ଦୁର୍ବଳ ନଦୀବନ୍ଧ ଯୋଗୁଁ ଧାମନଗର ବନ୍ୟା ପ୍ରବାହିତ ହେବ, ଚୀନର ଦୁଃଖ ହେୟାଙ୍ଗ ହୋ ଭଳି ଧାମନଗରର ଦୁଃଖ ବୈତରଣୀ ନଦୀ

Spread the love

ଭଦ୍ରକ : ଆଖୁଆପଦାସ୍ଥିତ ବୈତରଣୀ ନଦୀ ଆନିକଟ ଠାରେ ଏହାର ବିପଦ ସଂକେତ ରହିଛି । ନଦୀବନ୍ଧଗୁଡିକ ନିମ୍ନ ଓ ଦୁର୍ବଳ ଥିବାରୁ ବୈତରଣୀ ନଦୀଜଳ ବିପଦ ସଂକେତ ତଳେ ଥିଲେ ମଧ୍ୟ ତଳି ଅଞ୍ଚଳରେ ବନ୍ୟା ଦେଖାଦେଇଥାଏ । ବିଶେଷକରି ବୈତରଣୀର ବନ୍ୟା ଧାମନଗରକୁ ଅଧିକ କ୍ଷତିଗ୍ରସ୍ତ କରାଇଥାଏ । ଆବହମାନ କାଳରୁ ଜିଲାର ଏହି ବ୍ଲକ୍ ଏକ ବନ୍ୟା ପ୍ଲାବିତ ଅଞ୍ଚଳ ବୋଲି ରାଜ୍ୟରେ ବେଶ୍ ଜଣାଶୁଣା । ହେଲେ ଏହାର ସ୍ଥାୟୀ ସମାଧାନ ଆଜିପର୍ଯ୍ୟନ୍ତ ନହେବା ଦୁର୍ଭାଗ୍ୟଜନକ । ପ୍ରତିବର୍ଷ ବନ୍ୟା ପ୍ଲାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ, ରିଲିଫ୍ ଯୋଗାଣ, ରନ୍ଧାଖାଦ୍ୟ ବଣ୍ଟନ, ଘରଭଙ୍ଗା ସାହାଯ୍ୟ ଓ ରାସ୍ତାଘାଟ ମରାମତି ସହ କୃଷି କ୍ଷୟକ୍ଷତି ଆର୍ଥିକ ସହାୟତା ପ୍ରଦାନ ବାବଦରେ ପାଖାପାଖି ୫ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଆସୁଛି । ହେଲେ ସରକାର ସ୍ଥାୟୀ ପ୍ରତିକାର ଦିଗରେ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଆଜିଯାଏ ନିଆଯାଇନାହିଁ । ବିଗତରେ ବିଭିନ୍ନ ସରକାର ଆସିଛି, କିନ୍ତୁ ଅଦ୍ୟାବଧି ଧାମନଗରରେ ମଧ୍ୟମ ଧରଣର ବନ୍ୟା ରୋକାଯାଇପାରିନାହିଁ । ଧାମନଗର ବ୍ଲକ୍‌ରେ ବୈତରଣୀର ଶାଖା କୋଚିଳା, ଗେଙ୍ଗୁଟି ସମେତ ରେବ, କପାଳୀ ଓ ଯ ନଦୀ ପ୍ରବାହିତ । ବୈତରଣୀ ନଦୀର ପିଆରଆଇ ଏମବାକମେଣ୍ଟ ଓ ଏଇ ଷ୍ଟାଣ୍ଡାର୍ଡ ଓ ପରବର୍ତ୍ତୀ ଅବସ୍ଥାରେ କ୍ୟାପିଟାଲ ପେଟର୍ଣ୍ଣ ଆଡିବନ୍ଧମାନ ନିର୍ମାଣ କରାଯାଇଛି । ଏହାର ବହୁ ପୂର୍ବରୁ ବୈତରଣୀର ଦକ୍ଷିଣ ପାର୍ଶ୍ୱରେ ଯାଜପୁର କ୍ୟାପିଟାଲ ଏମବାକମେଣ୍ଟ ଉଚ୍ଚ ଓ ସୁଦୃଢ ହୋଇଛି । ଏଣୁ ବୈତରଣୀରେ ସାଧାରଣ ବନ୍ୟା ହେଲେ ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍‌କେପରେ ବନ୍ୟାଜଳ ପ୍ଲାବିତ ହୋଇ ଚାଷଜମିରେ ଫସଲ ହାନି କରିଥାଏ । ସେହିପରି କଣ୍ଟିଘାଇ ଏସ୍‌କେପଟି ବିକ୍ଷିପ୍ତ ଅବସ୍ଥାରେ ରହିଛି । ଅଦ୍ୟାବଧି ଏହାକୁ ରାଇଜିଂ କରାଯାଇପାରିନାହିଁ । ବୈତରଣୀରେ ମଠସାହି, ମୁକ୍ତାନଗର, ବଣୁଆସାହି, ଅସ୍ଥକ, ଜେନାସାହି ଓ ତଳ ଅସ୍ତକ ଠାରେ ପଥର ପ୍ୟାକିଂ ହୋଇନାହିଁ । ଏଣୁ ବର୍ଷାଋତୁରେ କିମ୍ବା ଲଘୁଚାପ ଜନିତ ବର୍ଷା କାରଣରୁ ବନ୍ୟା ଆସିଲେ ଏହିସବୁ ଅଞ୍ଚଳର ବାସିନ୍ଦା ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେହିପରି ପାଳସାହି ଓ ତୋଟାସାହି ଠାରେ ସାଧାରଣ ବନ୍ୟାରେ ବନ୍ଧ ବୁଡିଯାଉଛି । ତଳ ଅସ୍ତକ ଠାରୁ ମମଦୁଲ୍ଲା ପର୍ଯ୍ୟନ୍ତ ୮ କୋଟି ଟଙ୍କାର କାର୍ଯ୍ୟ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ସେହିପରି ଗେଙ୍ଗୁଟି ନଦୀର ଦକ୍ଷିଣ ପାଶ୍ୱର୍ରେ ଦଳାଙ୍ଗ ଠାରେ ନଦୀବନ୍ଧ ପ୍ୟାକିଂ ଦବିଯାଇଥିଲେ ମଧ୍ୟ ଜଳସେଚନ ବିଭାଗର ଏଥିପ୍ରତି ନଜର ନାହିଁ । ଫଳରେ ଆସନ୍ତା ବନ୍ୟାରେ ବନ୍ଧ ଭାଙ୍ଗିଯିବାର ଯଥେଷ୍ଟ ଆଶଙ୍କା ରହିଛି । ଅନ୍ୟପକ୍ଷରେ ବିରୁହାଁ ଠାରୁ ତଳକୁ ନଦୀବନ୍ଧ କାର୍ଯ୍ୟଗୁଡିକ ଦୃଢୀକରଣ ହୋଇନଥିବାରୁ ବନ୍ଧ ଭାଙ୍ଗିବାର ଆଶଙ୍କା ରହିଛି । ସେହିପରି ଗେଙ୍ଗୁଟି ରେବ, କପାଳୀ ଓ ଯ ନଦୀରେ କୋଟି କୋଟି ଟଙ୍କା ବିଭାଗ ପକ୍ଷରୁ ବ୍ୟୟ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏ ଅଧପନ୍ତରିଆ ଅବସ୍ଥାରେ ରହିଛି । ଫଳରେ ବର୍ଷାଜଳ ଓ ବନ୍ୟାଜଳ ନିଷ୍କାସନ ବାଧାପ୍ରାପ୍ତ ଘଟୁଛି । ଏଭଳି ଅବସ୍ଥାରେ କଟସାହି, ଖପରପଦା, ଫତେପୁର, ଅସୁରାଳି, ଗୋବିନ୍ଦପୁର, କାସିନ୍ଦିପୁର ପଞ୍ଚାୟତରେ ପ୍ରତିବର୍ଷ କୃତିମ ବନ୍ୟା ସୃଷ୍ଟି ହୋଇଥାଏ । ବୈତରଣୀ, ଗେଙ୍ଗୁଟି, କୋଚିଳା ଓ ରେବ, କପାଳୀ ଓ ଯ ନଦୀଗୁଡିକର ବିପଦ ସଂକୁଳ ଅବସ୍ଥାରେ ଥିବା ନଦୀବନ୍ଧ ଗୁଡିକ ପ୍ରତି ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ କଣ୍ଟିଘାଇ, ମଲ୍ଲିମାହାରା, ଗୌରାଙ୍ଗପୁର ଏସକେପକୁ ରାଇଜିଂ କରିବା ପାଇଁ ପ୍ରଦେଶ କମିଟିର ସଦସ୍ୟ ଜିଲାର ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢୀ, ଅବିଶେକ ରାଉତ, ଅମରେଶ ଚନ୍ଦ୍ର ବେହେରା, ନରେନ୍ଦ୍ର କୁମାର ମଲ୍ଲିକ, ଅରବିନ୍ଦ ନାୟକ, ଶରତ କୁମାର ମିଶ୍ର, ଅମୀୟ କୁମାର ମହାନ୍ତି, ପ୍ରଭାତ ପଣ୍ଡା, ଆଲୋକ ସ୍ୱାଇଁ, ପରମାନନ୍ଦ ସାମନ୍ତ, ପେଜୁ ପଣ୍ଡା, ରବିନ୍ଦ୍ର ଜେନା, ରାକେଶ ବିଶ୍ୱାଳ ପ୍ରମୁଖ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି । ଅପରପକ୍ଷରେ ଆସନ୍ତା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି ବୋଲି ଯାଜପୁର ଜଳସେଚନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଜିଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *