ଗଣମାଧ୍ୟମର ପ୍ରଭାବ- ୮୦ ବର୍ଷିୟା ବୃଦ୍ଧା ମା କୌଶଲ୍ୟାଙ୍କ ନିକଟରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

Spread the love

ଭଦ୍ରକ : ଏହି ଜିଲ୍ଲାର ଚାନ୍ଦବାଲି ଥାନା ଅଧୀନସ୍ଥ ମହୁଲିଆ ପଞ୍ଚାୟତ ସାନଦାସପୁର ଗ୍ରାମର ୮୦ ବର୍ଷିୟା ଅସହାୟ ବୃଦ୍ଧା କୌଶଲ୍ୟା କରଙ୍କ ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ଏସ୍‌ଓ ପବିତ୍ର କୁମାର ଦାସ, ଏସ୍‌ଡିଏସଏସ୍‌ଓ ସୁବାଷ ଚନ୍ଦ୍ର ନାୟକ, ବିଏସ୍‌ଏସ୍‌ଓ ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ଅସହାୟ ବୃଦ୍ଧାଙ୍କ ନିକଟରେ ପହଞ୍ଚି ଜିଲ୍ଲା ରେଡ୍‌କ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ବସ୍ତ୍ରୀ ପ୍ରଦାନ କରିଛନ୍ତି । ଏବଂ କୌଶଲ୍ୟାଙ୍କର ଉପଯୁକ୍ତ ଦାୟିତ୍ୱ ନେବାକୁ ପରିବାରକୁ ତାଗିଦ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଗ୍ରାମର କୌଶଲ୍ୟା କର ନିଜର ଚାରିପୁତ୍ର ଓ ପୁତ୍ରବଧୂଙ୍କ ଦ୍ୱାରା ନିର୍ଯ୍ୟାତିତା ହୋଇ ଖାଇବା ବିନା ଏଣେତେଣେ ବୁଲି ନିଜର ପେଟର ଭୋକକୁ ମାରିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଚାନ୍ଦବାଲି ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ଦ୍ୱାରା କ୍ଷେତ୍ରୀୟ ତଦନ୍ତ କରାଇ ଉପରୋକ୍ତ ଆବଶ୍ୟକ ସହାୟତା ପ୍ରଦାନ କରିଛନ୍ତି । ଏଥିସହ ଥାନାଧିକାରୀ ପ୍ରଧାନ ଘଟଣାସ୍ଥଳକୁ ଯାଇ ପୁଅମାନଙ୍କୁ ଡାକି ନିଜ ବୃଦ୍ଧା ମା’ର ଉପଯୁକ୍ତ ଦାୟିତ୍ୱ ନେବାକୁ ତାଗିଦ କରି ତାହା ସେମାନେ କାର୍ଯ୍ୟକାରୀ ନକଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ତେବେ କେବଳ କୌଶଲ୍ୟା ନୁହଁନ୍ତି, ତାଙ୍କ ଭଳି ବହୁ ବୃଦ୍ଧ-ବୃଦ୍ଧା ସମାଜରେ ନିଜ ପରିବାର ଦ୍ୱାରା ଯେଭଳି ନିର୍ଯ୍ୟାତିତ ହେଉଛନ୍ତି, ତାହାର ସୁଧାର ନିମନ୍ତେ ବୁଦ୍ଧିଜୀବୀ, ସ୍ଥାନୀୟ ରାଜନେତା ଓ ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିବା ଉଚିତ୍ ।

Leave a Reply

Your email address will not be published. Required fields are marked *