ରାଷ୍ଟ୍ରପତିଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମରେ ଅନିଶ୍ଚିତତା ଦେଖାଦେଇଛି, ଆଲୁମିନି ବୈଠକରେ ହୀରକ ଜୟନ୍ତୀ ଉତ୍ସବ ସାମୟିକ ଭାବେ ସ୍ଥଗିତ

Spread the love

ଭଦ୍ରକ : ପ୍ରତିକୂଳ ପାଗ ଯୋଗୁଁ ଭଦ୍ରକ ମହାବିଦ୍ୟାଳୟର ଆସନ୍ତା ୨୭ ତାରିଖରେ ପାଳିତ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ହୀରକ ଜୟନ୍ତୀ ଉତ୍ସବ ପାଳନକୁ ଘୁ ।ଇଦେବା ସହ ମହାମହିମ ଗସ୍ତ କାର୍ଯ୍ୟକ୍ରମକୁ ସାମୟିକ ସ୍ଥଗିତ ରଖିବା ପାଇଁ ଭଦ୍ରକ ମହାବିଦ୍ୟାଳୟର ଆଲୁମିନି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତକାଲି ସନ୍ଧ୍ୟା ୮ଟାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସଭାପତିତ୍ୱରେ ସଂସ୍ମୃତି ଭବନ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଗତକାଲି ଭଦ୍ରକ ସହରରେ ସର୍ବାଧିକ ବର୍ଷା ବିତ୍ପାତ (୧୬୫ ମିମି) ଯୋଗୁଁ ଭଦ୍ରକ ମହାବିଦ୍ୟାଳୟ ପରିସର ଜଳାର୍ଣ୍ଣବ ହୋଇପଡିଛି । ବିଶେଷକରି ହୀରକ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଥିବା ମହାବିଦ୍ୟାଳୟର ଖେଳ ପଡିଆ ଓ ନେହେରୁ ଷ୍ଟାଡିୟମ୍‌ଟି ବର୍ଷାଜଳରେ ଉବୁଟୁବୁ ହୋଇପଡିଛି । ଗତକାଲି ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭଦ୍ରକ ମହାବିଦ୍ୟାଳୟ ଯାଇ ଜଳାର୍ଣ୍ଣବ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଆଗାମୀ ଦିନରେ ପାଣିପାଗର ବୃଷ୍ଟିାପତ ଆକଳନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସଫଳତାକୁ ନେଇ ଭଦ୍ରକ ମହାବିଦ୍ୟାଳୟ ଆଲୁମିନି ଓ କର୍ତ୍ତୃପକ୍ଷଙ୍କ ସହ ଜିଲା ପ୍ରଶାସନ ଦ୍ୱନ୍ଦ୍ୱରେ ପଡିଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଆଲୁମିନି ପକ୍ଷରୁ ଏକ ଜରୁରୀ ବୈଠକ ଆହୂତ ହୋଇଥିଲା । ଅନୁଷ୍ଠିତ ବୈଠକରେ ବର୍ଷାଋତୁ ପରେ ଅନୁକୂଳ ପାଗ ଦେଖି ହୀରକ ଜୟନ୍ତୀ ଉତ୍ସବକୁ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହାବ୍ୟତୀତ ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ମହାମହିମ  ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ଆଲୁମିନି ପକ୍ଷରୁ ହୀରକ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦାନ ପାଇଁ ପୁନର୍ବାର ଅନୁରୋଧ କରାଯିବା ସହ ସଫଳତା ହାସଲ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ୍ ଚେୟାରମେନ୍ ଉର୍ମିଳା ନାୟକ, ପୌରାଧ୍ୟକ୍ଷା ଗୁଲମକୀ ହବିବି, ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ,  ବଦ୍ରୀନାରାୟଣ ଧଳ, ଅମ୍ବିକା ଦାସ, କଂଗ୍ରେସ ନେତା ନଳିନୀ ମହାନ୍ତି, ଶୈଳେନ୍ଦ୍ର ମହାପାତ୍ର, ଅଜୟ ନାୟକ, ପବନ ଶର୍ମା, ଜ୍ୟୋତିପ୍ରକାଶ ମହାନ୍ତି, ସୌରେଶ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବୋଧ କୁମାର ମିଶ୍ର, ପ୍ରଫେସର ଡ. ଦୁର୍ଗାଶଙ୍କର ଦାସ, ପ୍ରଫେସର ଡ. ଅଜୟ କୁମାର ସେଠୀ ପ୍ରମୁଖ ସଦସ୍ୟ ଥିଲେ ।

Leave a Reply

Your email address will not be published. Required fields are marked *