ଦାଣ୍ଡକୂଳରେ ବିପୁଳ କାଠ ସହ ବେଆଇନ କରତକଳ ଯନ୍ତ୍ରାଂଶ ଜବତ, ୪ ମାସରେ ୨ୟ ଘଟଣା

Spread the love

ଭଦ୍ରକ : ଧାମନଗର ବନା ଳର ଦୁଇଟି ସ୍ଥାନରେ ଚାଲିଥିବା ବେଆଇନ୍ କରତ କଳ ଉପରେ ବନ ବିଭାଗ ଟାକ୍ସ ଫୋର୍ସ ଚଢାଉ କରିଛି । ଚଢାଉବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୧୫ ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ ହୋଇଛି । ଏଥିସହ ଉଭୟ କରତକଳ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ଗତକାଲି ସକାଳୁ ଖଡିପଦା ପଞ୍ଚାୟତର ଦକ୍ଷିଣ କାଞ୍ଜିଆପାଳରେ ବିନା ଲାଇସେନ୍ସରେ ଚାଲିଥିବା କରତକଳ ଉପରେ ବନ ବିଭାଗର ଭିଜିଲାନ୍ସ ଟିମ୍ ଏହି ଚଢାଉ କରି ସଂପୃକ୍ତ ମିଲର ସମସ୍ତ ଯନ୍ତ୍ରାଂଶ  ଓ ପାଖାପାଖି ୨୦୦ ସିଫ୍ଟ କାଠ ଜବତ କରିଥିଲା । ଅନୁରୂପ ଏହି ବନ ବିଭାଗ ଅଧୀନରେ ଆସୁଥିବା ଭଣ୍ଡାରିପୋଖରୀ ଥାନାର ଦାଣ୍ଡକୁଳରେ ଚାଲିଥିବା କରତକଳ ଉପରେ ମଧ୍ୟ ଚଢାଉ ହୋଇଛି । ଏହି ବେଆଇନ୍ ମିଲ୍‌ରୁ ପ୍ରାୟ ୧୪୨ ସିଫ୍ଟ କାଠ ଜବତ କରାଯାଇଛି । ଏଥିସହ ବନ କର୍ମଚାରୀ ଓ ଅଧିକାରୀ ଗ୍ୟାସ୍ କଟର ଆଣି ସମସ୍ତ ଯନ୍ତ୍ରାଂଶକୁ କାଟି ନେବା ସହ ଦୁଇଟି କରତକଳର ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନ କେନ୍ଦୁଆପଦାରେ ଲାଇସେନ୍ସ ପ୍ରାପ୍ତ କରତକଳ ଚାଲୁଅଛି । ହେଲେ ଏହା ଦୂର ହେଉଥିବା ସୁଯୋଗ ନେଇ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି ବେଆଇନ୍ ଭାବେ ଦୁଇଟି ସ୍ଥାନରେ କରତକଳ ଚଲାଇଥିଲେ । ତେବେ ସ୍ଥାନୀୟ ବନ କର୍ମଚାରୀଙ୍କ ସହଯୋଗରେ ଦୁଇଟି ଯାକ ମିଲ୍ ଦୀର୍ଘଦିନ ହେଲା ଚାଲୁଥିଲା । ଏହି ବେଆଇନ୍ କରତକଳ ବିରୁଦ୍ଧରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସ୍ଥାନୀୟ ବନକର୍ମଚାରୀଙ୍କ ଯୋଗୁଁ ଚଢାଉ ନେଇ ଆଗକୁ ସୂଚନା ପାଇ ସେମାନେ ସତର୍କ ହୋଇଯାଉଥିଲେ । କିନ୍ତୁ ଆଜି ବନ ବିଭାଗର ଭିଜିଲାନ୍ସ ଟିମ୍ ଏହି ବିଷୟ ଜାଣିବା ପରେ ବାଲେଶ୍ୱରରୁ ଗୁପ୍ତରେ ଆସି ସିଧାସଳଖ ଚଢାଉ କରିଥିଲେ । ପୁଲିସ ସୁରକ୍ଷା ବଳଙ୍କ ସମେତ ଭଦ୍ରକ ରେଞ୍ଜର ପିତାମ୍ବର ନାୟକ, ଧାମନଗର ରେଞ୍ଜର କୁଶ ଚରଣ ସିଂ, ଭଦ୍ରକ ବନପାଳ ପ୍ରକାଶ ଦାସ, ଅମରେନ୍ଦ୍ର ନାୟକ, ଧାମନଗର ବନପାଳ ପ୍ରୀତିରାଣୀ ଦାସ, ଭଣ୍ଡାରିପୋଖରୀ ବନପାଳ କୃଷ୍ଣଚନ୍ଦ୍ର ବାସ୍କେ ଓ ବନକର୍ମଚାରୀମାନେ ଚଢାଉରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *