ଓଡ଼ିଶାରାଜନୀତି

ପୁରୁଖାଙ୍କ କାନ୍ଧରେ ପଦ୍ମପୁର ଦାୟୀତ୍ୱ

ପଦ୍ମପୁର: ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂବରିହାଙ୍କ ମୃତ୍ୟୁ ପରେ ସେଠାରେ ହେବାକୁ ଯାଉଛି ଉପ ନିର୍ବାଚନ । ତାରିଖ ଘୋଷଣା ହେବା ପରେ ୩ ପ୍ରମୁଖ ଦଳ ପକ୍ଷରୁ ଆରମ୍ଭ ହୋଇଛି କସରତ। ୩ଟି ବ୍ଲକ ପାଇଁ ବିଜେଡ଼ି ୩ ମନ୍ତ୍ରୀଙ୍କୁ ଦାୟୀତ୍ୱ ଦେଇଛି । ଏପଟେ ବିଜେପି ମଧ୍ୟ ପଶ୍ଚିମ ଓଡ଼ିଶାର ବରିଷ୍ଠଙ୍କୁ ଦାୟୀତ୍ୱ ଦେଇ ପଦ୍ମ ଫୁଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ସେପଟେ କଂଗ୍ରେସ ମଧ୍ୟ ଅନୁରୁପ ଭାବେ ପଶ୍ଚିମ ଓଡ଼ିଶା ନେତାଙ୍କୁ ପଦ୍ମପୁର ମଙ୍ଗ ସମ୍ଭାଳିବା ଦାୟିତ୍ୱ ଦେଇଛି।

ଧାମନଗରରେ ବିଜେଡ଼ିର ଯୁବ ବ୍ରିଗେଡ୍ ଫେଲ । ଏଥର ପୁରୁଖାଙ୍କ କାନ୍ଧରେ ପଦ୍ମପୁର ଦାୟୀତ୍ୱ । ଧାମନଗର ଫଳାଫଳକୁ ନେଇ ଚାପରେ ବିଜେଡ଼ି । ପଦ୍ମପୁରରେ ପଦ୍ମ ଫୁଟାଇବାକୁ ବିଜେପିର ଦମ୍ଭୋକ୍ତି। ସେପଟେ ଅମାନତ ହରାଇ ମଧ୍ୟ ମୁହଁ ଫୁଟାଣି ଯାଉନି କଂଗ୍ରେସର। ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଶେଷ କରି ଧାମନଗର ପରାଜୟ ପରେ ବିଜେଡ଼ି ପାଇଁ ପଦ୍ମପୁର ଜିତିବା ସମ୍ମାନର ପ୍ରସଙ୍ଗ ହୋଇଛି। ହେଲେ ଏଥର ଆଉ ଯୁବ ବ୍ରିଗେଡ଼ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଅଭିଜ୍ଞ ନେତାକୁ ଦିଆଯାଇଛି ଦାୟିତ୍ୱ । ନିର୍ବାଚନ ମଣ୍ଡଳୀ ପରିଚାଳନାର ମଙ୍ଗ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ପଦ୍ମପୁର ବ୍ଳକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜା, ପାଇକମାଳ ପାଇଁ ନବ ଦାସଝାରବନ୍ଧ ପାଇଁ  ରାଜେନ୍ଦ୍ର ଢୋଲକିଆଙ୍କ ପରି ମନ୍ତ୍ରୀଙ୍କୁ ଦାୟୀତ୍ୱ ଦେଇଛି ଦଳ। ମନ୍ତ୍ରୀ ଟୁକୁନି ସାହୁ,ଦେବେଶ ଆଚାର୍ଯ୍ୟ,ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ,ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓ  ପ୍ରମୁଖ ଜୋନ ଦାଇତ୍ଵ ସମ୍ଭାଳିବେ। ଅନ୍ୟପଟେ ପ୍ରାୟ ଉପ ନିର୍ବାଚନରେ ଅମାନତ ହରାଉଥିବା କଂଗ୍ରେସ ମଧ୍ୟ ପିସିସି ସଭାପତିଙ୍କ ନେତୃତ୍ୱରେ ପଦ୍ମପୁରରେ ବିଜୟ ପାଇଁ ଦମ୍ଭ ଦେଖାଇଛି ।

ଏପଟେ ଧାମନଗର ଉପନିର୍ବାଚନ ବିଜୟ ପରେ ବିଜେପିର ମନବଳ ବେଶ ଉର୍ଦ୍ଧରେ ରହିଛି । ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦଳ କହିଛି । ବିଶେଷ କରି ସାଂସଦ ସୁରେଶ ପୂଜାରୀ,ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନିର୍ବାଚନର ମଙ୍ଗ ସମ୍ଭାଳିବେ । ଏହାସହ ୨ରୁ ୩ ଦିନ ଭିତରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓ ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀ ଓଡ଼ିଶା ଆସି ଚୁଡ଼ାନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ। ତେବେ ଆସନ୍ତା ୧୦ ତାରିଖ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ସବୁ ଦଳ ପ୍ରାର୍ଥୀ ଚୟନରେ ଜୋର ଲଗାଇ ଦେଇଛନ୍ତି । ବିଜେଡ଼ି  ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ମୈଦାନକୁ ଛାଡ଼ି ଅନୁକମ୍ପା କାର୍ଡ ଖେଳିବା ସମ୍ଭାବନା ରହିଥିବା ବେଳେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିବା ବିଜେପିର ଏକ ପ୍ରକାର ଥୟ .। କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ପାଇଁ ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ପ୍ରସ୍ତୁତ କରିଛି ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button