ପ୍ରଧାନମନ୍ତ୍ରୀ ସଡ଼କ ଉପରେ ଥିବା ଚଉଁରା ଉଚ୍ଛେଦ ପ୍ରସଂଗ, ତୁଳସୀ ଚଉଁରାକୁ ସ୍ଥାନାନ୍ତର କଲା ପ୍ରଶାସନ

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡି ତହସିଲ ଅଧୀନ ମହରମପୁର ପଞ୍ଚାୟତ ତରାଶୁଣି ଘଡ଼େଇ ସାହିରେ ପ୍ରଧାନ ମନ୍ତ୍ରୀ ସଡ଼କ ଉପରେ ଥିବା ବହୁ ପୁରାତନ ତୁଳସୀ ଚଉଁରାକୁ ମଙ୍ଗଳବାର ପ୍ରଶାସନ ନଭାଙ୍ଗି ସ୍ଥାନାନ୍ତର କରିଛି । ତିହିଡ଼ି ତହସିଲ ଓ ପୁଲିସ ପ୍ରଶାସନ ହିନ୍ଦୁ ଧର୍ମକୁ ସମ୍ମାନ ଜଣାଇ ବହୁ ପରିଶ୍ରମ କରି କୌଶଳକ୍ରମେ ତୁଳସୀ ଚଉଁରାକୁ ମଝି ରାସ୍ତାରୁ ନେଇ ଅଳ୍ପ କିଛି ଦୂରରେ ସ୍ଥାପନ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ତହସିଲ ଓ ପୁଲିସ ପ୍ରଶାସନ ତରାଶୁଣି ଗ୍ରାମରେ ପହଞ୍ôଚ ଜେସିବି ସାହାଯ୍ୟରେ ତୁଳସୀ ଚଉଁରାର ଚତୁର୍ପାଶ୍ୱକୁ ଖୋଳିବା ପରେ ଚଉଁରାର ମୁଖ୍ୟ ଅଂଶକୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ନେଇଥିଲେ । ତେବେ ଚଉଁରା ସ୍ଥାନାନ୍ତର ସମୟରେ ଗ୍ରାମରେ ଏକ ଆବେଗମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘଦିନ ହେବ ପ୍ରଧାନ ମନ୍ତ୍ରୀ ସଡ଼କରୁ ଚଉଁରାକୁ ଉଚ୍ଛେଦ କରିବା ପାଇଁ ଅଚକ ପଞ୍ଚାୟତବାସୀ ଦାବି କରିଆସୁଥିଲେ । ଏହି ଦାବି ପରେ ପ୍ରଶାସନ ମାପଚୁପ କରିବା ପରେ ଚଉଁରାଟି ସରକାରୀ ଜାଗାରେ ଥିବା ଜଣା ପଡ଼ିଥିଲା । ପରେ ଅଚକ ପଞ୍ଚାୟତବାସୀ ଉଚ୍ଛେଦ କରିବାକୁ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ଚଉଁରାକୁ ଉଚ୍ଛେଦ କରିବା ପାଇଁ ତିହିଡ଼ି ତହସିଲଦାର ପ୍ରତୀକ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ତହସିଲଦାର ଶ୍ରୀ ସାହୁ ଓ ପୁଲିସ ଚଉଁରା ଉଚ୍ଛେଦ ପାଇଁ ଯାଇଥିଲେ ମଧ୍ୟ ସେଠାରେ ସ୍ଥାନୀୟ ଲୋକେ ଚଉଁରା ଭାଙ୍ଗିବାକୁ ପ୍ରତିବାଦ କରିବାରୁ ସେମାନେ ଫେରି ଆସିଥିଲେ । ଗତ ୯ ତାରିଖରେ ସାନ୍ତରାପୁର-ବରୁଣେଇ ବିକାଶ ମଞ୍ଚ ପକ୍ଷରୁ ଚଉଁରା ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ତହସିଲଦାର ଶ୍ରୀ ସାହୁ ୧୩ ତାରିଖରେ ଚଉଁରା ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ସ୍ଥାନାନ୍ତର ବେଳେ ତହସିଲଦାର ଶ୍ରୀ ସାହୁ, ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି, ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ, ତିହିଡ଼ି ଥାନା ଅଧିକାରୀ ଏମଡି ହାପିଜ୍, ସ୍ପେଶାଲ ବ୍ରାଞ୍ଚ ଅଫିସର ଦୀନବନ୍ଧୁ ଜେନା, ମିହିର କୁମାର ଗୋସ୍ୱାମୀ, ତହସିଲ ସୁପର ଭାଇଜର ଗିରିଶ ଚନ୍ଦ୍ର ନାୟକ, ରାଜସ୍ୱ ନିରୀକ୍ଷକ ମହେଶ୍ୱର ରଣା, ଡାଟା ଏଣ୍ଟ୍ରି ଅପରେଟର ଦେବାଶିଷ ମହାପାତ୍ର, କର୍ମଚାରୀ ସିଦ୍ଧାନ୍ତ ମଲ୍ଲିକ, ଅମିନ ପ୍ରଦୀପ ପାଣିଗ୍ରାହୀ ଓ ନାରାୟଣ ବେହେରା, ଏସଆଇ ଅରୁନ୍ଧତୀ ବେହେରା, ରୂପଶ୍ରୀ ସ୍ୱାଇଁ, ଏଏସଆଇ କମଳାକାନ୍ତ ଶତପଥି, ଦିଲୀପ ଦେହୁରୀ, ପ୍ରଦୀପ ମଇକାପ, ଶ୍ରୀକାନ୍ତ ନାୟକ, ହାବିଲଦାର ନକୁଳ ସେନାପତି, କନେଷ୍ଟବଳ ବିବେକାନ୍ଦ ସୂତାରଙ୍କ ସମେତ ୫ପ୍ଲାଟୁନ ପୁଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ମୁତୟନ ହୋଇଥିଲେ ।

Leave a Reply

Your email address will not be published. Required fields are marked *