ପାରମ୍ପରିକ ପାନ ସହିତ ଆଧୁନିକ ଛୁଙ୍କରେ ପ୍ରସ୍ତୁତ ହେଉଛି ରଜପାନ, ପୀରହାଟ ରେ ନିଆଁଲଗା ପାନ ପାଇଁ ଲମ୍ବା ଲାଇନ, ବିଭିନ୍ନ ଆକୃତି ଓ ଭିନ୍ନଭିନ୍ନ ସ୍ୱାଦରେ ମିଳୁଛି ରଜପାନ

Spread the love

ଭଦ୍ରକ : ଆଜି ରଜ । ରଜ ପାଇଁ ଉତ୍ସବ ମୁଖର ଗାଁ ଆଉ ସହର । ଚଳିତ ବର୍ଷ ପୀରହାଟ ଅଞ୍ଚଳରେ ମହାଆନନ୍ଦରେ ପାଳନ ହେଉଛି ଏହି ପର୍ବ । ପିଠା, ମିଠା ସହିତ ରଜ ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ । ଆବାଳବୃଦ୍ଧବନିତା ସମସ୍ତେ ମିଠା ରଜପାନ ଖାଇଥାନ୍ତି । ଏନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ସୁଆଦିଆ ରଙ୍ଗବେରଙ୍ଗର ରଜ ପାନ ବିକ୍ରି ହୋଇଥାଏ । ବିଭିନ୍ନ ପ୍ରକାରର ବାସ ମସଲାରେ ପ୍ରସ୍ତୁତ ହୋଇଥିବା ଏହି ପାନ ଖାଇବା ପାଇଁ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥାଏ । ଏହି ରଜ ପାନ ମଧ୍ୟରେ କିଛି ବର୍ଷ ହେଲା ତିହିଡି ବ୍ଲକ ପୀରହାଟ ଅଞ୍ଚଳରେ ମିଳୁଥିବା ନିଆଁଲଗା ପାନ ବେଶ ଚର୍ଚ୍ଚିତ ହୋଇଛି । ଏହି ଚର୍ଚ୍ଚିତ ନିଆଁଲଗା ପାନ ଖାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥାନ୍ତି । ଏହି ପାନର ବିଶେଷତ୍ୱ ହେଉଛି ଗୋଟା ପାନ ଉପରେ ବିଭିନ୍ନ ପ୍ରକାରର ମସଲା ଦେବାପରେ ଏକ ସ୍ୱତନ୍ତ୍ର ମସଲା ପକାଯାଏ ଯାହା ଅଗ୍ନି ସଂସ୍ପର୍ଶରେ ଆସିଲେ ହୁତୁହୁତ ହୋଇ ଜଳିଥାଏ । ପାନ ଜଳୁଥିବା ଅବସ୍ଥାରେ ଦୋକାନୀ ଗ୍ରାହକଙ୍କ ପାଟିରେ ପୁରେଇ ଦେଇଥାଏ । ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ସାଧାରଣ ମିଠା ପାନ ଠାରୁ ଏହି ପାନ ଅଧିକ ସୁଆଦିଆ ବୋଲି ଖାଉଥିବା ଲୋକେ କହିଥାନ୍ତି । ରଜ ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପାନକୁ ବିଭିନ୍ନ ଆକୃତିରେ ତ୍ରିକୋଣ, ଚତ୍ରୁକୋଣ, କଦଳୀ, ମାଛ, ଡ଼ଙ୍ଗା ଭଳି ଆକାରରେ ପାନଭଙ୍ଗା ହୁଏ । ବିଗତ କିଛି ବର୍ଷ ହେଲା ପୀରହାଟ ସାଇ ମନ୍ଦିର ପାଖରେ ଥିବା ରଞ୍ଜନ ମିଶ୍ର ନାମକ ଜଣେ ପାନ ଦୋକାନୀ ଗ୍ରାହକଙ୍କ ବେଶ ପ୍ରିୟ ଭାଜନ ହୋଇ ପାରିଛନ୍ତି । ପାରମ୍ପରିକ ପାନ ସହିତ ଏବେ ଟିକେ ଆଧୁନିକ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଉଛି ରଜପାନ । ଯାହାର ସ୍ୱାଦ ଖୁବ ନିଆରା । ରଞ୍ଜନଙ୍କ ଦୋକାନରେ ମିଳୁଛି ମ୍ୟାଙ୍ଗୋ ପାନ, ଷ୍ଟବେରୀ ପାନ, ଫାୟାର ପାନ, ଚକଲେଟ ପାନ, ବନାରସି ପାନ ଭଳି ବିଭିନ୍ନ ସ୍ୱାଦର ପାନ । ରଜ ସମୟରେ ଗୋଟିଏ ଗୋଟିଏ ପାନ ପାଞ୍ଚ ଟଙ୍କା ରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ।

Leave a Reply

Your email address will not be published. Required fields are marked *