ତିହିଡି ବଜାରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସାଧାରଣରେ ଅସନ୍ତୋଷ

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବଜାରର ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ଅସରାଏ ବର୍ଷା ହେଲେ ରାସ୍ତାର ଦୁଇ ପାର୍ଶ୍ୱରେ ପାଣି ଦୀର୍ଘଦିନ ଧରି ଜମି ରହିବା ସହ ଅଳିଆ ଆବର୍ଜନା ପଚି ଷଢ଼ି ଦୁର୍ଗନ୍ଧ ବାହାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତିହିଡ଼ି ବଜାର ହେଉଛି ତିହିଡ଼ି ବ୍ଲକର ସଦର ମହକୁମା। ପ୍ରତିଦିନ ଏହି ବଜାରକୁ ବ୍ଲକର ୩୧ ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ନେଇ ଆସିଥାନ୍ତି। ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥର ନିର୍ମାଣ ସମୟରେ ତିହିଡି ବଜାରରେ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା କରାଯାଇନଥିଲା। ସ୍ଥାନୀୟ ଲୋକେ ସେନେଇ ଅସନ୍ତୋଷ ପ୍ରକାଶ କରି ଗ୍ରମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନାମକୁମାତ୍ର ରାସ୍ତାର ଗୋଟିଏ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା। ଏହି ଡ୍ରେନେଜ ବ୍ୟବସ୍ଥା ସଠିକ୍ ଭାବେ ହୋଇନଥିଲେ ମଧ୍ୟ କେତେକାଂଶରେ ଏହା ବର୍ଷା ପାଣି ନିଷ୍କାସନରେ ସାହାଯ୍ୟ କରୁଥିଲା। ମାତ୍ର ଜଳେଯାଗାଣ କାରୀ ସଂସ୍ଥା ମେଗା କମ୍ପାନୀ ଗତ ୧ବର୍ଷ ହେବ ତିହିଡ଼ି ବଜାରରେ ପାଇପ୍ ବିଛାଇବା କାର୍ଯ୍ୟ ଆରମ୍ଭ କରିଥିଲା। ଏହି ପାଇପ୍ ବିଛାଇବା ସମୟରେ ମେଗା କମ୍ପାନୀ ତିହିଡ଼ି ପୁରୁଣା ହାଟ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଥିବା ଏହି ଡ୍ରେନର ପାଖାପାଖି ୮୦ଭାଗ ମନମୁଖୀ ଭାବେ ତାଡ଼ି ଦେଇ ପାଇପ୍ ବିଛାଇ ଡ୍ରେନ୍ କୁ ପୋତି ଦେଇଛି। ସେତେବେଳେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ପାଇପ୍ ବିଛା ସରିଲେ ଡ୍ରେନ୍ ପୁଣି ନିର୍ମାଣ କରି ଦିଆଯିବ ବୋଲି କହି କମ୍ପାନୀ କର୍ତ୍ତୃପକ୍ଷ ଲୋକମାନଙ୍କୁ ବୁଝାଇ ଦେଇଥିଲା। ତେବେ ଡ୍ରେନ୍ ଭଙ୍ଗାଯିବା ପାଖାପାଖି ୧ବର୍ଷ ବିତି ଯାଇଥିଲେ ମଧ୍ୟ ମେଗା କମ୍ପାନୀ ଏହି ଡ୍ରେନ୍ କୁ ପୁନଃ ନିର୍ମାଣ କରୁଛି ନା ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉଛି । ଯାହା ଫଳରେ ତିହିଡ଼ି ବଜାରର ଡ୍ରେନେଜ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଅସରାଏ ବର୍ଷା ହେଲେ ରାସ୍ତାର ଉଭୟ ପାର୍ଶ୍ୱରେ ପାର୍ଶ୍ୱରେ ସପ୍ତାହେ ଯାଏ ପାଣି ଜମିରହି ଦୁର୍ଗନ୍ଧ ବାହାରୁଛି। ତିହିଡି ବଜାରରେ ରାସ୍ତା ପାର୍ଶ୍ୱରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏହି ଦୁର୍ଗନ୍ଧ ପାଇଁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ବର୍ଷା ସମୟରେ ରାସ୍ତାର ଗୋଟେ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ସମ୍ଭବ ହେଉନାହିଁ। ବଜାରକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ଏଥିଯୋଗୁ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଆଗକୁ ଆସୁଛି ବର୍ଷା ଦିନ । ଡ୍ରେନେଜ ବ୍ୟବସ୍ଥା ନସୁଧାରିଲେ ତିହିଡି ବଜାର ନର୍ଦ୍ଦମା ପାଣିରେ ଭାସିବା ଏକପ୍ରକାର ନିଶ୍ଚିତ ହୋଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବିହୋଇଛି ।

Leave a Reply

Your email address will not be published. Required fields are marked *