିଛି। ଏହି ଶୁଷ୍କ ପୋଖରୀରୁ ଶ୍ରମିକଙ୍କ ଦ୍ବାରା ଉଠାଣ ହୋଇଥିବା ମାଟି ପରିମାଣ ପୋଖରୀ ଆଡିରେ ନଥିବାରୁ କାର୍ଯ୍ୟ ବାସ୍ତବରେ କମ ହୋଇଛି ବୋଲି ଅଭିଯୋଗକାରୀମାନେ ଦର୍ଶାଇଛନ୍ତି । ଏଥିପୂର୍ବରୁ ୨୦୧୬-୧୭ ଆର୍ଥୀକ ବର୍ଷରେ ଏହି ପୋଖରୀ ପୁନଃରୁଦ୍ଧାର ପାଇଁ ମନରେଗା ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଅନୁରୂପ ଭାବେ ୯ ଲକ୍ଷ ୮୦ ହଜାର ଟଙ୍କା ବିଭିନ୍ନ କିସ୍ତିରେ ପୈଠ କରାଯାଇଥିଲା। ବିଭାଗୀୟ କାର୍ଯ୍ୟ ନାମରେ ଠିକାଦାରଙ୍କୁ ପ୍ରକଳ୍ପ ସମର୍ପି ଦିଆଯାଇଛି । ଠିକାଦାର ଓ ବିଲ ପୈଠରେ ନିୟୋଜିତ ସମସ୍ତ ସରକାରୀ ଯନ୍ତ୍ରୀ, କର୍ମଚାରୀ ଓ ଅଧିକାରୀ ମିଳିତ ଭାବେ ଏହି ଅର୍ଥ ଚଳୁ କରିଛନ୍ତି ବୋଲି ଗ୍ରାମବାସୀ ଲଛମନ ପାଢୀ, ଗଙ୍ଗାଧର ସ୍ୱାଇଁ, ବାସନ୍ତି ରାଉତ, ଆନନ୍ଦ ବେହେରା, ମାନସ କୁମାର ବାରିକ, ସୌମ୍ୟରଞ୍ଜନ ରାଉତ, କନକଲତା ବେହେରା, ଚନ୍ଦନ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *