ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ନେଇ ବିଜେପିର ଆରୋପ

Spread the love

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିଜେପି ନେତା ବଦ୍ରୀ ନାରାୟଣ ଧଳ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ଓ ଚେତାବନୀ ସତ୍ୱେ ବ୍ଲକ୍ ପ୍ରଶାସନର ପାତର ଅନ୍ତର ନୀତି ପାଇଁ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଥିବାବେଳେ ଅଯୋଗ୍ୟ ହିତାଧିକାରୀମାନେ ବିଭିନ୍ନ ଉପାୟରେ ସଂପୃକ୍ତ ଅଧିକାରୀମାନଙ୍କ ଜରିଆରେ ଏକାଧିକ ଘର ହାତେଇବାରେ ସଫଳ ହେଉଛନ୍ତି । ଏବଂ ଦଲାଲମାନେ ବେଶ୍ କିଛି ଅର୍ଥ ଉପାର୍ଜନ କରୁଛନ୍ତି ବୋଲି ଧଳ ଆରୋପ କରିବା ସହ ଆବାସ ଯୋଜନାରେ କେଳେଙ୍କାରୀ ନେଇ ସ୍ଥାନୀୟ ବିଡିଓଙ୍କ ସହ ଆଶାୟୀମାନଙ୍କ ଆପି ବିଷୟରେ ଆଲୋଚନା କରିଛନ୍ତି । ଏମିତିକି କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ ଉଦ୍ଦେଶ୍ୟ ମୂଳକ ଭାବେ ବିଭିନ୍ନ ମିଥ୍ୟା ଆଳ ଦେଖାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉନଥିବାର ସେ ଅଭିଯୋଗ କରିଛନ୍ତି । ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ହିତାଧିକାରୀଙ୍କ ପ୍ରାପ୍ୟ ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ଲାଞ୍ଚ ମଗାଯାଉଛି ବୋଲି ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ବାଲିପୋଖରୀ ବିଷ୍ଣୁପୁର, ନପଙ୍ଗ ଓ ରହଣିଆ ପଞ୍ଚାୟତର କିଛି ଯୋଗ୍ୟ ହିତାଧିକାରୀ ବିଡିଓଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀଙ୍କ ସହିତ ବାଲିପୋଖରୀ ପଞ୍ଚାୟତରୁ ପ୍ରକାଶ ମହାପାତ୍ର, ବିଷ୍ଣୁପୁରରୁ ତପନ ପାତ୍ର, ନପଙ୍ଗରୁ ଅମୀୟ ନାୟକ ପ୍ରମୁଖ ଆଜି ବିଡିଓଙ୍କୁ ଭେଟି ସେମାନଙ୍କର ଅଭିଯୋଗ ଦାଖଲ କରିଛନ୍ତି । ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବାରେ ବ୍ଲକ୍ ପ୍ରଶାସନ ପାତର ଅନ୍ତର ନୀତି ଆପଣାଇଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ବଦ୍ରୀ ନାରାୟଣ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *