ଆସୁଛି ବନ୍ୟା ଓ ବାତ୍ୟା, ବିବାଦରେ ଛନ୍ଦି ହୋଇରହିଛି ବିରୋଳି ବାତ୍ୟା ଆଶ୍ରୟସ୍ଥଳୀ

Spread the love

ଭଦ୍ରକ : ବୈତରଣୀ ନଦୀକୂଳବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଏହି ଜିଲାର ଭଣ୍ଡାରିପୋଖରୀ ଷୋଳମପୁର ପଞ୍ଚାୟତର ବିରୋଳି ଠାରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଗତ ୬ ବର୍ଷ ତଳୁ ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଅନୁମୋଦିତ ସ୍ଥାନରେ ଏହି ବାତ୍ୟା ଆଶ୍ରୟସ୍ଥଳୀଟି ନିର୍ମାଣ କରାନଯାଇ ଅନ୍ୟତ୍ର କରାଯିବାରୁ ବିବାଦ ଉପୁଜି ଏହାର କାର୍ଯ୍ୟ ସ୍ଥଗିତ ରହିଛି । ଏହି ପଞ୍ଚାୟତର ମଣିନାଥପୁର ଠାରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ଥିବା ସତ୍ୱେ ଏହା ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ବର୍ଷର ବିଭିନ୍ନ ସମୟରେ ବନ୍ୟା ଓ ବାତ୍ୟା ଯୋଗୁଁ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ପଞ୍ଚାୟତର ବିରୋଳି ଠାରେ ଅନ୍ୟ ଏକ ବାତ୍ୟା ଆଶ୍ରୟଳସ୍ଥଳୀ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବାତ୍ୟା ଆଶ୍ରୟଳସ୍ଥଳୀ ବିରୋଳି ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ନିର୍ମାଣ କରିବା ପାଇଁ ସ୍ଥାନୀୟ ତହସିଲଦାର ଜମି ଚିହ୍ନଟ କରିବା ପରେ ଉଭୟ ରାଜସ୍ୱ ଓ ବ୍ଲକ୍ ପ୍ରଶାସନ ଏହି ସ୍ଥାନରେ ତାହା ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରିଥିଲେ । ତେବେ ଏହାର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦାୟିତ୍ୱ ନେଇଥିବା ଠିକାଦାର ନିଜ ଇଚ୍ଛା ଅବା କାହା ଦ୍ୱାରା ପ୍ରଭାବିତ ହୋଇ ଏହାକୁ ଅନୁମୋଦିତ ସ୍ଥାନ ପରିବେର୍ତ୍ତେ କିଛି ଦୂର ଅନ୍ୟ ଏକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ସ୍ଥାନୀୟ ଲୋକମାନେ ତାହାର ବିରୋଧ କରିଥିଲେ । ଏପରିକି କାର୍ଯ୍ୟକୁ ବନ୍ଦ କରିବା ସହ ଠିକାଦାରଙ୍କ ଲୋକମାନଙ୍କୁ ସେଠାରୁ ବିତାଡିତ କରିବା ଫଳରେ ଏବେ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ସହ ଗ୍ରାମବାସୀଙ୍କ ପକ୍ଷରୁ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇଛି । ଫଳରେ ଗତ ୬ ବର୍ଷ ଧରି ଏହି ବାତ୍ୟା ଆଶ୍ରୟଳସ୍ଥଳୀର ନିର୍ମାଣ କାର୍ଯ୍ୟ ପ୍ଲିନ୍ଥ ଲେବୁଲରେ ଅଟକି ରହିଛି । ଏପଟେ ପ୍ରତିବନ୍ଧ ଏକାଧିକ ବନ୍ୟା ସାଙ୍ଗକୁ ବାତ୍ୟା ମଧ୍ୟ ଆସୁଛି । ପୁଣି ଚଳିତବର୍ଷ ଆଗକୁ ମଧ୍ୟ ବୈତରଣୀରେ ବନ୍ୟା ସାଙ୍ଗକୁ ବାତ୍ୟା ଆସିବାର ଆଶଙ୍କା ରହିଛି । ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା ଦୂର ପାଇଁ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ । ଏଭଳି ସ୍ଥିତିରେ ଏହାର ଭବିଷ୍ୟତ ସଜ୍ଞାହୀନ ଅବସ୍ଥାରେ ରହିଛି । ଏଣୁ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ଅନୁମୋଦିତ ସ୍ଥାନରେ ତାହା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *