ବିପର୍ଯ୍ୟସ୍ତ ନଦୀବନ୍ଧ ମରାମତି ପାଇଁ ରଘୁନାଥପୁରବାସୀଙ୍କ ଦାବି

Spread the love

ଭଦ୍ରକ : ଆଖୁଆପଦା ଜଳସେଚନ ଡିଭିଜନ ଅନ୍ତର୍ଗତ ବୈତରଣୀ ବାମପାର୍ଶ୍ୱ ନଦୀବନ୍ଧ ବଳିଘାଇ ଠାରୁ ରଘୁନାଥପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ମରାମତି ପାଇଁ ଗ୍ରାମବାସୀଙ୍କ ଗୁହାରୀ ବିଭାଗ ଶୁଣୁନଥିବା ଅଭିଯୋଗ ହୋଇଛି । ସଂପୃକ୍ତ ନଦୀବନ୍ଧକୁ ଗ୍ରାମବାସୀମାନେ ଯାତାୟତ ପାଇଁ ବ୍ୟବହାର କରିଥାନ୍ତି । ମାତ୍ର ଗତ ୫ ବର୍ଷ ପୂର୍ବେ ନଦୀବନ୍ଧକୁ ଉନ୍ନତିକରଣ କରାଯାଇଥିଲା। ଉପରିଭାଗରେ ନାମକୁ ମାତ୍ର ମୋରମ ପକାଯାଇଥିଲା। ଏବେ ନଦୀବନ୍ଧ ସାରା ଛୋଟବଡ ଖାଲରେ ପରିପୂର୍ଣ୍ଣ ହୋଇଛି । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଏହା ସହ ବର୍ଷାରେ ନଦୀବନ୍ଧ ବହୁ ସ୍ଥାନରେ ଧୋଇଯାଇଛି । ନଦୀବନ୍ଧର ଏହି ବିପର୍ଯ୍ୟସ୍ତ ପ୍ରତି ବିଭାଗ ଦୃଷ୍ଟି ଦେଉନାହିଁ। ଗ୍ରାମର ଓ୍ବାର୍ଡ ସଦସ୍ୟ ଭରତ ଚନ୍ଦ୍ର ନାଥଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ନଦୀବନ୍ଧ ମରାମତି ପାଇଁ ଲିଖିତ ଭାବେ ବିଭାଗକୁ ଜଣାଇଛନ୍ତି । ଏହି ଡିଭିଜନ ଯାଜପୁରରୁ ପରିଚାଳିତ ହେଉଥିବାରୁ ନଦୀ ବାମପାର୍ଶ୍ୱ ଅଳବାସୀଙ୍କ ସ୍ୱାର୍ଥ ପ୍ରତି ଅବହେଳା କରୁଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏହି ଘଟଣା ସମ୍ପର୍କରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି ବିଭାଗ ଏଡାଇ ଯାଉଥିବାରୁ ଜନଅସନ୍ତୋଷ ସୃଷ୍ଟି ହୋଇଛି । ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଏହାର ପ୍ରତିକାର କରିବାକୁ ପଛଘୁଞ୍ଚା ଦେଉଥିବାରୁ ଅଳବାସୀ କଷଣ ଭୋଗୁଛନ୍ତି । ସ୍ଥାଣୁ ପାଲଟିଥିବା ଆଖୁଆପଦା ଡିଭିଜନକୁ କାର୍ଯ୍ୟକ୍ଷମ କରାନଗଲେ ବାମପାର୍ଶ୍ୱର ସ୍ୱାର୍ଥ ସୁରକ୍ଷିତ ରହିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତୁରନ୍ତ ନଦୀବନ୍ଧକୁ ମରାମତ କରିବା ସହ ଯାତାୟତ ଉପେଯାଗୀ କରିବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *